କଟକ: ବାରବାଟୀ ମହାଲଢେଇ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଉ ହାତରେ ମାତ୍ର ଗୋଟିଏ ଦିନ । ଭାରତ ବନାମ ଇଂଲଣ୍ଡ ଏକଦିବସିୟ ରୋମାଞ୍ଚକର ଲଢେଇକୁ ଉପଭୋଗ କରିବାକୁ ପ୍ରସ୍ତୁତ ଓଡ଼ିଶାବାସୀ । ଅନ୍ୟପଟେ ବାରବାଟୀରେ ଟିମ ଇଣ୍ଡିଆର ରେକର୍ଡ ବେଶ ଭଲ ରହିଥିଲା ବେଳେ କିନ୍ତୁ ସିରିଜର ପ୍ରଥମ ମ୍ୟାଚରେ ବିରାଟଙ୍କ ଦଳରେ ଅନୁପସ୍ଥିତି ଫ୍ୟାନ୍ସ ଙ୍କୁ ନିରାଶ କରିବା ନେଇ ଆଶା କରାଯାଉଛି ।
ବାରବାଟୀରେ ଭାରତ ଫେବରେଟ୍ । ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତ ରହିଛି ଐତିହାସିକ ବାରବାଟୀ ଷ୍ଟାଡିଅମ । ପିଚଠୁ ଆରମ୍ଭ କରି ଆଉଟ ଫିଲଡ଼ ଓ ଦର୍ଶକ ବସିବା ପାଇଁ ଗ୍ୟାଲେରୀ ସବୁ କିଛି ପ୍ରସ୍ତୁତ । ମ୍ୟାଚ ପାଇଁ ହାତରେ ଆଉ ଦୁଇ ଦିନ ବାକି ଥିବାରୁ ଗ୍ରାସ କଟିଂ, ଗ୍ରାଉଣ୍ଡ ଏଲିଡ଼, ଅଭ୍ୟାସ ପାଇଁ ଦୁଇ ପିଚ ମଧ୍ୟ ପ୍ରସ୍ତୁତ କରିଛି ଓସିଏ ।
"ବାରବାଟୀରେ ଡ୍ୟୁ ଫ୍ୟାକ୍ଟର ରହୁଥିବାରୁ ଓସିଏ ପକ୍ଷରୁ ଏକ ସ୍ୱତନ୍ତ୍ର ମେସିନ ଅଣାଯାଇଛି । ଯାହା କିଛି ସମୟରେ ଡ୍ୟୁକୁ ହଟେଇବାରେ ସହାୟକ ହେବ । ଏହାବ୍ୟତୀତ ଫ୍ଲାଟ ପିଚ ସାଙ୍ଗକୁ ସ୍ପୀଡ଼ ଆଉଟଫିଲଡ଼ ଯୋଗୁ ଟସ୍ ବେଶ ଗୁରୁତ୍ବ ବହନ କରିବ," ବୋଲି କହିଛନ୍ତି ଓସିଏ ପିଚ କ୍ୟୁରେଟର ଅଞ୍ଜନ ଖୁଣ୍ଟିଆ ।
![INDIA ENGLAND ODI MATCH](https://etvbharatimages.akamaized.net/etvbharat/prod-images/07-02-2025/23494662_114_23494662_1738934627466.png)
ବାରବାଟୀ ଦିନିକିଆ ଇଂଲଣ୍ଡ ବନାମ ଭାରତ ରେକର୍ଡ-
ଏହାବ୍ୟତୀତ ଯଦି ବାରବାଟୀ ରେକର୍ଡ ଉପରେ ନଜର ପକାଇବା ତେବେ ରେକର୍ଡ କହୁଛି ବାରବାଟୀରେ ଏଯାବତ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଭାରତ ୩ ଟି ବିଜୟ ହାସଲ କରିଥିଲା ବେଳେ ଭ୍ରମଣକାରୀ ଦଳ ଇଂଲଣ୍ଡ ୨ ଟି ବିଜୟ ହାସଲ କରିଛି ।
ରେକର୍ଡ ଉପରେ ଯଦି ନଜର ପକାଇବା ତେବେ ୧୯୮୨ ଓ ୧୯୮୪ ମସିହାରେ ଖେଳାଜିଥିବା ପ୍ରଥମ ଦୁଇଟି ମୁକାବିଲାକୁ ପ୍ରଥମେ ମ୍ୟାଚକୁ ୫ ୱିକେଟରେ ଜିତିଥିଲା ବେଳେ ଇଂଲଣ୍ଡ ଦ୍ୱିତୀୟ ମ୍ୟାଚକୁ ୧ ରନରେ ଜିତିଥିଲା । ଏହାପରେ ଦୀର୍ଘ ୧୮ ବର୍ଷରେ ଅର୍ଥାତ ୨୦୦୨ ମସିହାରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ୧୬ ରନରେ ଭାରତକୁ ପରାଜୟର ରାସ୍ତା ଦେଖାଇଥିଲା ଇଂଲଣ୍ଡ ।
ଏହାପରେ ୨୦୦୮ ଓ ୨୦୧୭ ମସିହାରେ ବାରବାଟୀରେ ଖେଳାଯାଇଥିବା ଦୁଇଟି ମ୍ୟାଚକୁ କ୍ରମାଗତ ଭାବରେ ୬ ୱକେଟ ଓ ୧୫ ରନ ରେ ଜିତିନେଇଥିଲା ଟିମ ଇଣ୍ଡିଆ । ବାରବାଟୀରେ ରେକର୍ଡ ଇଣ୍ଡିଆ ପକ୍ଷରେ ରହିବ ।
ବାରବାଟୀରେ ଧୋନୀ-ଯୁବରାଜ ହିଟ୍ ଯୋଡି-
ବାରବାଟୀ ବ୍ୟାଟିଂ ଟ୍ରାକ ହୋଇଥିବାରୁ ୨୦୧୭ରେ ଖେଳାଯାଇଥିବା ଶେଷ ମ୍ୟାଚରେ ଭାରତ ପକ୍ଷରୁ ଯୁବରଜ ସିଂ ୧୨୭ ବଲରୁ ଧୂଆଁଦାର ୧୫୦ ରନ ଓ ଏମ ଏସ ଧୋନୀ ଙ୍କ ୧୩୪ ରନ ରନ ବଳରେ ଭାରତ ୩୮୧ ରନର ଏକ ବିଶାଳ ସ୍କୋର ଛିଡାକରିଥିଲା । ଜବାବ ରେ ଏହି ବ୍ୟାଟିଂ ଟ୍ରାକର ଫାଇଦା ଉଠାଇ ୩୬୬ ରନ କରି, ମାତ୍ର ୧୫ ରନରେ ପରାଜୟ ବରଣ କରିଥିଲା ଭ୍ରମଣକାରୀ ଇଂଲଣ୍ଡ ।
"ଟିମ ଇଣ୍ଡିଆର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ ଜାରି ରଖିଥିଲା ବେଳେ ବାରବାଟୀ ଦିନିକିଆରେ ମଧ୍ୟ ଭାରତ ବିଜୟ ଧ୍ଵଜା ଉଡାଇବ" ବୋଲି ମତ ରଖିଛନ୍ତି କ୍ରୀଡା ସମୀକ୍ଷକ ପବନ ଅଗ୍ରୱାଲ । ବାରବାଟୀରେ ବିଜୟ ରେକର୍ଡ ଭାରତ ପକ୍ଷରେ ରହିଥିବାରୁ ଇଂଲଣ୍ଡ ପାଇଁ ଏହି ମ୍ୟାଚ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଆକଳନ କରିଛନ୍ତି ଫ୍ୟାନ୍ସ ଓ କ୍ରିକେଟ ସମୀକ୍ଷକ ।
ବାରବାଟୀ ଷ୍ଟାଡିୟମର ଦିନିକିଆ ଇତିହାସ:
ଆଜିଯାଏଁ ବାରବାଟୀରେ 21ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଭାରତ 19 ଟି ମ୍ୟାଚ ଖେଳିଛି । 12ଟା ଜିତିଛି । 7ଟି ହାରିଛି । 2017ରେ ଭାରତ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ ସ୍କୋର କରିଥିଲେ । 381 ରନ ସ୍କୋର କରିଥିଲା ଭାରତ 6ଟି ଓ୍ୱିକେଟ ବିନିମୟରେ । ସବୁଠୁ କମ ସ୍କୋର କରିଥିଲା ଦକ୍ଷିଣ ଆଫ୍ରିକା 1993ରେ ଭାରତ ବିପକ୍ଷରେ । ମାତ୍ର 93 ରନ ସ୍କୋର କରିଥିଲା ଦକ୍ଷିଣ ଆଫ୍ରିକା । ବାରବାଟୀ ଷ୍ଟାଡିୟମ ପ୍ରଥମ ଇନିଂସ ବ୍ୟାଟିଂ ଆଭରେଜ 249 ରନ୍ । ପ୍ରଥମ ବ୍ୟାଟିଂ କରି ଟିମ୍ ଜିତିଛି 7ଟି ମ୍ୟାଚ (36.84%) । ରନର ପିଛା କରି ଟିମ୍ ଜିତିଛି 12ଟି ମ୍ୟାଚ (63.16%) । ଏହି ଷ୍ଟାଡିୟମରେ ପେସର ନେଇଛନ୍ତି 62.28% ଓ୍ବିକେଟ । ସ୍ପିନର ନେଇଛନ୍ତି 37.72% ଓ୍ବିକେଟ ।
ବାରବାଟୀରେ କେତେ ଦର୍ଶକ ବସିବା କ୍ଷମତା ରହିଛି ?
