ଭୁବନେଶ୍ବର:ବାତ୍ୟା ଦାନା ପ୍ରଭାବରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଭଦ୍ରକ ଜିଲ୍ଲା । କେନ୍ଦ୍ରାପଡା, ବାଲେଶ୍ଵର, ଜଗତସିଂହପୁର, ଯାଜପୁର, କେନ୍ଦୁଝର ଜିଲ୍ଲାରେ ହୋଇଛି କ୍ଷୟକ୍ଷତି । 7 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ରବିବାରରୁ ଆରମ୍ଭ ହେବ ଆକଳନ ପ୍ରକ୍ରିୟା । ଘର ଭଙ୍ଗା ଆକଳନ କରିବେ ରାଜସ୍ୱ ବିଭାଗ ଅଧିକାରୀ । ଅନ୍ୟ କ୍ଷୟକ୍ଷତିର ଆକଳନ କରିବେ କୃଷି, ସମବାୟ, ପରିସଂଖ୍ୟାନ ଓ ବିଭାଗ । ସ୍ୱଳ୍ପ ଭାଙ୍ଗିଥିବା ଘରର ତୁରନ୍ତ ମରାମତି । ସମ୍ପୂର୍ଣ୍ଣ ଭାଙ୍ଗିଥିବା ପରିବାରକୁ ମିଳିବ ନୂଆ ଘର । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
DANA LANDFALL LIVE UPDATES: ଦୁର୍ବଳ ହେଲା 'ଦାନା', ଭଦ୍ରକରେ ସର୍ବାଧିକ କ୍ଷତି, ବାତ୍ୟା ଅଞ୍ଚଳ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ - DANA LANDFALL
Published : Oct 25, 2024, 6:41 AM IST
|Updated : Oct 25, 2024, 1:22 PM IST
କେନ୍ଦ୍ରାପଡା: ଉଗ୍ରରୂପ ଧାରଣ କରି ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ କରିଛି ବାତ୍ୟା 'ଦାନା' । ଭିତରକନିକାର ହାବେଳିଖାଟି ନେଚର କ୍ୟାମ୍ପରେ ସ୍ଥଳଭାଗ ଛୁଇଁଥିବା ବେଳେ ଏବେବି ଲ୍ୟାଣ୍ଡଫଲ ପକ୍ରିୟା ଜାରି ରହିଛି । ସ୍ଥଳଭାଗକୁ ପ୍ରବେଶ କରିବା ସମୟରେ ପବନର ବେଗ 100ରୁ 110 କିଲୋମିଟର ରହିଥିଲା । ଏବେବି ପବନର ବେଗ ଘଣ୍ଟାପ୍ରତି ସମାନ ରହିଛି । କେନ୍ଦ୍ରାପଡାରେ ତୁହାକୁ କୁହା ବର୍ଷା ଜାରି ରହିଛି । ସମୁଦ୍ରରେ 10 ଫୁଟ ଉପରକୁ ଜୁଆର ଉଠୁଛି । କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଓ ବାଲେଶ୍ବରରେ ବ୍ୟାପକ କ୍ଷୟକ୍ଷତି ।
LIVE FEED
ବାତ୍ୟା ଦାନାରେ ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ଭଦ୍ରକ
ଆସନ୍ତାକାଲି ବାତ୍ୟା ଅଞ୍ଚଳ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ
ଆସନ୍ତାକାଲି ବାତ୍ୟା ଅଞ୍ଚଳ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶ ମାର୍ଗରୁ କରିପାରନ୍ତି ପରିଦର୍ଶନ । ପୂର୍ବାହ୍ନ 10ରେ ରହିଛି କାର୍ଯ୍ୟକ୍ରମ ରହିଥିବା କୁହା ଯାଉଛି । କିନ୍ତୁ ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଆଜି ବାତ୍ୟା ପରର ସ୍ଥିତି ସମୀକ୍ଷା କରିଥିଲେ ସିଏମ୍ । ବାତ୍ୟା ଦାନାରେ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବାତିଲ୍ ଟ୍ରେନ୍ ଛଡ଼ା ଅନ୍ୟ ଟ୍ରେନ୍ ସେବା ଆରମ୍ଭ
ସରିଲା 'ଦାନା'ର ତାଣ୍ଡବ । ସଚଳ ହେଲା ଟ୍ରେନ ସେବା । ବାତିଲ୍ ଟ୍ରେନ୍ ଛଡ଼ା ଅନ୍ୟ ଟ୍ରେନ୍ ସେବା ଆରମ୍ଭ ହୋଇଯାଇଛି । ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ଜାରି ସୂଚନା ଦିଆୟାଇଛି ।ବିଶାଖାପାଟଣା ପଟୁ ଡାଉନ୍ ଟ୍ରେନ ଭୁବନେଶ୍ବର ଓ ହାଓ୍ୱଡ଼ା ଚାଲିଲାଣି । ଖଡଗପୁର ପଟୁ ବିଶାଖାପାଟଣା ଅପ ଟ୍ରେନ୍ 2ଟା ସମୟରେ ଭଦ୍ରକ ପହଞ୍ଚିବ ।
