ଭୁବନେଶ୍ବର: ଦେଶ ପାଳୁଛି 76ତମ ସାଧାରଣତନ୍ତ୍ର ଦିବସ । ସବୁଠି ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା । ଏହି ଅବସରରେ ରେଳ ଷ୍ଟାଡିୟମରେ ପୂର୍ବତଟ ରେଳବାଇ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ପ୍ୟାରେଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଛୋଟ ଛୋଟ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ରେଳ ବିଭାଗର ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ତେବେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ପୂର୍ବତଟ ରେଳପଥର ସଫଳତା ଆଦି ଉପରେ ଅଭିଭାଷଣ ରଖିଛନ୍ତି ।
ପୂର୍ବତଟ ରେଳପଥ ମାଇଲ ଖୁଣ୍ଟ ହାସଲ:
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି, "ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ଅନେକ ସଫଳତା ହାସଲ କରିଛି । ଆଜି ସୁଦ୍ଧା ପୂର୍ବତଟ ରେଳପଥ ୨୦୦ ମେଟ୍ରିକ ଟନରୁ ଅଧିକ ଲୋଡିଂର ଏକ ଅଦ୍ଭୁତପୂର୍ବ ମାଇଲ ଖୁଣ୍ଟ ହାସଲ କରିଛି । ଯାହା ସବୁ ଜୋନ ମଧ୍ୟରେ ସର୍ବାଧିକ । ଏହି ସଫଳତା ଗତ ବର୍ଷ ତୁଳନାରେ ପାଞ୍ଚ ଦିନ ପୂର୍ବରୁ ମାତ୍ର ୨୯୦ ଦିନର ରେକଡର଼୍ ସମୟରେ ହାସଲ କରାଯାଇଛି । ଡିସେମ୍ବର ୨୦୨୪ ସୁଦ୍ଧା, ପୂର୍ବତଟ ରେଳପଥ ୧୭ ହଜାର ୩୨୪ କୋଟି ଟଙ୍କା ଆୟ କରିଛି । ଡିସେମ୍ବର ୨୪ ସୁଦ୍ଧା ୬.୯ କୋଟିରୁ ଅଧିକ ଯାତ୍ରୀ ପରିବହନ କରିଛି । ଯାହା ପୂର୍ବ ବର୍ଷ ତୁଳନାରେ ୯.୫୩% ରୁ ଅଧିକ । ଏହି ଆର୍ଥିକ ବର୍ଷରେ ଯାତ୍ରୀ ଆୟ ୧ ହଜାର ୭୪୫ କୋଟି ଟଙ୍କା ହୋଇଛି । ଯାହା ଗତ ବର୍ଷ ଏହି ସମୟ ଅବଧି ତୁଳନାରେ ୯.୩% ଅଧିକ । ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଆମର କ୍ୟାପେକ୍ସ ବ୍ୟବହାର ୮ ହଜାର ୨୮୧ କୋଟି ଟଙ୍କା, ଡିସେମ୍ବର ୨୦୨୪ ସୁଦ୍ଧା ଆମର କାର୍ଯ୍ୟ ପରିଚାଳନା ଅନୁପାତ ୬୦.୮୯ ରହିଥିଲା ।’’
ଯାତ୍ରୀ ସେବାରେ ପ୍ରାଥମିକତା:
ସେ ଆହୁରି କହିଛନ୍ତି, "ପୂର୍ବତଟ ରେଳପଥ ପାଇଁ ଆମର ଯାତ୍ରୀମାନଙ୍କୁ ସେବା ପ୍ରଦାନ କରିବା ଏକ ସର୍ବୋଚ୍ଚ ପ୍ରାଥମିକତା ହୋଇ ଆସିଛି । ଚଳିତ ଆର୍ଥିକ ବର୍ଷରେ ଯାତ୍ରୀଙ୍କ ଋତୁକାଳୀନ ଚାହିଦା ପୂରଣ ପାଇଁ ବିଶେଷ କରି ପର୍ବପର୍ବାଣୀ ଏବଂ ଛୁଟି ସମୟରେ ଆମେ ୧୨ଟି କୁମ୍ଭମେଳା ସ୍ପେଶାଲ ସମେତ ୧୭୮୧ଟି ସ୍ୱତନ୍ତ୍ର ଟ୍ରେନ ପରିଚାଳନା କରିଛୁ ଏବଂ ନିୟମିତ ଟ୍ରେନ ଗୁଡ଼ିକରେ ୪୫୪୫ଟି କୋଚ୍ ଯୋଡ଼ିଛୁ । ଏହା ସହିତ ୭୫ଟି କୋଚ୍ର ସ୍ଥାୟୀ ବୃଦ୍ଧି ମଧ୍ୟ କରାଯାଇଛି । ଯାତ୍ରୀଙ୍କ ଅଭିଜ୍ଞତା ଓ ସୁରକ୍ଷାକୁ ଉନ୍ନତ କରିବା ଲାଗି ଚଳିତ ଆର୍ଥିକ ବର୍ଷରେ ଏଲ୍ଏଚ୍ବି ରେକ୍ ସହିତ 6 ଯୋଡ଼ା ଟ୍ରେନ ଚଳାଚଳ କରୁଛି ।’