ବାରବାଟୀରେ ଷ୍ଟାଡିୟମର ଦର୍ଶକ ବସିବା କ୍ଷମତା ମୋଟ ୪୫ ହଜାର । ସେଥିମଧ୍ୟରୁ 21 ହଜାର ଟିକେଟ ପାସ ଆକାରରେ ବଣ୍ଟନ କରାଯିବ।ପାଖାପାଖି ୨୪ ହଜାର ଟିକେଟ ବିକ୍ରି ପାଇଁ ଉବଲବ୍ଧ ହୋଇଥିଲା । ସେଥିମଧ୍ୟରୁ ୪ ହଜାର ଅନଲାଇନରେ ବିକ୍ରି ହୋଇ ଥିଲା। ଓସିଏ ସିହିତ ଅନୁବନ୍ଧିତ ସଂଗଠନ ଗୁଡ଼ିକୁ ୮ ହଜାର ବିକ୍ରି ହୋଇ ଥିଲା। କାଉଣ୍ଟର ପ୍ରାୟ ୧୨ ହଜାର ଟିକେଟ ବିକ୍ରି ହୋଇଥିଲା । କିନ୍ତୁ ମାତ୍ର ୨୪ ହଜାର ଟିକେଟ ସାଧାରଣ ଦର୍ଶକଙ୍କ ପାଇଁ ଉପଲବ୍ଧ କରି ୨୧ ହଜାର ଟିକେଟ ପାସ ଆକାରରେ ବଣ୍ଟନ କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି ।
ଟିକେଟ ନପାଇ ନିରାଶ ଫ୍ୟାନ୍ସ:
ବାରବାଟୀ ଦିନିକିଆ ପାଇଁ ଟିକେଟ ଖଣ୍ଡେ ନେବାକୁ କ୍ରିକେଟ ପ୍ରେମୀ ଲାଗି ପଡିଛନ୍ତି । ଟିକେଟ ବିକ୍ରି ପ୍ରକ୍ରିୟା ଶେଷ ହୋଇଯାଇଛି । ଏହାରି ଭିତରେ ଟିକେଟ ନ ପାଇ ବୁଧବାର ନିରାଶ ହୋଇ ଫେରି ଥିବା ଶତାଧିକ ଟିକେଟ ଆଶାୟୀ ଅନେକ ଅଭିଯୋଗ କରିଛନ୍ତି । ଆଶା ଥିଲା କାଳେ ଟିକେଟ ଖଣ୍ଡେ ମିଳିଯିବ। ସେଥିପାଇଁ କିଏ କେତେ ଦୂରରୁ ରାତି ସାରା ଅନିଦ୍ରା ରହି ଲାଇନରେ ଛିଡା ହୋଇଥିଲେ । କିନ୍ତୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଟିକେଟ ନମିଳିବାରୁ ବେଶ ଅସନ୍ତୋଷ ଦେଖାଇଥିଲେ କ୍ରିକେଟ ପ୍ରେମୀ । ଅଧିକ ପାସ ବ୍ୟବସ୍ଥା ଯୋଗୁଁ,କମ ଟିକେଟ କାଉଣ୍ଟରକୁ ଆସୁଥିବାରୁ ସାଧାରଣ ଲୋକେ ଟିକେଟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି କ୍ରିକେଟ ପ୍ରେମୀ । ଦର୍ଶକଙ୍କ କ୍ଷମତା ଅନୁସାରେ ଅଧିକ ଟିକେଟ କାଉଣ୍ଟରରେ ବିକ୍ରି କରାଯାଇଥିଲେ ଭଲ ହୋଇଥାନ୍ତା ଓ ଅଧିକ ଲୋକେ ଟିକେଟ ପାଇ ପାରିଥାନ୍ତେ ବୋଲି କ୍ରିକେଟ ପ୍ରେମୀ ମାନେ କହିଛନ୍ତି ।
![INDIA ENGLAND ODI MATCH](https://etvbharatimages.akamaized.net/etvbharat/prod-images/07-02-2025/od-ctc-narayan-ticketblackmarket-7204486_07022025195925_0702f_1738938565_182.jpg)
କାହିଁକି ଏବଂ କଣ ପାଇଁ ଏହି ପାସ ଵ୍ୟଵସ୍ଥା ?