ଦୁର୍ବଳ ହେଲା ବାତ୍ୟା 'ଦାନା'
ଭୁବନେଶ୍ବର: ପାଖାପାଖି ୯ ଘଣ୍ଟା ପରେ ଶେଷ ହେଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ ପକ୍ରିୟା । ସ୍ଥଳ ଭାଗ ଅତିକ୍ରମ ପ୍ରକ୍ରିୟା ଶେଷ ହେବା ସହ ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । କେନ୍ଦ୍ରାପଡା ପରେ ଭଦ୍ରକ, କେନ୍ଦୁଝରର ଆନନ୍ଦପୁର ଏବଂ ଅନୁଗୁଳ ଜିଲ୍ଲାରେ ଶେଷ ଆଡକୁ ଗତି କରି ଦୁର୍ବଳ ହୋଇଛି ବାତ୍ୟା ଦାନା । ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ବାତ୍ୟା ସଂପର୍କିତ ଅପଡେଟ ସୂଚନା । ଗତକାଲି(୨୪ ତାରିଖ) ରାତି ୧ଟା ୩୦ ମିନିଟରୁ ଆରମ୍ଭ ହୋଇଥିଲା 'ଦାନା'ର ଲ୍ୟାଣ୍ଡଫଲ ପ୍ରକ୍ରିୟା । କେନ୍ଦ୍ରାପଡ଼ା ହାବେଳିଖଟିରେ ସ୍ଥଳଭାଗ ଛୁଇଁଥିଲା ଦାନା । ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ବାଲେଶ୍ବର ଏବଂ ଭଦ୍ରକ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୁକାବିଲାକୁ ବଡ଼ ସଫଳତା ବୋଲି କହିଛନ୍ତି ।
ଆଶାକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ବର: ଭଦ୍ରକରୁ କେନ୍ଦୁଝରର ଆନନ୍ଦପୁର ଓ ଅନୁଗୁଳ ଶେଷ ଆଡକୁ ଗତି କରିବ ବାତ୍ୟା । ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜରେ ବର୍ଷା ହେଉଛି । ମୋବାଇଲ ନେଟୱର୍କ ଓ ବିଦ୍ୟୁତ ସଂଯୋଗ ସଠିକ ଅଛି । ବାତ୍ୟା ଜନିତ ମୃତାହତ ହୋଇନାହିଁ । ଲୋକ ମାନେ ନିଜ ଘରକୁ ଫେରିବା ଆରମ୍ଭ କଲେଣି । କେନ୍ଦ୍ରାପଡ଼ା ତାଳଚୁଆ ଗ୍ରାମର ଆଶା କର୍ମୀ ବୁଢ଼ୀ ମା'ଙ୍କୁ ଆଣି ରିଲିଫ ସେଣ୍ଟରରେ ପହଞ୍ଚାଇବା ଉଦ୍ୟମକୁ ପ୍ରଶଂସା କକରିଛନ୍ତି ମୁଖ୍ୟମନ୍ତ୍ରୀ । ଗଣ ମାଧ୍ୟମ ମଧ୍ୟ ପ୍ରଶଂସାର ପାତ୍ର ବୋଲି କହିଛନ୍ତି ସିଏମ୍ |
ଜିରୋ କାଜୁଆଲିଟ ସଫଳତା ହୋଇଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବାତ୍ୟା ପରର ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି, ''ବାତ୍ୟା ଦାନାରେ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିରୋ କାଜୁଆଲିଟ ସଫଳତା ହୋଇଛି । ପ୍ରଶାସନିକ ତତ୍ପରତା ଯୋଗୁ ଏହା ସଫଳ ମୁକାବିଲା ହୋଇଛି । ରାସ୍ତା ଅବରୋଧ ସହ ବିଦ୍ୟୁତ ତାର ଚିଡ଼ିଛି ସେଠି କାମ ଆରମ୍ଭ ହୋଇଛି । ଗଛ ପଡ଼ିଥିବା ସ୍ଥାନରେ ଦିନ 1 ସୁଦ୍ଧା ଗଛ ହଟାଯିବ ରାସ୍ତା ସଫା କରାଯିବ । ସନ୍ଧ୍ୟା ଭିତରେ ସବୁ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହେବ । ସକାଳ 9 ଟାରେ ବିମାନ ଅବତରଣ କରିଛି । ଗର୍ଭବତୀ ମହିଳା ସୁରକ୍ଷିତ ଅଛନ୍ତି । ପ୍ରସବ ଅପେକ୍ଷାରେ ଥିବା ମା'ମାନେ 1600 ରୁ ଅଧିକ ନବଜାତ ଶିଶୁ ଜନ୍ମ ଦେଇଛନ୍ତି ।'' ଜନ ସାଧାରଣ, ପ୍ରଶାସନିକ ଅଧିକାରି, ଡାକ୍ତର, ଅଗ୍ନିଶମ ବାହିନୀ ଓ ବାତ୍ୟା ମୁକାବିଲାରେ ସାମିଲ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଥମିଲା ବାତ୍ୟା ଦାନା, ସଚଳ ହେଲା ବିମାନ ସେବା
