ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷ ଅନାସ୍ଥା ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ରାଜନୈତିକ ପଶାପାଲିରେ ଛନ୍ଦି ହୋଇଛି ଓଡିଶା ଓ ଛତିଶଗଡ଼ ପୋଲିସର ଭୂମିକା । ଘଟଣାରେ ବିଜେପିକୁ ଟାର୍ଗେଟ କରିଛନ୍ତି ପୂର୍ବତନ ଝାରସୁଗୁଡା ବିଧାୟିକା ଦୀପାଳି ଦାସ । ସେପଟେ ଘଟଣାର ଅନୁସନ୍ଧାନ ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଠନ କରିଛନ୍ତି 7 ଜଣିଆ ‘ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍’ ।
- ନବୀନଙ୍କ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ରେ ଏମାନେ
ବିଜେଡି ସୁପ୍ରିମୋ ନବୀନ ଗଠନ କରିଥିବା ଟିମରେ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଦେବେଶ ଆଚାର୍ଯ୍ୟ, ଯୋଗେଶ ସିଂ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ସୁଦର୍ଶନ ହରିପାଲ ଅଛନ୍ତି । ଟିମ୍ ଝାରସୁଗୁଡା ଗସ୍ତରେ ଯାଇ ଘଟଣାର ତଦନ୍ତ କରିବ । ସବିଶେଷ ତଥ୍ୟ ସଂଗ୍ରହ କରି ଦଳର ସଭାପତିଙ୍କୁ ପ୍ରଦାନ କରିବ । ସେହିପରି ଆଜି ଅପରାହ୍ନରେ ଦୀପାଳି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦେଖା ମଧ୍ୟ କରିଛନ୍ତି ।
- ନବୀନଙ୍କୁ ଭେଟିବା ପରେ ଦୀପାଳିଙ୍କ ପ୍ରତିକ୍ରିୟା
ନବୀନ ନିବାସରେ ବିଜେଡି ସଭାପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ଦୀପାଳି । କହିଛନ୍ତି,"ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଲି । ଆମ ସହିତ ଛିଡା ହୋଇଥିବାରୁ ଧନ୍ୟବାଦ ଜଣାଇଛି । ପରିବାର ସହ ପରିବାର ହୋଇ ଛିଡା ହୋଇଛନ୍ତି । ଆଗାମୀ ଦିନରେ ତାଙ୍କ ମାର୍ଗଦର୍ଶନରେ ଆମେ ଚାଲିବୁ । ସଶକ୍ତ ରହିବାକୁ ନବୀନ କହିଛନ୍ତି । ଡାର୍ଟି ପଲିଟିକ୍ସରୁ ଆଗକୁ ଯିବାକୁ ବାଟ ଦେଖାଇଛନ୍ତି ନବୀନ ।"
- ଗଣତନ୍ତ୍ରକୁ ହତ୍ୟା କରିବା ବିଜେପିର ଅଭ୍ୟାସ: ସସ୍ମିତ
