କଟକ: ଆସନ୍ତା ୯ ତାରିଖ (ରବିବାର) ଦିନ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ । ଦୀର୍ଘ ୬ ବର୍ଷ ବ୍ୟବଧାନରେ ସାଂସ୍କୃତିକ ସହର କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଦିନିକିଆ ମ୍ୟାଚ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଫ୍ୟାନ୍ସ ମଧ୍ୟ ଉତ୍ସାହିତ । ଅନଲାଇନରେ ମଧ୍ୟ ଟିକେଟ ବୁକିଂ ଆରମ୍ଭ ହୋଇଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବାରବାଟୀରେ ପହଞ୍ଚି ସମୀକ୍ଷା କରିସାରିଛନ୍ତି ।
ତେବେ ମ୍ୟାଚ କ୍ୟୁରେଟର ଡଃ ରଞ୍ଜନ ଖୁଣ୍ଟିଆଙ୍କ ସହିତ 'ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ'ରେ 'ଇଟିଭି ଭାରତ' ପ୍ରତିନିଧି ନାରାୟଣ ସାହୁ ପିଚ୍ ପ୍ରସ୍ତୁତି ଠାରୁ ଆରମ୍ଭ କରି ପିଚ୍ ଏବଂ ପଡିଆ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି ।
କେତେ ପ୍ରସ୍ତୁତ ପିଚ୍ ?
"ଏଥର ପିଚକୁ ବେଶ ଭଲ ଭାବରେ ପ୍ରସ୍ତୁତ କରାଯାଇଛି । ଦୀର୍ଘ 3 ମାସ ଧରି ପିଚ ପ୍ରସ୍ତୁତି ଚାଲିଛି । ଆଶା କରୁଛୁ ବହୁତ ଉଚ୍ଚ ମାନର ପିଚ ହେବ । ଉଭୟ ବ୍ୟାଟର ଏବଂ ବୋଲରଙ୍କୁ ସୁହାଇଲା ଭଳି ପିଚ ହେବ । ଯେଉଁମାନେ ଭଲ ଖେଳିବେ ନିଶ୍ଚିତ ସେମାନଙ୍କର ଜିତ ହେବ । ଆଶା କରୁଛୁ ଅଧିକ ରନ ହେବ ଏବଂ ଦର୍ଶକ ମାନେ ଉପଭୋଗ କରିବେ," ବୋଲି କହିଛନ୍ତି ମ୍ୟାଚ କ୍ୟୁରେଟର ରଞ୍ଜନ ଖୁଣ୍ଟିଆ ।
ଲୋସ୍କୋରିଂ ନା ହାଇସ୍କୋରିଂ-
"ଗତ ମ୍ୟାଚର ଲୋସ୍କୋରିଂ କଥା ମୁଁ କହିବାକୁ ଚାହୁଁନାହିଁ । ଏଥରର ମ୍ୟାଚ ହାଇସ୍କୋରିଂ ହେବ । ଆମେ କଳାହାଣ୍ଡିର ବ୍ଲାକ୍ ସଏଲ୍ (କଳା ମାଟି)କୁ ଆଣିଛୁ । କଳାହାଣ୍ଡି କଳା ମାଟିକୁ ଟେଷ୍ଟ କରିଛୁ । ମାଟିର ପାରାମିଟର ଚେକ୍ କରି ତାକୁ ବ୍ୟାବହାର କରିଛୁ । ସେହିଭଳି ନାଲି ପିଚ ପାଇଁ ରେଡ୍ ସଏଲ ଆମେ ମୁମ୍ବାଇରୁ ମଗେଇଛୁ । ବେଶ ଭଲ ଆମେ ଓ୍ବିକେଟ ପ୍ରସ୍ତୁତ କରିଛୁ । ଆଶା କରୁଛୁ ନିଶ୍ଚିତ ଭାବେ ଖେଳ ଭଲ ହେବ । ହାଇସ୍କୋରିଂ ମ୍ୟାଚ ହେବ," ବୋଲି କହିଛନ୍ତି ରଞ୍ଜନ ଖୁଣ୍ଟିଆ ।
କୁହୁଡି ସମସ୍ୟା ହେବ ବି-
"କୁକୁଡି ସମସ୍ୟା ମ୍ୟାଚରେ ହେବ ନାହିଁ । କାରଣ ମ୍ୟାଚର 3 ଦିନ ପୂର୍ବରୁ ଆମେ ଆଣ୍ଟି ଡ୍ୟୁ କେମିକାଲ ପ୍ରୟୋଗ କରିବୁ । ତା ସହିତ ସୁପର ସପର୍ ବ୍ୟବହାର ହେବ ଅମ୍ପେୟାରଙ୍କ ନିର୍ଦ୍ଦେଶ ମୁତାବକ," ବୋଲି କହିଛନ୍ତି ରଞ୍ଜନ ଖୁଣ୍ଟିଆ ।
