ବରଗଡ: ମନରେଗା ଯୋଜନାରେ ଅନିୟମିତତା । କାମ କରି ପ୍ରାପ୍ୟ ପାଇଲେନି ଶ୍ରମିକ । ଶ୍ରମିକଙ୍କ ଟଙ୍କା ହଡପ କରାଯାଇଥିବା ଅଭିଯୋଗ । ମନରେଗା ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକରୁ । ଯାହାର ପ୍ରତିବାଦରେ ଶ୍ରମିକମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏଥିସହ ଦାବିପତ୍ର ପ୍ରଦାନ କରିଛନ୍ତି ।
ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକରେ ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଶତାଧିକ ଶ୍ରମିକଙ୍କୁ ମଜୁରୀ ପ୍ରଦାନ ନକରି ତାଙ୍କର ପାରିଶ୍ରମିକ ଅର୍ଥକୁ ହଡପ କରାଯାଇଥିବା ଅଭିଯୋଗ ଆସିଛି । ସେହିପରି ରାଜ୍ୟ ସରକାରଙ୍କ ଫାର୍ମ ଫଣ୍ଡ ଯୋଜନା ଦ୍ବାରା ଗାଇସିଲେଟ ବ୍ଲକରେ ପୋଖରୀ ଖନନ ପାଇଁ ୱାଟରସେଡ ଡିପାର୍ଟମେଣ୍ଟ ପକ୍ଷରୁ ଅନୁମୋଦନ କରାଯାଇଥିଲା । ହିତାଧିକାରୀ ମାନେ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରି ପୋଖରୀ ଖନନ କରିଥିବା ବେଳେ ୱାଟରସେଡ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଶ୍ରମିକ ମାନଙ୍କ ଟଙ୍କା ହଡପ କରିଦେଇଥିବା ନେଇ ଅଭିଯୋଗ ହୋଇଛି । ପୋଖରୀ ଖନନ ପାଇଁ ଦୀର୍ଘ ଦିନ ଧରି ପରିଶ୍ରମ କରିଥିବା ଅନେକ ଶ୍ରମିକ ନିଜ ନିଜର ପାରିଶ୍ରମିକ ପାଇପାରିନଥିବା ବେଳେ ହିତାଧିକାରୀ ମାନେ ମଧ୍ୟ ହାତଉଧାରୀ କରି ଅର୍ଥ ଲଗାଇ ପୋଖରୀ ଖନନ କାର୍ଯ୍ୟରେ ଖର୍ଚ୍ଚ କରିଦେଇଛନ୍ତି ମାତ୍ର ସେମାନଙ୍କୁ ମଧ୍ୟ ସରକାରଙ୍କ ଯୋଜନା ମୁତାବକ ରହିଥିବା ସବସିଡି ପଇସା ମିଳିପାରିନାହିଁ । ତେବେ ଏହାକୁ ନେଇ ବରଗଡ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଅଭିଯୋଗ ଜଣାଇଛନ୍ତି ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସପଦର, ଗୌରେନମୁଣ୍ଡା, ଭାଙ୍ଗମୁଣ୍ଡା ଏବଂ ଆଖପାଖ ଗ୍ରାମର ଶ୍ରମିକ ମାନେ ।