ଆଜି ଏହି ପ୍ରସଙ୍ଗରେ ବିଜେଡିର ସାଂସଦ ସସ୍ମିତ ପାତ୍ର ଓ ଝାରସୁଗୁଡାର ପୂର୍ବତନ ବିଧାୟିକ ଦୀପାଳି ଦାସ ଶଙ୍ଖ ଭବନରେ ପ୍ରେସମିଟ୍ କରି ‘ଭାରତୀୟ ଜନତା ପାର୍ଟି’ ସରକାର ଉପରେ ବର୍ଷିଛନ୍ତି । ସାଂସଦ ସସ୍ମିତ କହିଛନ୍ତି,‘‘ ଗଣତନ୍ତ୍ରକୁ ହତ୍ୟା କରିବାରେ ବିଜେପି କୌଣସି ସୁଯୋଗ ଛାଡେ ନାହିଁ । ଏ କଥା ଆମେ ଜାଣିଥିଲୁ, ଶୁଣିଥିଲୁ ଓ ଅନେକ ଥର ହୃଦୟଙ୍ଗମ କରିଛୁ । କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେପି ଗଣତନ୍ତ୍ରକୁ ହତ୍ୟା କରିଛି । ଦୁଇ ଦିନର ଘଟଣା ଓଡିଶା ବାସୀଙ୍କୁ ଜଳଜଳ ହୋଇ ଦିଶୁଛି ।’’
- ବିଶାଲ ଦାସଙ୍କୁ ବେଆଇନ ଭାବେ ଅଟକ ରଖିଛି ଛତିଶଗଡ ପୋଲିସ: ସସ୍ମିତ
ସସ୍ମିତ କହିଛନ୍ତି,‘‘ ବିଜେଡିର ପଞ୍ଚାୟତ ପ୍ରତିନିଧି ଓ ପୂର୍ବତନ ମନ୍ତ୍ରୀଙ୍କ ପୁଅ ବିଶାଳ ଦାସଙ୍କୁ ଛତିଶଗଡ଼ର ସରେଇପାଲି ପୋଲିସ ବେଆଇନ ଭାବେ 24 ଘଣ୍ଟା ଅଟକ ରଖିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେପି ବ୍ୟତିବ୍ୟସ୍ତ ହୋଇଯାଉଛି । ଭୟଭୀତ ହୋଇ ବିଜେପି ଦୁଇଟି ରାଜ୍ୟର ପୋଲିସକୁ ବ୍ୟବହାର କରି ବିଜେଡି ପ୍ରତିନିଧିଙ୍କୁ ଅଟକ ରଖୁଛନ୍ତି । ବିଜେପି ମନର ଛନକା ସ୍ପଷ୍ଟ ବାରି ହୋଇପଡୁଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିବା ପରେ ବିଜେପିର ବେଆଇନ କାରବାର ପର୍ଦ୍ଦାଫାସ ହୋଇଛି । ଭୟଭୀତ, ବ୍ୟତିବ୍ୟସ୍ତ ହୋଇ ବେଆଇନ କାରବାରରୁ ବିଜେପି ନିବୃତ୍ତ ହୋଇଛି ।"
- ଅନାସ୍ଥା ପାଇଁ ସମୟ ଗଡାଇଲେ: ଦୀପାଳି
ଦୀପାଳି ଦାସ କହିଛନ୍ତି, "4 ମାସ ତଳେ ସେପ୍ଟେମ୍ବର 13 ତାରିଖରେ କିର୍ମିରା 2 ତୃତୀୟାଂଶ ସରପଞ୍ଚ ଓ ସମିତି ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ଉପ-ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଥିଲେ । ବିଭିନ୍ନ କାରଣ ବାହାର କରି ଏହାକୁ ବିଳମ୍ବ କରାଗଲା । ବାରମ୍ବାର ଏନେଇ ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛୁ । ଉପରୁ ଚାପ ଅଛି ଆମେ ତାରିଖ ଦେଇପାରିବୁ ନାହିଁ ବୋଲି ସେମାନେ କହୁଥିଲେ । ଏହାପରେ ଆମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିର୍ଦ୍ଦେଶ ଆଣିଛୁ । ଦୁଇ ସପ୍ତାହ ମଧ୍ୟରେ ଅନାସ୍ଥା ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି । ଜାଣିଶୁଣି ଜାନୁଆରୀ 10 ତାରିଖ ଧାର୍ଯ୍ୟ କଲେ । ଆଉ କିଛି କାରଣ ଖୋଜି ଅନାସ୍ଥାକୁ ବିଳମ୍ବ କରିବା ଲାଗି ଅପର ପାର୍ଶ୍ଵକୁ ସୁଯୋଗ ମିଳିବ । କୋର୍ଟ ଜରିଆରୁ କିଛି କରି ନପାରି ସେମାନେ ଅସ୍ତବ୍ୟସ୍ତ ହେଲେ ।"
- 12 ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଦଳରେ ମିଶିବା ପାଇଁ ବିଜେପି ଧମକ ଦେଇଥିଲା: ଦୀପାଳି
ଦୀପାଳି ଆହୁରି ମଧ୍ୟ କହିଛନ୍ତି, "8 ତାରିଖ ଦିନ 12 ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଧମକ ଚମକ ଦେଇ ବିଜେପିରେ ସାମିଲ ହେବାକୁ କୁହାଗଲା । ସେମାନେ ଭିଡିଓ ଜାରି କରି ସୁରକ୍ଷା ମାଗିଲେ । ସେମାନେ ଭୋଟିଂ ପାଇଁ ଆଗ୍ରହୀ ଥିଲେ । 9 ତାରିଖରେ ଲାଇକେରା ଆଇଆଇସି ଦିଲ୍ଲୀପ ବେହେରା ସ୍ଥାନୀୟ କିଛି ବ୍ୟକ୍ତିଙ୍କ ସହ ଘରୋଇ ସମ୍ପତ୍ତି ତଲାସୀ କରିବାକୁ ଆସିଲେ । କାହା ନିର୍ଦ୍ଦେଶରେ ଓ କେଉଁ ଆଇନ ଓ ଅର୍ଡରରେ ଘରୋଇ ସମ୍ପତ୍ତିରେ କାମ କରୁଥିବା କର୍ମଚାରୀଙ୍କୁ ଗାଳିଗୁଲଜ କରିଛନ୍ତି । ଘଟଣା ପରେ ମୋ ବଡ଼ ଭାଇ କଲ୍ୟାଣ ମଣ୍ଡପର ମାଲିକ ବିଶାଳ ଦାସ ଆଇଜି ପୋଲିସଙ୍କୁ ଭେଟିଥିଲେ । ଭାଇ ସହିତ ରେଙ୍ଗାଲି ବିଧାୟକ ମଧ୍ୟ ଥିଲେ । ବିଧାୟକଙ୍କୁ ପୋଲିସ ଆଇଜି 45 ମିନିଟ ଅପେକ୍ଷା କରାଇଥିଲେ । ତଦନ୍ତ କରିବି ବୋଲି ଆଇଜି ପୋଲିସ କହିଥିଲେ ।"
- ମହିଳା ସରପଞ୍ଚଙ୍କ ଫୋନ ପାଇ ମୋ ଭାଇ ସଠାରେ ପହଞ୍ଚିଥିଲେ: ଦୀପାଳି
ଦୀପାଳି ଏହା ମଧ୍ୟ କହିଛନ୍ତି, "9 ତାରିଖ ରାତି ପ୍ରାୟ 12ରେ ଦୁଇ ଜଣ ମହିଳା ସରପଞ୍ଚ ମୋତେ ଫୋନ କଲେ । ସେମାନେ କହିଲେ, ଆମେ ପରିବାର ସହିତ ଛତିଶଗଡ଼ର ରାୟପୁର ବୁଲିବାକୁ ଆସିଥିଲୁ । ଆମ ସହିତ ପିଲା ଛୁଆ ଅଛନ୍ତି । ଆମେ ଏକ ଲଜରେ ଖାଇ ବାହାରିବା ସମୟରେ ଓଡିଶା ପୋଲିସ ଆସି ଆମକୁ ଛତିଶଗଡ଼ରେ ଅଟକ ରଖିଛି । ମୋ ବଡ଼ ଭାଇ ବିଶାଳ ଦାସ ସହଯୋଗୀଙ୍କ ସହ ଯାଇ ଛତିଶଗଡ଼ର ଉକ୍ତ ହୋଟେଲରେ ପହଞ୍ଚିଥିଲେ । ସେତେବେଳେ ହୋଟେଲର ସର୍ଟର ବନ୍ଦ ଥିଲା । ଭିତରେ ତାଲା ପଡିଥିଲା । 4 ଜଣ ଛତିଶଗଡ଼ ପୋଲିସର କନେଷ୍ଟବଳ ଉପସ୍ଥିତ ଥିଲେ । ସେତେବେଳକୁ ଓଡ଼ିଶା ପୋଲିସ ଫେରି ଆସିଥିଲା । ଓଡିଶା ପୋଲିସ କେଶ ହସ୍ତାନ୍ତର କରିଛି ବୋଲି ଛତିଶଗଡ ପୋଲିସ କହିଥିଲା । କେଉଁ ଆଇନ ବଳରେ ଓଡିଶା ପୋଲିସ ମାମଲା ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରିଛି ? ଏହା ପରେ ମୋ ଭାଇ, ସହଯୋଗୀ ଓ 12 ପଞ୍ଚାୟତ ପ୍ରତିନିଧିଙ୍କୁ 3ଟି ଭିନ୍ନ ଭିନ୍ନ ସ୍ଥାନରେ ଅଟକ ରଖାଗଲା । ଉପରୁ ନିର୍ଦ୍ଦେଶ ଆସିଲେ ଆମେ ଛାଡିବୁ ବୋଲି ପୋଲିସ ସେମାନଙ୍କୁ କହିଥିଲା । ବିନା ଯୋଗାଯୋଗ ଓ ଖାଦ୍ୟରେ 12 ଘଣ୍ଟା ସେମାନଙ୍କୁ ଅଟକ ରଖାଗଲା । ଆମ ଆଇନଜୀବୀଙ୍କୁ ମଧ୍ୟ ଦେଖିବାକୁ ସୁଯୋଗ ଦିଆଗଲା ନାହିଁ । ମୋ ଭାଇ ଓ ଅନ୍ୟମାନଙ୍କୁ କାହା ଅର୍ଡରରେ ଅଟକ ରଖାଗଲା ।"
- ଅନାସ୍ଥା ପାଇଁ ବିଜେପି ଡରୁଛି: ଦୀପାଳି
ଦୀପାଳି ଆହୁରି ମଧ୍ୟ କହିଛନ୍ତି, "ରାଜନୈତିକ ଚାପରେ ଭୋଟ ବନ୍ଦ କରାଗଲା । ଅଧ୍ୟକ୍ଷ ଅନାସ୍ଥା ପାଇଁ ବିଜେପି ଡରୁଛି । ପୋଲିସକୁ ଦଳର କର୍ମଚାରୀ ଭାବେ ବ୍ୟବହାର କରାଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ । ଭାଇକୁ ଅଟକ ରଖାଯାଇଥିବାବେଳେ ମୋ ମା' କାନ୍ଦୁ ଥିଲେ । 2 ବର୍ଷ ତଳେ ଆମେ ବାପାଙ୍କୁ ହରେଇଛୁ । ଭୋଟିଂରେ ହାରିବା ଭୟରେ ବିଜେପି ସରକାର ମା'ଠୁ ପୁଅକୁ 12 ଘଣ୍ଟା ଅଲଗା ରଖିଲା । ଯଦି ସତସାହସ ଅଛି କାଲି ନିର୍ବାଚନ କରାନ୍ତୁ । ଯଦି ସେମାନେ ଜିତିଯିବେ ଆମେ ସ୍ୱୀକାର କରିବୁ । କିନ୍ତୁ ସେମାନେ କରିବେ ନାହିଁ । କାରଣ ସେମାନଙ୍କର ହରିବାର ଭୟ ରହିଛି । ଆଗକୁ ମୋ ପରିବାର ଉପରେ ଆହୁରି ଟାର୍ଗେଟ ହେବ । ସେଥିପାଇଁ ମୁଁ ପ୍ରସ୍ତୁତ ଅଛି ।"
ଏହା ମଧ୍ୟ ପଢନ୍ତୁ:- ଛତିଶଗଡ଼ ଥାନାରେ ନବ ଦାସଙ୍କ ପୁଅ ବିଶାଳ ଅଟକ, ବର୍ଷିଲେ ଦୀପାଳି ପୋଲିସକୁ ଦେଖିଲେ ଡରୁଛନ୍ତି ନବ ଦାସଙ୍କ ପୁଅ ବିଶାଲ ! IGଙ୍କୁ ମାଗିଲେ ସୁରକ୍ଷା - VISHAL DAS SEEK PROTECTION |
- ନବ ଦାସଙ୍କୁ ପୋଲିସ ଲଗାଇ ହତ୍ୟା କରାଗଲା, ଦୀପାଳି କାହିଁକି ଚୁପ ଥିଲେ: ବିଜେପି
ଆଜି ଦୀପାଳୀ ଦାସ ଏବଂ ତାଙ୍କ ଭାଇଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ କଡ଼ା ଜବାବ ଦେଇଛି ବିଜେପି । 2 ବର୍ଷ ତଳେ ଓଡିଶାରେ କାହାର ସରକାର ଥିଲା, କିଏ ପୋଲିସ ଲଗେଇକି ନବ ଦାସଙ୍କୁ ହତ୍ୟା କରିଥିଲା । ଉପନିର୍ବାଚନରେ ଜିତିବା ପରେ ମଧ୍ୟ ବିଧାନସଭାରେ ଦୀପାଳି ଗୋଟିଏ ଦିନ କାହିଁକି ନିଜ ବାପାଙ୍କ ହତ୍ୟାକୁ ନେଇ ପ୍ରଶ୍ନ କରିନଥିଲେ ବୋଲି ବାବୁ କହିଛନ୍ତି ।
- ଦୀପାଳି ଚାହିଁଲେ ସରକାର ନବ ଦାସଙ୍କ ହତ୍ୟା ମାମଲାର CBI ତଦନ୍ତ କରିବେ
ବାବୁ କହିଛନ୍ତି, ଯଦି ଦୀପାଳି ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖିକି ଦିଅନ୍ତି ତେବେ ରାଜ୍ୟ ସରକାର ନିଶ୍ଚିତ ହତ୍ୟାକାରୀକୁ ଖୋଜିକି ପ୍ରକୃତ ଦୋଷୀକୁ ସର୍ବସମ୍ମୁଖକୁ ଆଣିବେ । ଏବଂ ଦୋଷୀ ଦଣ୍ଡ ପାଇବେ । ବିଜେପି ବିରୁଦ୍ଧରେ ବିଜେଡି ଭିତ୍ତିହୀନ ବକ୍ତବ୍ୟ ରଖିଲେ, ତାକୁ ଆମେ ନିନ୍ଦା କରୁଛୁ । ବିଜେଡି ଶାସନ ସମୟରେ କହୁଥିଲେ ଆଇନ ତା’ ବାଟରେ ଯିବ ମାତ୍ର ସେତବେଳେ ତା’ ହେଉନଥିଲା । ଏବେ ଯେତେବେଳେ ଆଇନ ନିଜ ବାଟରେ ଯାଉଛି ସେତେବେଳେ ବିଜେଡି ତାକୁ ବିରୋଧ କରୁଛି ।
- ୪ ମାସ ହେବ ସରପଞ୍ଚ ଓ ସମିତି ସଭ୍ୟଙ୍କୁ BJD ଲୁଚାଇ ରଖିଥିଲା: ବାବୁ
ବାବୁ କହିଛନ୍ତି,‘‘ଦୀର୍ଘ 4 ମାସ ହେବ ଝାରସୁଗୁଡାରା କିଛି ସମିତି ସଭ୍ୟ ଏବଂ ସରପଞ୍ଚଙ୍କୁ ଜୋର ଜବରଦସ୍ତ କେଉଁଠି ଲୁଚେଇକି ରଖିଛନ୍ତି ବିଜେଡିର ନେତା । ଗୋଟିଏ ଦଳ 24 ବର୍ଷ ଶାସନ କଲାପରେ ମଧ୍ୟ ଶାସନର ମୋହ ଏ ପର୍ଯ୍ୟନ୍ତ ଛାଡି ନାହିଁ । କିଏ ଏବଂ କେଉଁ ବ୍ୟକ୍ତି ସେମାନଙ୍କୁ ଲୁଚେଇକି ରଖିଥିଲା ତାର ପର୍ଦ୍ଦାଫାସ ହେଉ ।
- ରାତି ଦୁଇଟାରେ ନବ ଦାସଙ୍କ ପୁଅ ଗୁଣ୍ଡା ଧରି ଛତିଶଗଡରେ ପହଞ୍ଚିଥିଲେ: ବାବୁ
ବାବୁ କହିଛନ୍ତି,‘‘ ଗତ 2 ଦିନ ତଳେ ଛତିଶଗଡ଼ରେ ଏକ ହୋଟେଲରେ ଯେଉଁ ସରପଞ୍ଚ ଏବଂ ସମିତିସଭ୍ୟ ରହିଥିଲେ, କିଛି ଲୋକ ଅଚାନକ ସେମାନେଙ୍କୁ ଉଠାଇବାକୁ ଯାଇଥିଲେ । ପରେ ରାତି 2ଟାରେ ନବ ଦାସଙ୍କ ପୁଅ ଗୁଣ୍ଡା ଧରି ହୋଟେଲ ଭାଙ୍ଗିବାକୁ ଚେଷ୍ଟା କରିବା ସହ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ଉଠେଇବାକୁ ଚେଷ୍ଟା କରିଥିଲେ । ଗୁଣ୍ଡାଗର୍ଦୀ କରିବା ପୂର୍ବ ସରକାରର ନୀତି ଓ ଆଦର୍ଶ ଥିଲା। ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ବିଜେଡିର 24 ବର୍ଷର ଶାସନ କେବଳ ଗୁଣ୍ଡା ଗର୍ଦ୍ଦିରେ ବିତିଛି । ବିଜେପି ସରକାର ସବୁବେଳେ ଆଇନ ଓ ଗଣତନ୍ତ୍ରକୁ ସମ୍ମାନ ଦିଏ । ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଦିପାଳି ଦାସ ଓ ତାଙ୍କ ପରିବାର ।’’
ଇଟିଭି ଭାରତ, ଭୁବନେଶ୍ବର