ପୁରୀ: ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ । ଏହା ପୂର୍ବରୁ ଜଗା ସରଣରେ ଭାରତୀୟ କ୍ରିକେଟ ଦଳର ଖେଳାଳି । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭାରତୀୟ ଦଳର ତିନି ଯୁବ ଖେଳାଳି ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ । ମ୍ୟାଚ ପୂର୍ବରୁ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ଗତକାଲି (ଶୁକ୍ରବାର) ଭାରତୀୟ ଟିମର ସମସ୍ତ ଖେଳାଳି ଭୁବନେଶ୍ବରରେ ପହଞ୍ଚିଥିଲେ ।
ଶ୍ରୀମନ୍ଦିରରେ ଭାରତୀୟ ଖେଳାଳି:
![Team India players](https://etvbharatimages.akamaized.net/etvbharat/prod-images/08-02-2025/od-pur-jagannathdarsan-7205521_08022025094429_0802f_1738988069_693.jpg)
ଆଜି ସକାଳ ସମୟରେ କଡା ସୁରକ୍ଷା ମଧ୍ୟରେ ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ପୁରୀ ଶ୍ରୀମନ୍ଦିରେ ପହଞ୍ଚିଥିଲେ । ଏହି ତିନି ଖେଳାଳି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ପ୍ରଥମେ ସିଂହଦ୍ୱାର ଗୁମୁଟରେ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରିଥିଲେ। ପରେ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନି ଖେଳାଳିଙ୍କୁ ମହାପ୍ରଭୁଙ୍କ ବାନା ଦିଆଯାଇ ସ୍ବାଗତ କରାଯାଇଥିଲା । ଟିମ୍ ଇଣ୍ଡିଆ ବାରବାଟୀରେ ବିଜୟ ହାସଲ କରିବା ପାଈଁ ଶ୍ରୀମନ୍ଦିରରେ ବାନା ଲଗାଯିବା ନେଇ ବ୍ୟବସ୍ଥା ହୋଇଛି । ଟିମ୍ ଇଣ୍ଡିଆର କେଳାଳିଙ୍କୁ ଦେଖିବାକୁ ବଡ଼ଦାଣ୍ଡରେ କ୍ରିକେଟ ପ୍ରେମୀଙ୍କ ନାହିଁ ନଥିବା ଭିଡ ହୋଇଥିଲା । ଖେଳାଳିଙ୍କ ପାଇଁ ପୁରୀ ପୋଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଏହା ମଧ୍ୟ ପଢନ୍ତୁ-ବାରବାଟୀରେ ଦିନିକିଆ ରେକର୍ଡ: ଭାରତ ଫେବରେଟ୍, ଇଂଲଣ୍ଡର ପଲ୍ଲା ଭାରି - INDIA ENGLAND ODI MATCH
ଆଜି ବାରବାଟୀରେ ନେଟ ପ୍ରାକ୍ଟିସ :
![Team India players](https://etvbharatimages.akamaized.net/etvbharat/prod-images/08-02-2025/od-pur-jagannathdarsan-7205521_08022025094429_0802f_1738988069_737.jpg)
ଆସନ୍ତାକାଲି ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ଏତି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ମ୍ୟାଚ ଅପେକ୍ଷାରେ ରହିଛି ଷ୍ଟାଡିୟମ । ଗତକାଲି ଭୁବନେଶ୍ବରରେ ଉଭୟ ଦେଶର ଖେଳାଳି ପହଞ୍ଚିଥିଲେ । ବିମାନ ବନ୍ଦରରୁ ସ୍ୱତନ୍ତ୍ର କରିଡରରେ ତାରକା ହୋଟେଲକୁ ଆସିଥିଲେ । ସେଠାରେ ଖେଳାଳିଙ୍କ ସ୍ୱାଗତ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ଆଜି ଉଭୟ ଟିମ ନେଟ ପ୍ରାକ୍ଟିସ ପାଇଁ ବାରବାଟୀ ଷ୍ଟାଡିୟମ ଯିବେ । ତିନିଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତି, ୧-୦ ରେ ଇଂଲଣ୍ଡଠାରୁ ସିରିଜ ଆଗୁଆ ରହିଛି ।
![Team India players Visits Puri Srimandir](https://etvbharatimages.akamaized.net/etvbharat/prod-images/08-02-2025/od-pur-jagannathdarsan-7205521_08022025094429_0802f_1738988069_941.jpg)
ଇଟିଭି ଭାରତ, ପୁରୀ