ହାଇଦ୍ରାବାଦ:ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗ୍ଲୋବାଲ ୱାର୍ମିଂ ପାଇଁ ଅକସ୍ମାତ୍ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ଆଖି ପିଛୁଳାକେ କାଳର କରାଳରେ ଅନେକ ଲୋକଙ୍କ ପ୍ରାଣହାନି ଘଟୁଛି । ଏବେ ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (AI)ର ବ୍ୟବହାର କରାଯାଇଛି । ଗୁଗଲ୍ ଏପରି ଏକ AI ମଡେଲ ଆଣିଛି ଯାହାକି 15ଦିନର ପାଣିପାଗର ପୂର୍ବାନୁମାନ କରିବାରେ ସକ୍ଷମ । ଏହାର ନାମ ଜେନକାଷ୍ଟ (GenCast) ରଖାଯାଇଛି ।
ଗୁଗଲ୍ର ବ୍ରିଟିଶ-ଆମେରିକାନ ଏଆଇ ରିସର୍ଚ୍ଚ ଲ୍ୟାବ୍ ଗୁଗଲ୍ ଡିପମାଇଣ୍ଡ ଦ୍ବାରା ଜେନକାଷ୍ଟ ଏଆଇ ମଡେଲକୁ ବିକଶିତ କରାଯାଇଛି । ବୁଧବାର 'ନେଚର ଜର୍ଣ୍ଣାଲ'ରେ ପ୍ରକାଶିତ ଏକ ରିପୋର୍ଟରେ ଲଣ୍ଡନ ସ୍ଥିତ କମ୍ପାନୀ ଦାବି କରିଛି ଯେ ଏହି ନୂଆ ମଡେଲର ଦୁନିଆର ସବୁ ମଡେଲଠାରୁ ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି । ଏହାଦ୍ବାରା ଆମେ ପ୍ରଳୟକାରୀ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇପାରିବା ।
weather forecasting (Photo Credit- Google Deepmind)
ଏହି ଅଧ୍ୟୟନର ମୁଖ୍ୟ ଲେଖକ ତଥା ଡିପମାଇଣ୍ଡର ବରିଷ୍ଠ ବୈଜ୍ଞାନିକ ଇଲାନ ପ୍ରାଇସ କହିଛନ୍ତି, "ଜେନକାଷ୍ଟ ପାରମ୍ପରିକ ପ୍ରକ୍ରିୟାରୁ ବହୁ ଶୀଘ୍ର କାମ କରୁଛି । ଏହାସହିତ ଏହି ଏଆଇ ମଡେଲଟି ଅଧିକ ସଠିକ ସୂଚନା ପ୍ରଦାନ କରୁଛି ।"
ସୂଚନା ଥାଉ କି ଜେନକାଷ୍ଟ ପୂର୍ବରୁ ଏହି ଟିମ ପାଣିପାଗ ପୂର୍ବାନୁମାନ ଲାଗି ଏକ ଏଆଇ ମଡେଲର ବିକଶିତ କରିଥିଲା । 2023ରେ ଏହା କାମ କରିବା ଆରମ୍ଭ କରିଥିବା ବେଳେ 10ଦିନର ପୂର୍ବାନୁମାନ ପ୍ରଦାନ କରୁଥିଲା । ଏ ନେଇ ଏହି ମଡେଲର ଅନ୍ୟତମ ପ୍ରମୁଖ ବୈଜ୍ଞାନିକ ରେମି ଲ୍ୟାମ କହିଛନ୍ତି, "ମୁଁ କହିବାକୁ ଟିକେ ଅସହଜ ମନେ କରୁଛି, କିନ୍ତୁ ଏପରି କୁହାଯାଇପାରିବ ଯେ ଆମେ ଗୋଟିଏ ବର୍ଷରେ 10ବର୍ଷର ସୁଧାର ଆଣିପାରିଛୁ । ଏହି ମଡେଲରେ ଆମେ ବାସ୍ତବରେ ଏକ ପ୍ରଗତି ଦେଖିପାରିଛୁ ।"
ଗୁଗଲ୍ର କହିବାନୁସାରେ, ଏହା Google Cloud TPU v5 ଟେକ୍ନୋଲୋଜି ବ୍ୟବହାର କରି ମାତ୍ର 8ମିନିଟରେ 15 ଦିନର ପାଣିପାଗକୁ ପୂର୍ବାନୁମାନ କରିପାରିବ ଜେନକାଷ୍ଟ । କିନ୍ତୁ ଏପଟେ ପାରମ୍ପରିକ ପାଣିପାଗ ପୂର୍ବାନୁମାନକୁ ଦେଖିଲେ ସୁପରକମ୍ପ୍ୟୁଟରରେ ଘଣ୍ଟା ଘଣ୍ଟା ସମୟ ନେଇଥାଏ । ଗୁଗଲ୍ ଜେନକାଷ୍ଟକୁ ଓପନ୍ ମଡେଲ ଭାବେ ରିଲିଜ କରିଛି । କମ୍ପାନୀ ଅନ୍ୟ ପାଣିପାଗ ପୂର୍ବାନୁମାନ କରୁଥିବା ଏଜେନ୍ସି ତଥା ବୈଜ୍ଞାନିକଙ୍କ ସହଯୋଗିତା ଲୋଡିଛି, ଯାହାଦ୍ବାରା ଭବିଷ୍ୟତରେ ପାଣିପାଗ ପୂର୍ବାନୁମାନ ଅଧିକ ଉନ୍ନତମାନର ହୋଇପାରିବ ।