ହଲଦ୍ୱାନୀ: ଉତ୍ତରାଖଣ୍ଡରେ କମାଲ କଲେ ଓଡ଼ିଶା ମହିଳା ଫୁଟବଲ ଖେଳାଳି । ୩୮ତମ ନେସନାଲ ଗେମ୍ସରେ ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା ଟିମ୍ । ଉତ୍ତରାଖଣ୍ଡର ହଲଦ୍ୱାନୀ ମିନି ଷ୍ଟାଡିୟମରେ ଆୟୋଜିତ ସେମିଫାଇନାଲ ମ୍ୟାଚରେ ୫-୧ ଗୋଲରେ ଦିଲ୍ଲୀକୁ ହରାଇଛି ଓଡ଼ିଶା । ତେବେ ଫେବୃଆରୀ ୭ରେ ଫାଇନାଲରେ ହରିୟାଣାକୁ ଭେଟିବ ଏହି ଟିମ୍ ।
ଦିଲ୍ଲୀକୁ ହରାଇ ସେମିଫାଇନାଲରେ ଓଡ଼ିଶା:
ନେସନାଲ ଗେମ୍ସ ୨୦୨୫ର ସପ୍ତମ ଦିନରେ ମହିଳା ଫୁଟବଲ ଟିମର ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ହଲଦ୍ୱାନୀ ମିନି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ସେମିଫାଇନାଲ ମୁକାବିଲା ଓଡ଼ିଶା ଓ ଦିଲ୍ଲୀ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ଓଡ଼ିଶା ୫-୧ ଗୋଲରେ ଦିଲ୍ଲୀକୁ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିନେଇଛି ଓଡ଼ିଶା । ତେବେ ଏହି ସେମିଫାଇନାଲ ମ୍ୟାଚରେ ଓଡ଼ିଶା ଟିମ ବେଶ ଉଚ୍ଚକୋଟୀର ଖେଳିଥିଲା । ହାଫ ଟାଇମ ପୂର୍ବରୁ ଓଡ଼ିଶା ୩-୧ ଗୋଲରେ ଆଗୁଆ ରହିଥିଲା । ହାଫ ଟାଇମ ପରେ ଓଡ଼ିଶା ପୁଣି ଆଉ ୨ ଟି ଗୋଲ କରି ନିଜ ଖାତାରେ ୫ଟି ଗୋଲ ଯୋଡିବା ସହ ଦିଲ୍ଲୀକୁ ୫-୧ରେ ହରାଇ ଫାଇନାଲରେ ପ୍ରବେଶ କରିଛି ।
![Delhi vs Odisha Football match](https://etvbharatimages.akamaized.net/etvbharat/prod-images/04-02-2025/uknai03uk10007_04022025161743_0402f_1738666063_678.jpg)
ଫେବୃଆରୀ ୭ରେ ହରିୟାଣା ସହ ଓଡ଼ିଶାର ଫାଇନାଲ ମୁକାବିଲା:
ନେସନାଲ ଗେମ୍ସ ୨୦୨୫ର ମହିଳା ଫୁଟବଲ ମ୍ୟାଚର ଫାଇନାଲ ମୁକାବିଲା ଫେବୃଆରୀ ୭ରେ ହେବାକୁ ଯାଉଛି । ସେମିଫାଇନାଲର ଦ୍ୱିତୀୟ ମ୍ୟାଚ ହରିୟାଣା ଓ ପଶ୍ଚିମବଙ୍ଗ ମଧ୍ୟରେ ଖେଳାଯାଇଥିଲା । ପ୍ରଥମରୁ ହିଁ ହରିୟାଣା ପଶ୍ଚିମବଙ୍ଗ ଉପରେ ଭାରି ପଡିଥିଲା । ଏହି ମ୍ୟାଚରେ ହରିୟାଣା ୪ଟି ଗୋଲ କରିଥିବା ବେଳେ ପଶ୍ଚିମବଙ୍ଗ ଟିମ୍ ମାତ୍ର ଗୋଟିଏ ଗୋଲ କରିପାରିଥିଲା । ୪-୧ ଗୋଲରେ ପଶ୍ଚିମବଙ୍ଗକୁ ହରାଇ ଫାଇନାଲରେ ପ୍ରବେଶ କରିଛି ହରିୟାଣା । ମହିଳା ଫୁଟବଲ ଫାଇନାଲ ମୁକାବିଲା ଓଡ଼ିଶା ଓ ହରିୟାଣା ମଧ୍ୟରେ ହେବାକୁ ଯାଉଛି । ଗୁରୁବାର ହଲଦ୍ୱାନୀର ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।
ହଲଦ୍ୱାନୀ ଫୁଟବଲ ଷ୍ଟାଡିୟମରେ ୨୯ ଜାନୁଆରୀଠାରୁ ମହିଳା ଫୁଟବଲ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଫାଇନାଲ ମୁକାବିଲା ଫେବୃଆରୀ ୭ ତାରିଖରେ ରହିଛି । ଏଥିରେ ଓଡ଼ିଶା, ପଶ୍ଚିମବଙ୍ଗ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ, ମଣିପୁର, ତାମିଲନାଡୁ, ସିକ୍କିମ ମୋଟ୍ ୮ଟି ଟିମ ଅଂଶଗ୍ରହଣ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