ଭୁବନେଶ୍ବର: ବାତ୍ୟା ଦାନା ଯୋଗୁ ବନ୍ଦ ଥିବା ବିମାନ ସେବା ଆଜି ଆରମ୍ଭ ହୋଇଛି । ଗତକାଲି ୫ଟା ଠାରୁ ସକାଳ ୯ ପର୍ଯ୍ୟନ୍ତ ବନ୍ଦ ଥିଲା ସେବା । କିନ୍ତୁ ଏକ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ବିମାନ ସେବା । ଏନେଇ ସୂଚନା ଦେଇଛନ୍ତି ଏୟାର ପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ବାତ୍ୟା ପାଇଁ ୪୦ ବିମାନ ପ୍ରଭାବିତ ହୋଇଥିଲା । ବିମାନ ସେବା ବନ୍ଦ ରହିବା ଦ୍ବାରା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କୌଣସି ବିମାନ ଉଡାଣ କରିପାରିନଥିଲା କି ଅବତରଣ କରିପାରି ନଥିଲା । ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ମନ୍ତ୍ରାଣାଳୟ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିଲେ ।
ବାତ୍ୟା ପରର ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସକାଳୁ ସକାଳୁ ବାତ୍ୟା ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । SRCଙ୍କ କାର୍ଯ୍ୟାଳରେ ପହଞ୍ଚି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ପରର ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ରାଜସ୍ବ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ରହିଛନ୍ତି ।
ବଗପାଟିଆରେ ପଶିଲା ସମୁଦ୍ର ପାଣି
କେନ୍ଦ୍ରାପଡା: ହାବେଳିଖଟିରେ ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ଦାନା। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ସାତଭାୟା ନିକଟ ଏହି ସ୍ଥାନରେ ଦାନା ଲ୍ୟାଣ୍ଡଫଲ କରିଥିବା ବେଳେ କ୍ଷତିଗ୍ରସ୍ତ ହୋଇଛି ରାଜନଗର ବ୍ଲକର ୧୮ଟି ପଞ୍ଚାୟତ। ବଗପାଟିଆରେ ପଶିଲା ସମୁଦ୍ର ଜୁଆର ପାଣି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ସାତଭାୟାରୁ ଆସି ବଗପାଟିଆରେ ଥଇଥାନ ହୋଇଥିବା ବ୍ୟକ୍ତିମାନଙ୍କର ଦୁଃଖ ଦ୍ବିଗୁଣିତ ହୋଇଛି। ମଗରକନ୍ଦା ଗାଁ ଓ ସାତଭାୟା ଗାଁରୁ ଥଇଥାନ ହୋଇ ଥିଲା ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆ। ଗତକାଲି ମଧ୍ୟରାତ୍ରରେ ବାତ୍ୟା ଦାନା ପ୍ରଭାବରେ ବଗପାଟିଆରେ ସମୁଦ୍ର ପାଣି ପଶିବାରୁ ଥଇଥାନ ସ୍ଥଳୀର ୫୭୧ ପରିବାର ଏବେ ପାଣି ଘେରରେ ।
ବାତ୍ୟା ଦାନାକୁ ନେଇ ଖୋର୍ଦ୍ଧାରେ ବ୍ୟାପକ ପ୍ରସ୍ତୁତି