ଟସ୍ କେତେ ଗୁରୁତ୍ୱପୂର୍ଣ୍ଣ-
"ଉଭୟ ଟିମ ପାଇଁ ଟସ୍ ଗୁରୁତ୍ୱପୂର୍ଣ୍ଣ । ତେବେ କ୍ୟୁରେଟରଙ୍କ ମତରେ ଟସ ଗୁରୁତ୍ୱପୂର୍ଣ୍ଣ ରହିବ ନାହିଁ । ଯିଏ ଭଲ ଖେଳିବ ସିଏ ମ୍ୟାଚ ଜିତିବ," ବୋଲି କହିଛନ୍ତି କ୍ୟୁରେଟର ।
ପ୍ରଥମ ବ୍ୟାଟିଂ ଫାଇଦା ଦେବ କି - "ପିଚକୁ ଆମେ ସମାନ ଭାବେ ନିର୍ମାଣ କରିଛୁ । ଗୋଟିଏ ପଟର ବ୍ୟାଟିଂରେ ପିଚ୍ ଖରାପ ହେବ ନାହିଁ କି ପଛ ବ୍ୟାଟିଂ କଲେ ସ୍କୋର କରିବା କଷ୍ଟ କର ହେବ ନାହିଁ । ବୋଲରଙ୍କ ଦକ୍ଷତା ଉପରେ ନିର୍ଭର କରେ କେତେ କମ ରନରେ ବିପକ୍ଷ ଟିମର ବ୍ୟାଟରଙ୍କୁ ଅଟକାଇପାରିବେ କମ ସ୍କୋରରେ," ବୋଲି କହିଛନ୍ତି କ୍ୟୁରେଟର ।
ଏହା ବି ପଢନ୍ତୁ- ବାରବାଟୀ ଲଢେଇ: ଅଧ ଘଣ୍ଟାରେ ସରିଗଲା ଟିକେଟ, ବୁକିଂକୁ ନେଇ ନିରାଶ ଦର୍ଶକ - INDIA VS ENGLAND ODI
ଏହା ବି ପଢନ୍ତୁ- ଇଣ୍ଡିଆ-ଇଂଲଣ୍ଡ ବାରବାଟୀ ଦିନିକିଆ, ଆଜିଠୁ ଟିକଟ୍ ବିକ୍ରି - BARABATI ODI
ପେସର ନା ସ୍ପିନର - "କିଏ କରିବେ କମାଲ- ତାହା ବର୍ତ୍ତମାନଠୁ କହି ହେବନି । ଆମେ ଫ୍ରେଣ୍ଡଲୀ ଓ୍ବିକେଟ ବନେଇଛୁ । ଉଭୟ ବୋଲର ଏବଂ ସ୍ପିନରଙ୍କୁ ସୁହାଇବ," ବୋଲି କହିଛନ୍ତି କ୍ୟୁରେଟର ।
କେତେ ସ୍କୋର ହେବ- "ଆମେ ଆଶା କରୁଛୁ ନିଶ୍ଚିତ ଭାବରେ 50 ଓଭରିଆ ମ୍ୟାଚରେ 320 ରନରୁ ଅଧିକ ସ୍କୋର ହେବ," ବୋଲି କହିଛନ୍ତି କ୍ୟୁରେଟର ।
ଆଉଟଫିଲ୍ଡ କେମିତି ରହିବ- "ଆଉଟଫିଲ୍ଡ ଭଲ ରହିବ । ନିତିଦିନିଆ ରୋଲିଂ କରାଯାଉଛି । ଚେସବୋର୍ଡ ଡିଜାଇନ ପଡିଆ ହେବ," ବୋଲି କହିଛନ୍ତି କ୍ୟୁରେଟର ।
କାହିଁକି ଚେସବୋର୍ଡ ଡିଜାଇନ- "ତେବେ ଘାସର କ୍ୱାଲିଟି ଭଲ ଥିଲେ ଚେସବୋର୍ଡ ଫିଲ୍ଡ କରାଯାଇପାରିବ । ଆମର ପଡିଆରେ ଭଲ ଘାସ ରହିଛି ତେଣୁ ଆମେ ଚେସବୋର୍ଡ ଡିଜାଇନ ହୋଇଛି ଦର୍ଶକଙ୍କ ପାଇଁ । ଏହି ଚେସବୋର୍ଡ ଡିଜାଇନ ପାଇଁ 15 ଦିନ ଲାଗିଥାଏ । ଘାସ କାଟିବା ପାଇଁ ଆମେରିକାର ମେସିନ ବ୍ୟବହାର କରୁଛୁ," ବୋଲି କହିଛନ୍ତି କ୍ୟୁରେଟର ।
ସ୍କୋରିଂ ଟେନସନ- "ଏଥର ଭଲ ଓ୍ବିକେଟ ପ୍ରସ୍ତୁତ ହୋଇଛି । ବିସିସିଆଇ ଚିଫ୍ କ୍ୟୁରେଟେରଙ୍କ ନିର୍ଦ୍ଦେଶକରେ ସବୁ ବ୍ୟବସ୍ଥା ହୋଇଛି । ଆମେ ଭଲ ଓ୍ବିକେଟ ପ୍ରସ୍ତୁତ କରିଛୁ । ବାଉଣ୍ତ୍ରୀ 75 ମିଟରରୁ 72 ମିଟର ମଧ୍ୟରେ ରହିବ," ବୋଲି କହିଛନ୍ତି କ୍ୟୁରେଟର ।