ECoR General Manager unfurling the Nationl Flag at Railway Stadium, Bhubaneswar on occasion #76thRepublicDay #RepublicDay2025 @RailMinIndia pic.twitter.com/sZqlB6DjaX
— East Coast Railway (@EastCoastRail) January 26, 2025
‘‘ସଂପ୍ରତି କାର୍ଯ୍ୟକ୍ଷମ ହୋଇଥିବା ଅନ୍ୟ କିଛି ଅଂଶ ହେଉଛି: (୧) ଗୋରାପୁର-ଦର୍ଲିପୁଟ (୧୨.୬୪୯ କିମି)(୨) ଦର୍ଲିପୁଟ-ପାଡୁଆ (୯.୭୭ କିମି) (୩) ରାଣୀତାଲ- ଭଦ୍ରକ (୫.୦୦ କିମି) (୪) ହିନ୍ଦୋଳ ରୋଡ଼-ମେରାମଣ୍ଡଳି (୨୭.୨୮ କିମି) ଇତ୍ୟାଦି । ସାଲେଗାଁଓ-ବୁଢାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ ପ୍ରକଳ୍ପର ଇଞ୍ଜିନ ରୋଲିଂ ୧୦.୦୧.୨୦୨୫ରେ କରାଯାଇଥିଲା । ଡିସେମ୍ବର ୨୪ ସୁଦ୍ଧା ୩୩୫ ଟିକେଏମ୍ର ବିଦ୍ୟୁତିକରଣ ସଂପୂର୍ଣ୍ଣ ହୋଇଛି । ଦର୍ଲିପୁଟ, ପୁରୁଣାପାଣି, ଝାରମୁଣ୍ଡା ଓ ବୌଦ୍ଧରେ ନୂତନ ଷ୍ଟେସନ ବିଲଡିଂ କାର୍ଯ୍ୟକ୍ଷମ କରାଯାଇଥିଲା । ଗତି ଶକ୍ତି ମଲଟି-ମୋଡାଲ କାର୍ଗୋ ଟର୍ମିନାଲ ଗୁଡ଼ିକୁ ଦୁଇଟି ସ୍ଥାନରେ କାର୍ଯ୍ୟକ୍ଷମ କରାଯାଇଛି" ବୋଲି ଅଭିଭାଷଣରେ କହିଛନ୍ତି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ।
ରେଳ କର୍ମଚାରୀଙ୍କ ପାଇଁ ଚିକିତ୍ସା ଉପରେ ଗୁରୁତ୍ବ:
ଏହା ସହ ଭୁବନେଶ୍ୱର କେନ୍ଦ୍ରୀୟ ହସ୍ପିଟାଲ ଏବଂ ୦୩ଟି ବିଭାଗୀୟ ହସପିଟାଲ ଏବଂ ୨୭ଟି ସ୍ୱାସ୍ଥ୍ୟ ୟୁନିଟରେ ପ୍ରାୟ ୪୮୬୬୨ ଜଣ କର୍ମଚାରୀ ଏବଂ ୩୨୮୦୬ ଜଣ ଆରଇଏଲ କାର୍ଡଧାରକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଚିକିତ୍ସା ଆବଶ୍ୟକତା ପୂରଣ କରିଥାନ୍ତି । ୩୯ଟି ଘରୋଇ ହସପିଟାଲ ଓ ୭ଟି ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଟର୍ସିଆରୀ ଯତ୍ନ ଚିକିତ୍ସା ଲାଗି କେସ୍ ଗୁଡ଼ିକୁ ରେଫର କରିବା ପାଇଁ ସ୍ୱୀକୃତି ଦିଆଯାଇଛି । ୭୨ଟି ସ୍ୱତନ୍ତ୍ର ସର୍ଜରୀ ଯଥା ହିପ ରିପ୍ଲେସମେଣ୍ଟ, ଆଣ୍ଠୁ ରିପ୍ଲେସମେଣ୍ଟ ଇତ୍ୟାଦି ଭଳି ମାମଲା ଏବଂ ୧୦୬୬ଟି ପ୍ରମୁଖ କେସ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର