ଭୁବନେଶ୍ବର: ଶିଳ୍ପପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି । ଘରେ ପଶି ସୁନା ଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । CCTVରେ କଏଦ ହେଲା ଚୋରି ବେଳର ଦୃଶ୍ୟ । ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଆଇ.ଆର.ସି ଭିଲେଜ-N 2/29 ବାସଭବନରୁ ଗତକାଲି ରାତିରେ ଚୋରି ହୋଇଛି । ବିଳମ୍ବିତ ରାତିରେ ନିରଞ୍ଜନଙ୍କ ଘରେ ପଶି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନକଦ ଟଙ୍କା ଚୋରି କରି ନେଇଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ କରାଯାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିରଞ୍ଜନଙ୍କ ସହ ଫୋନରେ କଥା ହୋଇ ଘଟଣା ସମ୍ପର୍କରେ ଅବଗତ ହେବା ସହ ଭୁବନେଶ୍ବର ଡିସିପି ପିନାକ ମିଶ୍ର ମଧ୍ୟ ନିରଞ୍ଜନଙ୍କ ଘରେ ପହଞ୍ଚିଛନ୍ତି ।
- ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି :
ସୂଚନା ଅନୁସାରେ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ନୟାପାଲ୍ଲୀ ସ୍ଥିତ ଆଇ.ଆର.ସି ଭିଲେଜ-N 2/29 ବାସଭବନରୁ ଗତଲ ରାତି ପ୍ରାୟ ୨ଟା ୪୦ ସମୟେର ଲୁଟ ହୋଇଛି । ଉପର ମହଲା ରହୁଥିବା ତାଙ୍କ ପୁଅ ବୋହୁଙ୍କ ଘରୁ ଲୁଟ୍ ହୋଇଛି । ସିସିଟିଭିରେ ଚୋରର ଗତିବିଧି କଏଦ ହୋଇଛି । ଚୋର ପାଚେରୀ ଡେଇଁ ଘରେ ପଶିଥିଲା । ଘରର ଭିତର ସିସିଟିଭିକୁ ବୁଲେଇ ଦେଇଛି ଚୋର । ଯୋଜନା ମୁତାବକ ଚୋରି ହୋଇଥିବା ସନ୍ଦେହ କରାଯାଉଛି । ଚୋରମାନେ ତାଙ୍କ ଘରୁ ବହୁ ମୂଲ୍ୟବାନ ଅଳଙ୍କାର ସହିତ ନଗଦ ଟଙ୍କା ଚୋରି କରିଥିବାର ନିରଞ୍ଜନ ଅଭିଯୋଗ କରିଛନ୍ତି । ପରେ ତାଙ୍କ ଘରେ ପୋଲିସ ଡ଼ଗ ସ୍କ୍ୱାର୍ଡ ସହ ପହଞ୍ଚି ଅନୁସନ୍ଧାନରେ ଲାଗିପଡିଛି । ଚୋରକୁ ଧରିବା ପାଇଁ ପୋଲିସ ଛାନଭିନ୍ ଚଳାଇଛି ।
ଏହା ମଧ୍ୟ ପଢନ୍ତୁ... ସୁନା ଦୋକାନରୁ ଲୁଟ୍ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ |
- ଅଭ୍ୟାସଗତ ଚୋର ହୋଇଥିବା ସନ୍ଦେହ:
ଏନେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି," ଦ୍ୱିତୀୟ ମହଲାରେ ମୋର ବଡ଼ ପୁଅ, ବୋହୂ ଓ ମୋର ୨ ପୁଅ ରୁହନ୍ତି । ସେହି ଘରେ ଚୋରି ହୋଇଛି । ଚୋରମାନେ ବିଳମ୍ବିତ ରାତି ପ୍ରାୟ ୨ଟା ୪୦ ସମୟରେ ଘରେ ପଶିଥିଲେ । ଯେଉଁ ଚୋର ଚୋରି କରିଛି ସେ ପ୍ରଫେସନାଲ ଚୋର । ଚୋରଟି ହାତରେ ଗ୍ଲୋବ ପିନ୍ଧିଥିଲା ଓ ମୁହଁରେ କଳାପଟି ବନ୍ଧା ହୋଇଥିଲା । ପିଲାମାନେ ଘରେ ଉପସ୍ଥିତ ନଥିଲେ । ଚୋର ସୁନା ଗହଣା ସହ ଟଙ୍କା ପଇସା ନେଇ ଫେରାର ହୋଇଯାଇଛି । ଦୁଃଖ ଲାଗୁଛି ଯେ, ଭୁବନେଶ୍ବରରେ ଏବେ ପ୍ରଫେସନାଲ ଚୋର ଭର୍ତ୍ତି ହୋଇଗଲେଣି । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଭୁବନେଶ୍ବରରେ କାଠିକର ପାଠ ହୋଇଗଲାଣି ।’’
- ଫୋନ କରି ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ
ନିରଞ୍ଜନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଟେଲିଫୋନ ଯୋଗେ ନିରଞ୍ଜନଙ୍କ ସହ କଥା ହୋଇ ଘଟଣାସମ୍ପର୍କରେ ଅବଗତ ହୋଇଛନ୍ତି । ସେପଟେ ନିରଞ୍ଜନଙ୍କ ବାସଭବନରେ ଭୁବନେଶ୍ବର ଡିସିପି ପିନାକ ମିଶ୍ର ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର