ହାଇଦ୍ରାବାଦ:ଆସନ୍ତା ଜୁନରେ ଆରମ୍ଭ ହେବାକୁ ଯାଉଛି ଟି-20 ବିଶ୍ବକପ । ଆମେରିକା ଓ ୱେଷ୍ଟଇଣ୍ଡିଜରେ ସମସ୍ତ ମ୍ୟାଚ ଖେଳାଯିବ । ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳ ଘୋଷଣା କରାଯାଇନାହିଁ । ମେ' 1 ତାରିଖ ଦଳ ଘୋଷଣାର ଶେଷ ତାରିଖ ରହିଥିବା ବେଳେ ଆଇପିଏଲରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଚୟନ କର୍ତ୍ତା ଟିମ ନଜର ରଖିଛି । ଏହାପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଓ୍ବିକେଟ କିପର ଦିନେଶ କାର୍ତ୍ତିକ । ଟି-20 ବିଶ୍ବକପ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି । 2022 ମସିହାରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ T20 ବିଶ୍ୱକପରେ ଟିମ ଇଣ୍ଡିଆ ପାଇଁ ସେ ଶେଷ ଥର ଖେଳିଥିଲେ ।
ଏକ ସାକ୍ଷାତକାରରେ ସେ କହିଛନ୍ତି, ''ଏହି ବୟସରେ ଭାରତକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠାରୁ ବଡ ଅନୁଭବ ହେବ । ମୁଁ ଏହା କରିବାକୁ ଆଗ୍ରହୀ ଅଟେ । ଟି-20 ବିଶ୍ୱକପରେ ଭାରତକୁ ପ୍ରତିନିଧିତ୍ୱ କରିବାଠୁ ମୋ ଜୀବନରେ ଆଉ କିଛି ବଡ ନାହିଁ । କୋଚ୍ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଯାହା ନିଷ୍ପତ୍ତି ନେବେ ମୁଁ ତାହାକୁ ସମ୍ମାନ କରିବି । ବିଶ୍ୱକପ ପାଇଁ ସର୍ବୋତ୍ତମ ଭାରତୀୟ ଦଳ କିପରି ହେବା ଉଚିତ ତାହା ଏହି ତିନି ଜଣ ସ୍ଥିର କରିବେ । ବିଶ୍ୱକପ ପାଇଁ ମୁଁ ପୁରା ପ୍ରସ୍ତୁତ । ଏଥିପାଇଁ ଯାହା କରିବାକୁ ପଡିବ ମୁଁ କରିବି ।''