କଟକ: ବାରବାଟୀ ଦିନିକିଆ ପାଇଁ ଆସନ୍ତାକାଲି(ବୁଧବାର)ଠାରୁ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ । ଷ୍ଟାଡିଅମ ପରିସରରେ ଥିବା ୪ଟି କାଉଣ୍ଟରରେ ଟିକେଟ ବିକ୍ରି ହେବାକୁ ଥିବାବେଳେ ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିଛି ଓସିଏ ଓ କମିଶନରେଟ ପୋଲିସ । ଜଣେ ବ୍ୟକ୍ତି ପିଛା 2ଟି ଲେଖାଏଁ ଟିକେଟ ବିକ୍ରି କରିବାକୁ ଥିବାବେଳେ ଏଥିପାଇଁ ଫଟୋ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସେହିପରି ପରିମଳ, ପିଇବା ପାଣି, ସୁଲଭ ମୂଲ୍ୟରେ ଦର୍ଶକଙ୍କୁ ଖାଦ୍ଯ ଯୋଗାଇ ଦେବା ଇତ୍ୟାଦି ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
12 ହଜାର ଟିକଟ ବିକ୍ରି ଲକ୍ଷ୍ୟ :
ବୁଧବାରଠୁ ଆରମ୍ଭ ହେବ ଅଫ୍ଲାଇନ ଟିକଟ ବିକ୍ରି । କାଉଣ୍ଟରରେ ପ୍ରାୟ 12 ହଜାର ଟିକଟ ବିକ୍ରି ହେବାର ଯୋଜନା ରହିଛି । ବିରାଟ କୋହଲି, ରୋହିତ ଶର୍ମା, ଜୋସ ବଟଲରଙ୍କ ଭଳି ଖେଳାଳି ଆସୁଥିବାରୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଅନଲାଇନ୍ରେ ଟିକଟ କିଣିପାରିନଥିବା କ୍ରିକେଟ୍ପ୍ରେମୀ ଅଫ୍ଲାଇନ୍ରେ କିଣିବାକୁ ଆଶା ବାନ୍ଧିଛନ୍ତି । ଟିକେଟ ବିକ୍ରି ପାଇଁ ଚଳିତଥର 4ଟି ଟିକେଟ କାଉଣ୍ଟର କରାଯାଇଛି । ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତାକାଲି ସକାଳ 9ଟାରୁ ଟିକେଟ ବିକ୍ରି ଆରମ୍ଭ ହେବାକୁ ଥିବାବେଳେ ଏହାର ଗୋଟିଏ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ 8ଟା ବେଳେ ହିଁ ଧାଡି ବାନ୍ଧିବା ପାଇଁ ଦର୍ଶକଙ୍କୁ ଅନୁମତି ଦିଆଯିବ । ସ୍ପେସାଲ ଏନ୍କ୍ଲୋଜର, ଏସି ଗ୍ୟାଲେରି, ନ୍ୟୁ ପାଭିଲିୟନ ଓ କର୍ପୋରେଟ ବକ୍ସ ଭଳି ଟିକେଟକୁ ହର୍ସ ଗେଟ କାଉଣ୍ଟରରେ ବିକ୍ରି ହେବାକୁ ଥିବାବେଳେ କିଲଖାନା ଲେନ ଅନ୍ୟ ସମସ୍ତ ଗ୍ୟାଲେରୀ ଟିକେଟକୁ ବିକ୍ରି କରାଯିବ ।
କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସମୀକ୍ଷା ବୈଠକ:
ପ୍ରଥମ ଥର ପାଇଁ ମହିଳା ଦର୍ଶକଙ୍କ ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି । ବାରବାଟୀରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ପାଇଁ 5ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପ୍ରାୟ 25 ହଜାର ଗାଡି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଉଛି । ଏହା ବ୍ୟତୀତ ଦର୍ଶକଙ୍କୁ ବିକ୍ରି ହେବାକୁ ଥିବା ଖାଦ୍ୟକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରାଯିବ ଏବଂ ଖାଦ୍ୟର ମାନ ପାଇଁ 5 ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ଆଜି (ମଙ୍ଗଳବାର) କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ତେବେ କେନ୍ଦ୍ରାଞ୍ଚଳ ଆରଡିସି ବି.ପରମେଶ୍ବରନଙ୍କ ସଭାପତିତ୍ବରେ ହୋଇଥିବା ବୈଠକରେ କଟକ ଜିଲ୍ଲାପାଳ, କଟକ ଡିସିପି, ଅତିରିକ୍ତ ପୋଲିସ କମିଶନର ଓ ଓସିଏ ପଦାଧିକାରୀ ଯୋଗ ଦେଇ ମ୍ୟାଚ୍ ସୁପରିଚାଳନା ନେଇ ଆଲୋଚନା କରିଛନ୍ତି ।
ଲାଇନରେ ଆସି ଟିକଟ ନିଅନ୍ତୁ:
କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି," ଟିକେଟ ବୁକିଂ ପାଇଁ ଆମର ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ଡିସିପି ସାର୍ ମଧ୍ୟ ସବୁ ତଦାରଖ କରିଛନ୍ତି । ଚଳିତ ଥର ୩ଟି ଲାଇନ କରାଯାଇଛି । ଦୁଇଟି ପୁରୁଷ ଏବଂ ଗୋଟିଏ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲୋକଙ୍କୁ ଅନୁରୋଧ କରାଯାଉଛି ଲାଇନରେ ଆସି ଟିକଟ ନେବେ ।"
ଇଟିଭି ଭାରତ, କଟକ