ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାଙ୍ଗିଲା 52 ବର୍ଷର ରେକର୍ଡ । ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ହରମନପ୍ରୀତ ବାହିନୀ କଙ୍ଗାରୁ ଦଳକୁ 3-2ରେ ପରାସ୍ତ କରିଛି । ଏହି ମ୍ୟାଚ୍ରେ ଅଭିଷେକ ଏବଂ ହରମନପ୍ରୀତ ସିଂହ ଅଷ୍ଟ୍ରେଲିଆକୁ ଆରମ୍ଭରୁ ହିଁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ତେବେ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ମୋଟ 5ଟି ମ୍ୟାଚ୍ ଖେଳିଥିବାବେଳେ ସେଥିମଧ୍ୟରୁ 3ଟି ମ୍ୟାଚ୍ ଜିତିଛି । ଗୋଟିଏ ମ୍ୟାଚ୍ ଆର୍ଜେଣ୍ଟିନା ବିପକ୍ଷରେ ଡ୍ର' ହୋଇଥିବାବେଳେ ବେଲଜିୟମ ବିପକ୍ଷ ଗୋଟିଏ ମ୍ୟାଚ୍ ହାରିଥିଲା ଭାରତ । ବର୍ତ୍ତମାନ 140 କୋଟି ଭାରତୀୟଙ୍କ ମେଡାଲ ସ୍ବପ୍ନ ନେଇ ପ୍ୟାରିସ୍ରେ ଧମାଲ କରୁଥିବା ଭାରତୀୟ ହକି ଦଳ କ୍ବାର୍ଟର ଫାଇନାଲରେ ଲଗାଇବ ଦମ ।
ପ୍ରଥମ କ୍ବାର୍ଟରରୁ ଭାରତର ଦମଦାର ପ୍ରଦର୍ଶନ:-
ଏହି ମ୍ୟାଚର ପ୍ରଥମ କ୍ୱାର୍ଟରରୁ ହିଁ ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିଥିଲା ଭାରତ । 12ତମ ମିନିଟରରେ ଅଭିଷେକ ଭାରତୀୟ ଦଳ ପାଇଁ ଏକ ଚମତ୍କାର ଫିଲ୍ଡ ଗୋଲ ସ୍କୋର କରିଥିଲେ । ଏହି ସଟ୍ର କୌଣସି ଜବାବ ଅଷ୍ଟ୍ରେଲୀୟ ଗୋଲକିପର ଥୋମାସ କ୍ରେଗଙ୍କ ପାଖରେ ନଥିଲା । ଏହାସହ ଭାରତ 1-0ର ଲିଡ୍ ନେଇଥିଲା । ଏହାପରେ ମ୍ୟାଚର 13ତମ ମିନିଟରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା ଏବଂ ଅଧିନାୟକ ହରମନପ୍ରୀତ ଏକ ଚମତ୍କାର ସଟ୍ ମାରି ଗୋଲ ସ୍କୋର କରିବା ସହ ଭାରତର ଲିଡ୍କୁ 2-0କୁ ବୃଦ୍ଧି କରିଥିଲେ । ଏହି ମ୍ୟାଚର 15 ମିନିଟରେ ଅଷ୍ଟ୍ରେଲିଆର ଟମ ଏକ ସଟ୍ ନେଇ ଗୋଲ ସ୍କୋର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଭାରତର ଗୋଲକିପର ଶ୍ରୀଜେଶ ତାଙ୍କ ଉଦ୍ୟମକୁ ବିଫଳ କରିଦେଇଥିଲେ । ଏହାସହ ଭାରତ ପ୍ରଥମ କ୍ବାର୍ଟରକୁ 2-0 ଲିଡ୍ ନେଇ ସମାପ୍ତ କରିଥିଲା ।
ପୁଣି ଚମକିଲେ ହରମନପ୍ରୀତ:-
ଏହି ମ୍ୟାଚ୍ର ଦ୍ବିତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ ପ୍ରଥମ ଗୋଲ ସ୍କୋର କରିଥିଲା । ମ୍ୟାଚ୍ର 25ତମ ମିନିଟରେ କ୍ରେଗ୍ ଥୋମାସ ଅଷ୍ଟ୍ରେଲିଆ ପାଇଁ ଏକ ଗୋଲ ସ୍କୋର କରି ଦଳକୁ 1-2 ସ୍ଥିତିକୁ ଆଣିଥିଲେ । ତୃତୀୟ କ୍ୱାର୍ଟରରେ ଭାରତ ତୃତୀୟ ଗୋଲ ସ୍କୋର କରିଥିଲା । 32ତମ ମିନିଟରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା, ଯେଉଁଥିରେ ହରମନପ୍ରୀତ ସିଂ ଚମତ୍କାର ସଟ୍ ଖେଳି ଦଳ ପାଇଁ ଆଉ ଗୋଟିଏ ଗୋଲ ସ୍କୋର କରିଥିଲେ । କ୍ୟାପଟେନ ହରମନପ୍ରୀତ ସିଂ ଏହି ମ୍ୟାଚର ତୃତୀୟ ତଥା ଦ୍ବିତୀୟ ବ୍ୟକ୍ତିଗତ ଗୋଲ ସ୍କୋର କରିଥିଲେ । ଏହାସହ ସେ ଭାରତର ଅଗ୍ରଣୀକୁ 3-1ରେ ବୃଦ୍ଧି କରିଥିଲେ ।