କଟକ:ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଛି ଶକ୍ତ ଝଟକା । ମହିଳା 50କେଜି ଵର୍ଗ କୁସ୍ତି ଫାଇନଲ ମ୍ୟାଚ ପୂର୍ବରୁ 100 ଗ୍ରାମ ଓଜନ ଅଧିକ ନେଇ ଫାଇନଲ ମ୍ୟାଚ ପୂର୍ବରୁ ଡିସକ୍ଵଲିଫାଏ ହୋଇ ସବୁ ଦିନ ପାଇଁ କ୍ରୀଡାକୁ ଅଲବିଦା କହିଛନ୍ତି ଭିନେଶ ଫୋଗତ । ଏନେଇ ବିଶ୍ବଠାରୁ ଆରମ୍ଭ କରି ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶା କୁସ୍ତି ସଂଘ ଓ ଅଲିମ୍ପିକ୍ସ ସଂଘ ନିଜ ମତ ରଖିଛି । ଭିନେଶଙ୍କ ଡାଏଟ ଉପରେ ନଜର ରଖୁଥିବା ଟିମ କିପରି ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଓଡ଼ିଶା କୁସ୍ତି ସଂଘ ସମ୍ପାଦକ କିଶୋର ବେହେରା । ସେପଟେ ଏହି ଘଟଣା ଯେପରି ବାକି ଖେଳାଳିଙ୍କ ମନୋବଳ ଭାଙ୍ଗି ନ ଦିଏ ସେଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ ବୋଲି କହିଛନ୍ତି ଓଡ଼ିଶା ଅଲିମ୍ପିକ୍ସ ସଂଘ ସମ୍ପାଦକ ଅଭିଜିତ ପାଲ୍ ।
100 ଗ୍ରାମ ପାଇଁ ପଦକରୁ ବଞ୍ଚିତ:
ଭାରତର ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗତ 50 କେଜି ଏକକ ମହିଳା ଫ୍ରି-ଷ୍ଟାଇଲ କୁସ୍ତି ବର୍ଗରେ ୟୁସନେଲିସ୍ ଲୋପିଜଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । କିନ୍ତୁ ତାଙ୍କ ଓଜନ ମାତ୍ର 100 ଗ୍ରାମ ବଢିଯିବା ପରେ ସେ ଫାଇନାଲ ମ୍ୟାଚରୁ ବାଦ ପଡ଼ିଛନ୍ତି । ତାଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ 2024ରୁ ଅଯୋଗ୍ୟ ଘୋଷଣା କରାଯାଇଛି । କିଏ ଏହାକୁ ଷଡ଼ଯନ୍ତ୍ର କହୁଥିବା ବେଳେ ଦେଶବ୍ୟାପୀ ଏହି ନିଷ୍ପତ୍ତିକୁ କଡ଼ା ନିନ୍ଦା କରାଯାଇଛି । ଭିନେଶଙ୍କୁ ରୌପ୍ୟ ପଦକ ଦେବାକୁ ଦାବି ହୋଇଛି । ଏହି ପ୍ରସଙ୍ଗ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଇଟିଭି ଭାରତ ସମ୍ମୁଖରେ ମତ ରଖିଛି ଓଡ଼ିଶା କୁସ୍ତି ସଂଘ ଓ ଅଲିମ୍ପିକ୍ସ ସଂଘ ।
'ମୁଁ ଜାଣିପାରୁନି କେମିତି ବଢିଗଲା ଭିନେଶଙ୍କ ଓଜନ'
ଏନେଇ ଓଡ଼ିଶା କୁସ୍ତି ସଂଘ ସମ୍ପାଦକ କିଶୋର ବେହେରା ମତ ରଖି କହିଛନ୍ତି, "ଚଳିତ ଅଲିମ୍ପିକ୍ସରେ ଭିନେଶ ଇତିହାସ ରଚିଥିଲେ । ହେଲେ ମୁଁ ବୁଝିପାରୁନି ତାଙ୍କ ଡାଏଟିସିଆନ, କୋଚ୍ ସମସ୍ତେ ଅଛନ୍ତି । ସେମାନେ କଣ ଓଜନ ଚେକ୍ କରିନଥିଲେ । ନିହାତି ଭିନେଶଙ୍କ ମନୋବଳ ଭାଙ୍ଗିଛି । କିନ୍ତୁ ସବୁରି ପରେ ଖେଳରେ ଏକ ନୀତି ନିୟମ ରହିଛି । ଭୁଲ୍ କାହାର ରହିଲା ତାଙ୍କ କୋଚ୍ ଓ ଖୋଦ ଭିନେଶ କହିପାରିବେ । ନଚେତ ତଦନ୍ତ ହେଲେ ଏ ସମ୍ପର୍କରେ ଜଣାପଡ଼ିବ ।"