ଖୋର୍ଦ୍ଧା:ବାତ୍ୟା ଦାନାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତଳିଆ ଅଞ୍ଚଳରେ ବସବାସ କରୁଥିବା ୮୫୨ ଜଣ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା , ଜଟଣୀ , ଟାଙ୍ଗୀ , ବେଗୁନିଆ , ଚିଲିକା ଏବଂ ବାଲିଅନ୍ତା ବ୍ଳକରେ ଗୋଟିଏ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ ମୁତୟନ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ୧୭୨ ଆସନ୍ନ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ୮ ଜଣ ପ୍ରସବକାଳୀନ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଚିଲିକା ତଟବର୍ତ୍ତୀ ବାଲୁଗାଁ ଏନଏସି ଅନ୍ତର୍ଗତ ୧ , ୨ ଓ ୩ ନମ୍ବର ୱାର୍ଡର ୧୮ ଜଣ ବିପନ୍ନଙ୍କୁ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା ବ୍ଳକର ୪୦୫ , ବାଲିଅନ୍ତା ବ୍ଳକର ୪୦୫, ବେଗୁନିଆ ବ୍ଲକର ୨୨ ଏବଂ ବାଣପୁର ବ୍ଳକର ୨୦ ଜଣ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାବ୍ୟାପୀ ୯୩ ତଳିଆ ଅଞ୍ଚଳ ଚିହ୍ନଟ କରାଯାଇଥିବା ବେଳେ ୫୦ ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀ ସହ ୩୭୯ ଗୋଟି ଅସ୍ଥାୟୀ ଆଶ୍ରୟ ସ୍ଥଳୀ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇ ପ୍ରସ୍ତୁତ ଅଛି ।
ଯାଜପୁରରେ ବାତ୍ୟାର ପ୍ରଭାବ
ଯାଜପୁର: ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ଯାଜପୁରରେ ସାମାନ୍ୟ ବର୍ଷା ହୋଇଛି । କିଛି ସ୍ଥାନରେ ଗଛ ମଧ୍ୟ ଉପୁଡି ପଡିଛି । ଗତକାଲି ଠାରୁ ବାତ୍ୟାର ପ୍ରଭାବରେ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ 614ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଥିବା ବେଳେ ରାତି ସୁଦ୍ଧା 33 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାସ୍ତର କରାଯାଇଛି ।
କେନ୍ଦ୍ରାପଡା ଓ ଭଦ୍ରକରେ ବ୍ୟାପକ କ୍ଷୟକ୍ଷତି
କେନ୍ଦ୍ରାପଡା: ଲ୍ୟାଣ୍ଡଫଲ ସମୟରେ କ୍ଷତି ଘଟାଇଲା ଦାନା । କେନ୍ଦ୍ରାପଡା ଓ ଭଦ୍ରକରେ ବ୍ୟାପକ କ୍ଷୟକ୍ଷତି । ଗଛ ଉପୁଡିବା ସହ ଅଶାନ୍ତ ହେଲା ସମୁଦ୍ର । ଭିତରକନିକା ଆଡକୁ ମାଡି ଆସିଲା ସମୁଦ୍ର । ପବନର ବେଗରେ ଗଛ ଭାଙ୍ଗିବା ସହ ଉଡିଲା ଘରର ଆଜିବେଷ୍ଟ ।
ଉପକୂଳ ଓଡ଼ିଶାରେ ଛେଚୁଛି ବର୍ଷା
ଲ୍ୟାଣ୍ଡଫଲ ସମୟରେ ଉପକୂଳ ଓଡିଶାରେ ବର୍ଷା ସାଙ୍ଗକୁ ସୁସୁ ପବନ ବହିଥିଲା । ତାହା ଏବେ ମଧ୍ୟ ଜାରି ରହିଛି । ବାଲେଶ୍ୱର 42.8, ଚାନ୍ଦବାଲି 131.6 ଓ ପାରାଦ୍ବୀପରେ 58.3, ଭୁବନେଶ୍ୱର 19.4 ଓ ପୁରୀରେ 18.4 ମିମି ବର୍ଷା ରେକର୍ଡ କରାଯାଇଛି ।
ଉତ୍ତର-ଉତ୍ତର-ପଶ୍ଚିମକୁ ଗତି କରୁଛି ଦାନା
ଭୁବନେଶ୍ବର: ହାବେଳିଖାଟି ନେଚର କ୍ୟାମ୍ପରେ ଲ୍ୟାଣ୍ଡଫଲ ପରେ ଏବେ ଉତ୍ତର-ଉତ୍ତର-ପଶ୍ଚିମକୁ ଗତି କରୁଛି ଦାନା । ଘଣ୍ଟାପ୍ରତି 12 କିମି ବେଗରେ ଗତି କରିବା ସହ ଧାମରା ଠାରୁ ଉତ୍ତରରେ 15 କିମି ଓ ହାବେଳିଖାଟି ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ରହିଛି। ଏବେ ବି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଘଣ୍ଟେ ରୁ 2 ଘଣ୍ଟା ଆହୁରି ପ୍ରକ୍ରିୟା ଜାରି ରହିଛି । ପଶ୍ଚିମ-ଉତ୍ତର-ପଶ୍ଚିମକୁ ଗତି କରି ବାତ୍ୟା ଧିରେ ଧିରେ ଦୁର୍ବଳ ହେବା ନେଇ ସମ୍ଭାବନା ରହିଛି ।