ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ । ଅଚାନକ ସ୍ୱାସ୍ଥ୍ୟ ଖରାପ ହେବା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତିନିଦିନ ହେବ ଦେହ ଖରାପ ଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗତକାଲିଠୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ବାବୁସାନ । ସେ କହିଛନ୍ତି, 'ଅଧିକ ଚିକିତ୍ସା ଲାଗି ଏୟାର ଆମ୍ୱୁଲାନ୍ସରେ ତାଙ୍କୁ ବାହାରକୁ ନିଆଯିବ ।'
ଉତ୍ତମ ମହାନ୍ତି ଅସୁସ୍ଥ
ସୂଚନା ଅନୁସାରେ, ଅଭିନେତା ଉତ୍ତମ ମହାନ୍ତି ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିଲେ। ସେଠାରେ ହିଁ ତାଙ୍କର ଦେହ ହଠାତ ଖରାପ ହୋଇଥିଲା । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ଗତକାଲି ପୁଣି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି ।
ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି ବାବୁସାନ
ଉତ୍ତମ ମହାନ୍ତି ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି । ବାପାଙ୍କୁ ଦେଖିବାକୁ ଅଭିନେତା ତଥା ପୁଅ ବାବୁସାନ ମହାନ୍ତି ହସ୍ପିଟାଲ ପହଞ୍ଚିଛନ୍ତି । ଏହି ସମୟରେ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି ବାବୁସାନ । ସେ କହିଛନ୍ତି, ''ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଅଧିକ ଚିକିତ୍ସା ଲାଗି ଏୟାର ଆମ୍ବୁଲାନ୍ସରେ ବାହାରକୁ ନେବୁ ।''
ସୁଟିଂ ସେଟରେ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା !
ଆଗାମୀ ଓଡ଼ିଆ ଫିଲ୍ମ 'ବୋଉ ବୁଟୁ ଭୂତ' ସିନେମାରେ ସ୍ତ୍ରୀ ଅପରାଜିତା ଓ ପୁଅ ବାବୁଶାନଙ୍କ ସହ ନଜର ଆସିବେ ଉତ୍ତମ ମହାନ୍ତି । ଏହି ଫିଲ୍ମର ସୁଟିଂ ଜାରି ରହିଥିବା ବେଳେ ଫିଲ୍ମ ସୁଟ ପାଇଁ ଅଭିନେତା ବାହାରକୁ ଯାଇଥିଲେ । ଏହି ସମୟରେ ତାଙ୍କର ହଠାତ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବା ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ସେ ଚିକିତ୍ସାଧୀନ ରହିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଥିବା କୁହାଯାଉଛି । ଏହି ଖବର ଜାଣିବା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଚିନ୍ତିତ ଥିବା ବେଳେ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ, ମଥୁରା ବିଜୟରୁ ଆରମ୍ଭ ହୋଇଥିଲା ଜୟ ଯାତ୍ରା
ଉତ୍ତମ ମହାନ୍ତିଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ, 70ଦଶକରୁ ଦର୍ଶକଙ୍କ ଉପରେ ରାଜ୍ କରିଆସୁଛନ୍ତି ଉତ୍ତମ ମହାନ୍ତି । ତାଙ୍କ ଅନ୍ଦାଜ, ଷ୍ଟାଇଲ ଏବଂ ଅଭିନୟ ପାଇଁ ସେ ଆଜି ବି ଲୋକଙ୍କୁ ଦିୱାନା କରିଆସୁଛନ୍ତି । 23 ଡିସେମ୍ୱର 1958ରେ ମୟୂରଭଞ୍ଜର ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ ମହାନ୍ତି । ସେ ତାଙ୍କ କ୍ୟାରିଅରରେ ଓଡ଼ିଆ ଭାଷା ବ୍ୟତୀତ ବଙ୍ଗଳା ଓ ହିନ୍ଦୀରେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ ମୋଟ 130ରୁ ଅଧିକ ଓଡ଼ିଆ ଫିଲ୍ମ, 30ଟି ବଙ୍ଗଳା ଏବଂ ଗୋଟିଏ ହିନ୍ଦୀ ସିନେମାରେ କାମ କରିଛନ୍ତି । ଉତ୍ତମ ମହାନ୍ତି 1977 ମସିହାରେ 'ଅଭିମାନ' ଫିଲ୍ମ ସହ ଓଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଲେ ।
ଇଟିଭି ଭାରତ, ଭୁବନେଶ୍ୱର