ବିଶାଖାପଟଣା: ଇଂଲଣ୍ଡ ଓ ଭାରତ ମଧ୍ୟରେ ଶୁକ୍ରବାର ବିଶାଖାପାଟଣା ଆରମ୍ଭ ହୋଇଛି ୨ୟ ଟେଷ୍ଟ ମ୍ୟାଚ୍ । ୫ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦ ଠାରେ ଭାରତ ହାରିଯାଇଥିଲା । ଆଉ ତୁରନ୍ତ ୨ୟ ଟେଷ୍ଟ ଆରମ୍ଭ ହେବାମାତ୍ରେ ହିଁ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି ଯୁବ ତାରକା ବ୍ୟାଟର ଯଶସ୍ବୀ ଜୟସ୍ବାଲ । ପ୍ରଥମ ଦିନରେ ଇଂଲଣ୍ଡ ବୋଲରଙ୍କ ଲାଇନ ଲେନ୍ଥ୍ ବିଗାଡ଼ି ଶତକ ହାସଲ କରିଛନ୍ତି । ଏହା ଜୟସ୍ବାଲଙ୍କ ଟେଷ୍ଟ କ୍ୟାରିୟରର ଦ୍ବିତୀୟ ଶତକ ହୋଇଥିବାବେଳେ ଏହି ଯୁବ ବ୍ୟାଟରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ବହୁ ପୂର୍ବତନ କ୍ରିକେଟର ।
ଏମିତି ଆରମ୍ଭ ହୋଇଥିଲା ପାଳି: ବିଶାଖାପଟନମର ଡଃ ୱାଇଏସ୍ ରାଜଶେଖର ରେଡ୍ଡି କ୍ରିକେଟ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ପ୍ରଥମ ୱିକେଟ୍ ପାଇଁ ଯଶସ୍ବୀ ଜୟସ୍ବାଲ ଓ ରୋହିତ ଶର୍ମା ଦଳୀୟ ଖାତାରେ ୪୦ ରନ ଯୋଡ଼ିଥିଲେ । ଏହାପରେ ଅଧିନାୟକ ରୋହିତ କେବଳ ୧୪ ରନ କରି ଆଉଟ୍ ହୋଇଯାଇଥିଲେ । ହେଲେ ଅନ୍ୟପଟେ ଯଶସ୍ବୀ ତାଙ୍କ ଆକ୍ରାମକ ବ୍ୟାଟିଂ ଜାରି ରଖିଥିଲେ । ଏହାପରେ ଖରାପ ଫର୍ମରେ ଚାଲିଥିବା ଶୁଭମନ ଗିଲ୍ ମଧ୍ୟ ୩୪ ରନ କରି ଆଉଟ୍ ହୋଇଯାଇଥିଲେ । ତେବେ ଶ୍ରେୟସ ଆୟର ପିଚ୍ରେ ମହଜୁଦ ଥିବାବେଳେ ୯୪ ବ୍ୟକ୍ତିଗତ ରନରେ ଥିବା ଜୟସ୍ବାଲ ଛକା ମାରି ବିସ୍ଫୋରକ ଅନ୍ଦାଜରେ ଶତକ ହାସଲ କରିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨ୟ ଶତକ ଥିଲା ।