ଭୁବନେଶ୍ବର: ବିଜୁ ଜନତା ଦଳର ସମସ୍ତ ଛାମୁଆ ସଂଗଠନକୁ ଭଙ୍ଗ କରିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ବିଜେଡିର ଯୁବ, ମହିଳା, ଛାତ୍ର, ଶ୍ରମିକ ସାମୁଖ୍ୟ ଏବଂ ଲିଗାଲ ସେଲକୁ ଭଙ୍ଗ କରାଯାଇଛି । ଦଳର ସାଙ୍ଗଠନିକ ନିର୍ବାଚନ ପୂର୍ବରୁ ସମସ୍ତ ଛାମୁଆ ସଂଗଠନ ଭଙ୍ଗ କରାଯାଉଥିବା ଦଳର ସଭାପତି ନବୀନଙ୍କ ଦସ୍ତଖତରେ ଏକ ଦଳୀୟ ବିଜ୍ଞପ୍ତି ପ୍ରକାଶ ପାଇଛି ।
- ଆରମ୍ଭ ହୋଇସାରିଛି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା
ଅନ୍ୟପଟେ ଦଳର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବରିଷ୍ଠ ନେତା ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ଦାୟିତ୍ବରେ ଥିବା ପ୍ରତପ ଦେବ ଏହି ଦଳୀୟ ନିର୍ବାଚନ ପରିଚାଳନା କରିବେ । ଏଥିପାଇଁ ତାଙ୍କୁ ଦଳ ପକ୍ଷରୁ ନିର୍ବାଚନ ଅଧିକାରୀ ନିୟୋଜିତ କରାଯାଇଛି । ସମସ୍ତ ଜିଲ୍ଲା ସଭାପତି ନିର୍ବାଚିତ ହେବା ପରେ ରାଜ୍ୟ ସଭାପତି ନିର୍ବାଚିତ ହେବେ । ମାତ୍ରେ ନବୀନ ପୁଣି ଥରେ ସଭାପତି ପଦ ବଜାୟ ରଖିବା ପ୍ରାୟ ସ୍ପଷ୍ଟ, ଏବଂ ଦଳରେ ନବୀନଙ୍କ ବିକଳ୍ପ ନାହିଁ ବୋଲି ମଧ୍ୟ ଏକାଧିକ ବରିଷ୍ଠ ବିଜେଡି ନେତା ପୂର୍ବରୁ ପରୋକ୍ଷରେ କହିସାରିଛନ୍ତି । ତେବେ ନବୀନ ଯଦି ପୁଣି ସଭାପତି ହୁଅନ୍ତି, ତେବେ ସେ 9ମ ଥର ଏହି ଆସନ ଅଳଂକୃତ କରିବେ ।
ଏହା ମଧ୍ୟ ପଢନ୍ତୁ : ନୀତି ଆୟୋଗ ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କରେ ଓଡ଼ିଶା ପ୍ରଥମ, ନବୀନଙ୍କ ସୁଶାସନକୁ ଶ୍ରେୟ ଦେଲା BJD |
- ଶେଷଥର 20 ରେ ହୋଇଥିଲା ନିର୍ବାଚନ
ବିଜେଡି ଦଳର ଦଳୀୟ ସମ୍ବିଧାନ ଅନୁଯାୟୀ ପ୍ରତି ଦୁଇ ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହେବା କଥା । ହେଲେ ଶେଷଥର ପାଇଁ ୨୦୨୦ରେ ଦଳୀୟ ନିର୍ବାଚନ ହୋଇଥିଲା । କୋଭିଡ ମହାମାରୀ ପାଇଁ ୨୦୨୨ରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ବିଜେଡି ସାଙ୍ଗଠନିକ ନିର୍ବାଚନ ପାଇଁ ପୂର୍ବରୁ ପ୍ରତାପ ଦେବ ଦୁଇ ଦୁଇ ଥର ଦାଇତ୍ୱ ନିଭାଇଛନ୍ତି । ଏବେ ଦଳ କ୍ଷମତାରୁ ହଟିବା ପରେ ପ୍ରଥମ ଥର ସାଙ୍ଗଠନିକ ନିର୍ବାଚନ ହେଉଛି । ସଭାପତି ପଦ ଯଦି ନବୀନ ବଜାୟ ରଖନ୍ତି, ତେବେ ଅନ୍ୟ କେଉଁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀ କେଉଁ ନେତାଙ୍କୁ ଯିବ, ତାହା ଉପରେ ନଜର ରହିଛି । ଏହାରି ମଧ୍ୟରେ ବିଜେଡିର କିଛି ନେତା ମେଳି ବାନ୍ଧିବା ଆରମ୍ଭ କଲେଣି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କିଛି ବରିଷ୍ଟ ନେତା ପ୍ରସନ୍ନ ଆଚାର୍ଯ୍ଯଙ୍କ ଘରେ ଓ କିଛି ଯୁବ ନେତା ଦେବାଶିଷ ସାମନ୍ତରାୟଙ୍କ ଘରେ ନିକଟରେ ମେଳି କରିଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର