ହାଇଦ୍ରାବାଦ: ଭାରତ ନିଜର ସ୍ପେଶ ପ୍ରୋଗ୍ରାମରେ ଆଉ ଏକ ବିଶେଷ, ଐତିହାସିକ ମୁହୂର୍ତ୍ତ ଯୋଡ଼ିବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆସନ୍ତା 29 ଜାନୁଆରୀ ସକାଳ 6:23ରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ସେଣ୍ଟରରୁ 100ତମ ମିଶନ ଲଞ୍ଚ କରିବାକୁ ଯାଉଛି । ଏହି ଲଞ୍ଚରେ GSLV-F15 ରକେଟ୍ର ବ୍ୟବହାର କରି ନାଭିକ ସିଷ୍ଟମ ଲାଗି NVS-02 ସାଟେଲାଇଟ୍କୁ ଲଞ୍ଚ କରିବାକୁ ଯାଉଛି । ଯାହାକି ଶ୍ରୀହରିକୋଟାରୁ 100ତମ ଲଞ୍ଚ ହେବ । ଏହି ଐତିହାସିକ ମୁହୂର୍ତ୍ତ ଲାଗି ଇସ୍ରୋକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
GSLV-F15/NVS-02 ମିଶନ କଣ ?
GSLV-F15 ସହିତ ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ (GSLV)ର ଏହା 17ତମ ଉଡାଣ ହେବ । ସେପଟେ ସ୍ବଦେଶୀ କ୍ରାୟୋଜେନିକ୍ ଷ୍ଟେଜର ବ୍ୟବହାର ସହିତ ଏହା 11ତମ ଉଡ଼ାଣ ହେବ । ଏହି ଲଞ୍ଚ ଲାଗି 3.4ମିଟର ବ୍ୟାସଯୁକ୍ତ ମେଟାଲିକ ପେଲୋଡ୍ ଫେୟାରିଂର ବ୍ୟବହାର କରାଯିବ । ଏହି ଲଞ୍ଚ୍ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡ୍ (SLP)ରୁ ହେବ । ଏବେ ନାଭିଗେସନ ଲାଗି ଆମେ ଆମେରିକୀୟ ନାଭିଗେସନ ସିଷ୍ଟମ GPSର ବ୍ୟବହାର କରୁଛି । ଇସ୍ରୋର ଏହି ମିଶନ ସଫଳ ହେଲେ ଏହା ବଦଳରେ ଆମେ ସ୍ବଦେଶୀ ନାଭିଗେସନ ସିଷ୍ଟମ 'ନାଭିକ୍'ର ବ୍ୟବହାର କରିପାରିବାରେ ସକ୍ଷମ ହେବା ।
🚀 Mark your calendars! The Launch of GSLV-F15/NVS-02 Mission is scheduled on 29th January 2025 at 06:23 hrs IST from SDSC SHAR, Sriharikota.
— ISRO (@isro) January 24, 2025
🎟️ Public can witness the launch from Launch View Gallery at SDSC SHAR, Sriharikota by registering through online from the following…
NavIC: ଭାରତର ନିଜସ୍ବ ନାଭିଗେସନ ସିଷ୍ଟମ
ନାଭିକ୍ ହେଉଛି ଭାରତର ନିଜସ୍ବ ନାଭିଗେସନ ସାଟେଲାଇଟ୍ ସିଷ୍ଟମ, ଯାହାକି ଆମେରିକୀୟ GPS ପରି କାର୍ଯ୍ୟ କରିଥାଏ । ଏହାକୁ ପୋଜିସନ୍, ଭେଲୋସିଟି ଓ ଟାଇମିଂ (PVT) ସେବା ଲାଗି ଡିଜାଇନ କରାଯାଇଛି । ଏହି ସିଷ୍ଟମ ଭାରତ ଓ ଏହାର 1500କିଲୋମିଟର ପରିସର ମଧ୍ୟରେ ସଠିକ୍ ପୋଜିସନିଂ ସେବା ପ୍ରଦାନ କରିଥାଏ । ଏହା ଦୁଇ ପ୍ରକାରର ସେବା ପ୍ରଦାନ କରିଥାଏ: ଗୋଟିଏ ହେଉଛି ଷ୍ଟାଣ୍ଡାର୍ଡ ପୋଜିସନିଂ ସର୍ଭିସ (SPS), ଯାହାକି 20ମିଟର ମଧ୍ୟରେ ସଠିକ ପୋଜିସନ୍କୁ କହିଥାଏ ଓ ଅନ୍ୟିଟି ହେଉଛି ରେଷ୍ଟ୍ରିକ୍ଟେଡ ସର୍ଭିସ (RS) ଯାହାକି ସ୍ବତନ୍ତ୍ର ନାଭିଗେସନ କ୍ଷମତା ଲାଗି ଡିଜାଇନ କରାଯାଇଛି ।
ଇସ୍ରୋର କହିବାନୁସାରେ, NVS-02 ସାଟେଲାଇଟ୍ ହେଉଛି ନାଭିକ ସିଷ୍ଟମର ଦ୍ବିତୀୟ ପିଢି । ଏହାର ଓଜନ 2250 କିଲୋଗ୍ରାମ ଓ ଏହା 3 କିଲୋୱାଟ ପର୍ଯ୍ୟନ୍ତ ଶକ୍ତିକୁ ଧାରଣ କରିପାରେ । ଏହି ସାଟେଲାଇଟ୍ ନାଭିଗେସନ ପେଲୋଡ୍ ଯେପରିକି L1, L5 ସହିତ S ବ୍ୟାଣ୍ଡ୍ ଓ ରେଞ୍ଜିଂ ପେଲୋଡ୍ C-ବ୍ୟାଣ୍ଡ୍ ରହିଛି । ଏହାକୁ IRNSS-1E ସାଟେଲାଇଟ୍ ବଦଳରେ 111.75°Eରେ ରଖାଯିବ ।