ନୂଆଦିଲ୍ଲୀ:ସରକାରୀ ବ୍ୟବସ୍ଥା ସହ ଜଡିତ ମିଥ୍ୟା ସୂଚନା ଓ ଆଧାରହୀନ ଖବର ପ୍ରସାରଣ ରୋକିବା ପାଇଁ କେନ୍ଦ୍ର ସରକାର ଲାଗୁ କରିଥିବା ଫ୍ୟାକ୍ଟ ଚେକ ୟୁନିଟର କାର୍ଯ୍ୟକାରିତା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଗତକାଲି (20 ତାରିଖ) ଏହାକୁ କେନ୍ଦ୍ର ସରକାର ଲାଗୁ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ପ୍ରେସ ସୂଚନା ବ୍ୟୁରୋ (ପିଆଇବି)କୁ ଏଥିପାଇଁ ଅଧିକୃତ କରାଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ଗତକାଲି ବମ୍ବେ ହାଇକୋର୍ଟରେ ମଧ୍ୟ ହୋଇଥିଲା । ହେଲେ ବମ୍ବେ ହାଇକୋର୍ଟ ନିୟମ ସପକ୍ଷରେ ମତ ଦେବା ସହ ସ୍ଥଗିତାଦେଶର ଆବଶ୍ୟକତା ନଥିବା ମତ ଦେଇଥିଲେ । ଆଜି ସର୍ବୋଚ୍ଚକୋର୍ଟ ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରିବା ସହ ଏହାକୁ ଅଭିବ୍ୟକ୍ତି ଅଧିକାର ସହ ସମ୍ପର୍କିତ ପ୍ରସଙ୍ଗ ଦର୍ଶାଇ କେନ୍ଦ୍ରୀୟ ଅଧିସୂଚନା ଉପରେ ସ୍ଥିଗତାଦେଶ ଜାରି କରିଛନ୍ତି ।
ଗତକାଲି (ବୁଧବାର) ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପ୍ରେସ ସୂଚନା ବ୍ୟୁରୋ ଅଧୀନରେ ଏକ ଆଇନଗତ ସଂସ୍ଥା ଭାବରେ ‘ଫ୍ୟାକ୍ଟ ଚେକ ୟୁନିଟ’ ଗଠନ କରିବାକୁ ବିଜ୍ଞପ୍ତି ଜାରି କରିଥିଲା । 2023 ଏପ୍ରିଲରେ କାର୍ଯ୍ୟକାରୀ ହୋଇଥିବା ସଂଶୋଧିତ ଆଟି ଆକ୍ଟ ଅନୁସାରେ, କେନ୍ଦ୍ର ସରାକାରଙ୍କ କାର୍ଯ୍ୟାବଳି ଓ କେନ୍ଦ୍ରୀୟ ସଂସ୍ଥା ସମ୍ପର୍କରେ ପ୍ରସାରିତ ହେଉଥିବା ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟକୁ ଚିହ୍ନଟ କରିବା ଓ ଏହା ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହି ୟୁନିଟକୁ କ୍ଷମତା ପ୍ରଦାନ କରାଯାଇଥିଲା । ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ମୁକ୍ତ ଅଭିବ୍ୟକ୍ତି ପରି ମୌଳିକ ଅଧିକାରର ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ଏହାକୁ ବମ୍ବେ ହଇକୋର୍ଟରେ ଏଡିଟର୍ସ ଗିଲ୍ଡ ଓ ହାସ୍ୟ ଅଭିନେତା କୁନାଲ କମରା ଚ୍ୟାଲେଞ୍ଜ କରିଥିଲେ । ବମ୍ବେ ହାଇକୋର୍ଟରୁ ନିରାଶ ହେବା ପରେ ଆବେଦନକାରୀ ସର୍ବୋଚ୍ଚ କୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ଆଜି ସର୍ବୋଚ୍ଚକୋର୍ଟ କେନ୍ଦ୍ର ସରକାରଙ୍କୁ ଝଟକା ଦେଇଛନ୍ତି ।