ପୁରୀ: ଲୁଟେରାଙ୍କ ଟାର୍ଗେଟରେ ଷ୍ଟାର ହୋଟେଲ ଓ ବିବାହ ଉତ୍ସବ । ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ଆୟୋଜିତ ବିବାହ ଉତ୍ସବରୁ ବରକନ୍ୟାଙ୍କ ମୂଲ୍ୟବାନ ଅଳଙ୍କାର ଓ ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ପୁରୀ ପୋଲିସ ଧରିବାରେ ସଫଳ ହେଇଛି । ପୁରୀର ଏକ ହୋଟେଲରେ ଏକ ବିବାହ ଉତ୍ସବରେ ଅଭିଯୁକ୍ତ ଜଣଙ୍କ ସମାନ ଢଙ୍ଗରେ ବରକନ୍ୟାଙ୍କ ଅଳଙ୍କାର ଲୁଟ କରି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ମାଡ଼ି ବସିଲେ ହୋଟେଲ୍ କର୍ମଚାରୀ ।
ବଳିଆପଣ୍ଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗିରଫ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲା ପିପିଲିଆ କଡିଆ ଅଞ୍ଚଳର ରିତେଶ ସିଶୋଦିଆ (୨୦) । ଅଭିଯୁକ୍ତକୁ ପୁରୀ ପୋଲିସ ଗିରଫ କରିବା ପରେ ଭୁବନେଶ୍ବର ମୈତ୍ରୀ ବିହାର ପୋଲିସକୁ ସୂଚନା ଦିଆଯାଇଛି ।
- ଲୁଟେରାଙ୍କ ଟାର୍ଗେଟରେ ଷ୍ଟାର ହୋଟେଲ୍:
ଗତ 2 ତାରିଖ ରାତିରେ ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ବିବାହ ଉତ୍ସବ ଚାଲିଥିବା ବେଳେ ଅତିଥି ବେଶରେ ଅଭିଯୁକ୍ତ ଲୁଟେରା ପ୍ରବେଶ କରିଥିଲା । ତେବେ ବିବାହ ଉତ୍ସବରେ ନାଚ,ଗୀତରେ ସମସ୍ତେ ମସଗୁଲ ଥିବାବେଳେ ଅନ୍ୟମନସ୍କତାର ସୁଯୋଗ ନେଇ ଲୁଟେରା ଜଣଙ୍କ ସେଠାରେ ଥିବା ଏକ ଟ୍ରଲି ବ୍ୟାଗକୁ ଧରି ଚମ୍ପଟ୍ ମାରୁଥିଲା । ତେବେ ଏହି ସମୟରେ ହୋଟେଲ୍ ବାହାରେ ଥିବା ସିକ୍ୟୁରିଟି ଗାର୍ଡ ତାକୁ ସନ୍ଦେହରେ ପଚରାଉଚରା କରିବାରୁ ସେ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲା । ପରେ ସ୍ଥାନୀୟ ବଳିଆପଣ୍ଡା ଥାନାକୁ ଖବର ଦିଆଯାଇଥିଲା । ପୋଲିସ୍ ପହଞ୍ଚି ଲୁଟେରାକୁ ଗିରଫ କରିଥିଲା ।
- ସମାନ ଢଙ୍ଗରେ ଭୁବନେଶ୍ୱର ହୋଟେଲରୁ ଚୋରି କରିଥିଲା ଲୁଟେରା:
ହୋଟେଲ କର୍ମଚାରୀଙ୍କ ଅଭିଯୋଗକୁ ଭିତ୍ତିକରି ବଳିଆପଣ୍ଡା ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରିତେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ରିତେଶ ଭୁବନେଶ୍ଵର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଏକ ବିବାହ ଉତ୍ସବରୁ ସୁନା ଅଳଙ୍କାର ଲୁଟ ଘଟଣାରେ ମଧ୍ୟ ସମ୍ପୃକ୍ତ ବୋଲି ପୋଲିସ ପକ୍ଷରୁ ସୂଚନା ମଳିଛି ।
- ଏମିତି କହିଲେ ପୁରୀ ଅତିରିକ୍ତ ଏସପି:
ପୁରୀ ଅତିରିକ୍ତ ଏସପି ସୁଶିଲ ମିଶ୍ର କହିଛନ୍ତି," ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଚାଲିଥିବା ବିବାହ ଉତ୍ସବରୁ ଚୋରି କରିବା ପାଇଁ ରାଜ୍ୟ ବାହାରର ଜଣେ ଯୁବକ ପ୍ରବେଶ କରିଥିଲେ । ତେବେ ଉକ୍ତ ଯୁବକ ଜଣଙ୍କ ହୋଟେଲରେ ସନ୍ଦେହଜନକ ଭାବେ ସେଠାରେ ବୁଲାବୁଲି କରୁଥିବା ବେଳେ ସିକୁରିଟି ଗାର୍ଡ ତାକୁ ଧରିଥିଲେ । ତେବେ ପଚରାଉଚରା ପରେ ଜଣା ପଡିଲା ସେହି ଯୁବକ ଜଣଙ୍କ କୌଣସି ଅତିଥି ନଥିଲେ । ତେବେ ହୋଟେଲ୍ କର୍ତ୍ତୃପକ୍ଷ ତା ନାମରେ ଚୋରି ଅଭିଯୋଗ ବଳିଆପଣ୍ଡା ଥାନାରେ ଅଭିଯୋଗ ଦେଇଥିଲେ । ଅଭିଯୋଗ ଅନୁସାରେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।"
- 'ଅଭିଯୁକ୍ତ ମଧ୍ୟପ୍ରଦେଶର':
ସେ ଏହା ମଧ୍ୟ କହିଛନ୍ତି," ଅଭିଯୁକ୍ତର ଘର ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲା କାଦିଆ ଗ୍ରାମର ବୋଲି ଜଣାପଡିଛି । ତେବେ ଭୁବନେଶ୍ବର ମୈତ୍ରୀ ବିହାରରେ ବିବାହ ଉତ୍ସବରୁ ଲୁଟ ହୋଇଥିବା ଘଟଣାରେ ତାର ସମ୍ପୃକ୍ତି ଥିବା ସିସିଟିଭି ଫୁଟେଜରୁ ଜଣାପଡୁଛି । ମୈତ୍ରୀ ବିହାର ପୋଲିସ ଏନେଇ ଅଧିକ ତଦନ୍ତ କରିବ । ସିସିଟିଭି ଆଧାରରେ ତଦନ୍ତ ଚାଲିଛି । ଯଦି ଆଉ କାହାର ସମ୍ପୃକ୍ତି ଥିବ ତେବେ ତାକୁ ମଧ୍ୟ ଧରିବ ପୋଲିସ ।"
ଇଟିଭି ଭାରତ, ପୁରୀ