କ୍ରିକେଟ୍ ମ୍ୟାଚ୍ରେ ପାସ୍ ସଂସ୍କୃତି ଏବେକାର ନୁହେଁ ବରଂ ଏହା ବେଶ ପୁରୁଣା । ଓସିଏ କ୍ରିକେଟ୍ ମ୍ୟାଚ୍ ଆୟୋଜନ ପାଇଁ ବିଭିନ୍ନ ପ୍ରକାରର ପାସ୍ ଜାରି କରାଯାଏ । କ୍ରିକେଟ୍ ମ୍ୟାଚ୍ରେ ବିଭିନ୍ନ ପାସ୍ର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରେ ରହିଛି ଖେଳାଳିଙ୍କ ସପୋର୍ଟ ଷ୍ଟାଫ ପାସ । ମ୍ୟାଚ ଖେଳୁଥିବା ଖେଳାଳି ଓ ସେମାନଙ୍କ ସପୋର୍ଟ ଷ୍ଟାଫଙ୍କୁ ଏହି ପାସ ଦିଆଯାଇଥାଏ ।
VIP ଏବଂ VVIP ପାସ:
ଏହି ପାସ୍ ଗୁଡିକ ସରକାରୀ ଅଧିକାରୀ, ରାଜନୈତିକ ବ୍ୟକ୍ତି ବିଶେଷ , ସିନେମା ତାରକା, ପୂର୍ବତନ କ୍ରିକେଟ୍ ଖେଳାଳି ଏବଂ ବଡ଼ ସ୍ପନ୍ସରମାନଙ୍କୁ ଦିଆଯାଇଥାଏ । ସେହିପରି ମିଡିଆ ପାସ୍ ,ସାମ୍ବାଦିକ, ଫଟୋଗ୍ରାଫର, ଏବଂ ମ୍ୟାଚର ପ୍ରସାରଣ କରୁଥିବା ବ୍ରୋଡକାଷ୍ଟ ଟିମ୍ ମାନଙ୍କୁ ଏହି ପାସ୍ ଦିଆଯାଏ ।
ସ୍ପନ୍ସର ଏବଂ କର୍ପୋରେଟ୍ ପାସ:
ଖେଳକୁ ସ୍ପନ୍ସର କରୁଥିବା ବଡ଼ କମ୍ପାନୀ ଏବଂ ବ୍ୟବସାୟିକ ଭାଗିଦାରମାନେ ଏହି ପାସ୍ ପାଇଥାନ୍ତି । ରାଜ୍ୟ କ୍ରିକେଟ୍ ଏସୋସିଏସନ୍ ପାସ୍,ଆଞ୍ଚଳୀୟ କ୍ରିକେଟ୍ ଏସୋସିଏସନ୍ ମାନଙ୍କୁ ଏହି ପାସ ଦିଆଯାଏ । ଏଥିରେ ପୂର୍ବତନ ଖେଳାଳି, ଟ୍ରେନର, ଏସୋସିଏସନ୍ ସଦସ୍ୟ ଏବଂ ସୁରକ୍ଷା କର୍ମଚାରୀମାନଙ୍କୁ ଏହି ପାସ୍ ମିଳେ ।
ସୁରକ୍ଷା ଏବଂ ସ୍ଟାଫ୍ ପାସ:
ପୋଲିସ୍, ସୁରକ୍ଷା ଦଳ, ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଏହି ପାସ୍ ପାଇଥାନ୍ତି । ଅନ୍ୟପଟେ ମ୍ୟାଚକୁ ଶୃଙ୍ଖଳିତ କରିବା ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଆଜି ଏନେଇ ପୋଲିସ କମିଶନର ସମସ୍ତ ଅଧିକାରୀଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରିଛନ୍ତି ।
ଇଟିଭି ଭାରତ,କଟକ