କଟକ: ପାଳନ ହେଲା ୭୬ତମ ସାଧାରଣତନ୍ତ୍ର ଦିବସ । କଟକ ବିଡାନାସୀ ମିନି ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଦିବସ ଉପଲକ୍ଷେ ଦେଶରେ ସାର୍ବଭୌମ୍ୟ, ଅଖଣ୍ଡତାକୁ ସର୍ବଦା ବଜାୟ ରଖିବାକୁ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ ।
- 'ଆସନ୍ତା ମାସରୁ ଆୟୁଷ୍ମାନ ଯୋଜନା'
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି," ୭ମାସ ତଳେ ଯେଉଁ ଆଶା ରଖି ରାଜ୍ୟବାସୀ ନୂଆ ସରକାର ଗଠନ କରିଥିଲେ, ନିର୍ବାଚନୀ ଇସ୍ତାହାର ଯାହା ରହିଥିଲା, ତାହାକୁ ବିଜେପି ସରକାର ପୂରଣ କରିଛି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା, ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଇତ୍ୟାଦି ଥିଲା ସରକାରଙ୍କ ପ୍ରଥମ ଉପଲବ୍ଧି । ୮୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପାଇ ସାରିଛନ୍ତି । ବାକି ଥିବା ଅନ୍ୟ ମହିଳାଙ୍କୁ ଖୁବ ଶୀଘ୍ର ମିଳିବ । ଅଦିନିଆ ବର୍ଷା ପାଇଁ କ୍ଷତି ସହିଥିବା ଚାଷୀଙ୍କୁ କ୍ଷତିପୂରଣ ପାଇଁ ବ୍ୟବସ୍ଥା ହୋଇଛି । ଆସନ୍ତା ମାସରୁ ପ୍ରାୟ ଏକ କୋଟି ପରିବାର ଆୟୁଷ୍ମାନ ଯୋଜନାର ସୁଫଳ ପାଇ ପାରିବେ । ପ୍ରାୟ ସାଢେ ୩ କୋଟି ଲୋକ ଏଥିରେ ଉପକୃତ ହେବେ । "
- 'ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି'
ସେ ଆଉ ମଧ୍ୟ କହିଛନ୍ତି, "ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି । ଆଦିବାସୀମାନଙ୍କ ସ୍ୱାର୍ଥ, ସ୍ୱାଭିମାନ ପାଇଁ ଆମ ସରକାର ସଂକଳ୍ପ ବଦ୍ଧ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି । ଶିଳ୍ପର ବିକାଶ କରିବା କ୍ଷେତ୍ରରେ ରାଜ୍ୟ ସରକାର ବଦ୍ଧପରିକର । ଗାଁର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ରାଜ୍ୟରେ ରେଳର ବିକାଶ ପାଇଁ କେନ୍ଦ୍ର ସରକାର ୨୦,୦୦୦ କୋଟି ବ୍ୟୟ କରିଥିଲେ । ଯାହାର କାର୍ଯ୍ୟ ଜାରି ରହିଛି । ଦେଶର ଆତ୍ମା ହେଉଛି ଗାଁ । ଗାଁର ବିକାଶରେ ଓଡିଶା ଓ ଭାରତର ବିକାଶ ହେବ । ପ୍ରତିବର୍ଷ ୧୦୦୦ କୋଟି ଲେଖାଏଁ ଗ୍ରାମକୁ ପ୍ରଦାନ କରାଯିବ । ଯାହାଦ୍ୱାରା ଗ୍ରାମର ବିକାଶ ହୋଇ ପାରିବ । ଏହାଛଡ଼ା ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ ବୃଦ୍ଧି କରାଯାଇଛି ।"
୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦାନ।#RepublicDay pic.twitter.com/24A1WNF3HG
— Mohan Charan Majhi (@MohanMOdisha) January 26, 2025
ଓଡିଶାରେ ଗୁରୁତ୍ୱକୁ ବୃଦ୍ଧି କରିବା ପାଇଁ ଓଡ଼ିଶାରେ ଅନେକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯାହା ପୂର୍ବରୁ କେବେ ହେଉ ନଥିଲା । ୨୦୩୬ ସୁଦ୍ଧା 'ଉତ୍କର୍ଷ ଓଡିଶା' ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ଦେଖିଥିବା ଡବଲ ଇଞ୍ଜିନ ସରକାର ଏହାକୁ ନିଶ୍ଚୟ ପୂରଣ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
- କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି:
ସାଧାରଣତନ୍ତ୍ର ଦିବସର ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ପରେଡରେ ମୋଟ ୫୨ ଟ୍ରୁପ ଯୋଗ ଦେଇଥିଲେ । ଏହାସହ ୨୦ ରୁ ଊର୍ଦ୍ଧ୍ବ ପ୍ରଜ୍ଞାପନ ମେଢ଼ ଏହି ପରେଡ଼ରେ ସାମିଲ ହୋଇଥିଲା । ଏହି ଅବସରରେ କଟକର ଛାତ୍ରଛାତ୍ରୀ, ସମାଜସେବୀ, ପୋଲିସ ଅଧିକାରୀ, ସମ୍ବାଦିକମାନଙ୍କୁ ପୁରସ୍କୃତ କରଯାଇଥିଲା । ତେବେ ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି କଟକରେ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।
ଇଟିଭି ଭାରତ, କଟକ