ନୟାଗଡ଼: ପୂର୍ବତନ ରାଜ୍ୟପାଳ ରଘୁବର ଦାସ ପଦରୁ ଇସ୍ତଫା ଦେଇ ଝାଡଖଣ୍ଡ ଫେରି ସାରିଛନ୍ତି । ଏହା ସହ ସେ ଭାରତୀୟ ଜନତା ପାର୍ଟିରେ ମଧ୍ୟ ପୁଣିଥରେ ସାମିଲ ହୋଇସାରିଛନ୍ତି । କିନ୍ତୁ ତାଙ୍କୁ ନେଇ ରାଜ୍ୟ ରାଜନୀତିରେ ଆରୋପ ପ୍ରତ୍ୟାରୋପରେ ରୋକ ଲାଗୁନି । ରଘୁବରଙ୍କୁ ବିଜେପି ଏଜେଣ୍ଟ କହି ବିଜେଡି ବର୍ଷିଥିଲା । ଆଜି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ନୟାଗଡ ବିଧାୟକ ଅରୁଣ ସାହୁ ପ୍ରେସମିଟ୍ କରି ରଘୁବରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ଏକାଧିକ ପ୍ରସଙ୍ଗରେ ‘ଭାରତୀୟ ଜନତା ପାର୍ଟି’କୁ ସାମାଲୋଚନା କରିଛନ୍ତି । ରଘୁବର ରାଜଭବନକୁ ପାର୍ଟି ଅଫିସ ଭଳି ବ୍ୟବହାର କରୁଥିଲେ । ତାଙ୍କ ପୁଅ ‘ଏଏସଓ’ଙ୍କୁ ମାଡ ମାରିବା ଘଟଣାରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ବୋଲି ଅରୁଣ ପ୍ରଶ୍ନ କରି ରଘୁବରଙ୍କ ‘ଲାଲ ସାହେବ ଉପାଖ୍ୟାନ’କୁ କଟାକ୍ଷ କରିଛନ୍ତି ।
- ପଣ୍ଡିତ ପୁଅ ମାଙ୍କଡ ମାରିଲେ ମାଫ : ଅରୁଣ
ଆଜି ନୟାଗଡ଼ ‘ବିଜୁ ଜନତା ଦଳ’ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅରୁଣ କହିଛନ୍ତି,‘‘ ରଘୁବର ରାଜ୍ୟପାଳ ବିଜେପିର ଏଜେଣ୍ଟ ଥିଲେ । ତାଙ୍କ ନିଜ ପୁଅ ରାଜଭବନର ଜଣେ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଆଜି ପର୍ଯ୍ୟନ୍ତ ବନ୍ଧା ହେଲେ ନାହିଁ । ଅପରାଧ କରି କିଭଳି ତାଙ୍କ ପୁଅ ଖସିଗଲେ । ସେ ଲୋକଙ୍କ ରାଜ୍ୟପାଳଙ୍କ ପୁଅ, ନା ଲାଟସାହେବଙ୍କ ପୁଅ । ପଣ୍ଡିତ ପୁଅ ମାଙ୍କଡ ମାରିଲେ ମାଫ୍ କି ।’’
- କେତେ ଅଭିଯୋଗ ସମାଧାନ ହେଇଛି, ସରକାର ତଥ୍ୟ ରଖନ୍ତୁ : ଅରୁଣ
ସେହିପରି ରଘୁବର ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ଶୁଣୁଥିବା ନେଇ ବିଜେପିର ପ୍ରତିକ୍ରିୟାରେ ଅରୁଣ କହିଛନ୍ତି ‘‘ ରଘୁବର ୩୦ ଜିଲ୍ଲା ବୁଲି ଲୋକଙ୍କ ସହିତ ସୁସମ୍ପର୍କ ରଖିବା ସହ ଲୋକମାନଙ୍କର ଅଭିଯୋଗ ଶୁଣୁଥିଲେ ବୋଲି ବିଜେପି କହୁଛି । ୩୦ ଜିଲ୍ଲାରୁ ରଘୁବର ଆଣିଥିବା ଅଭିଯୋଗର ସମାଧାନ କେତେ ହୋଇଛି । ଏହା ରାଜ୍ୟ ସରକାର ପ୍ରକାଶ କରନ୍ତୁ ।’’
- ବିଜେପି ଏଜେଣ୍ଟ ହୋଇ ଜିଲ୍ଲା ବୁଲୁଥିଲେ: ଅରୁଣ
ଅରୁଣ କହିଛନ୍ତି,‘‘ ସେ ଯେଉଁ ୩୦ ଜିଲ୍ଲା ବୁଲୁଥିଲେ, ବିଜେପିର ଏଜେଣ୍ଟ ହୋଇ ସ୍ଥିତି ବୁଝୁଥିଲେ । ବିଜେଡିକୁ ବଦନାମ କରୁଥିଲେ । କୌଣସି ସ୍ଥାନରେ ମାଟି ମୁଠାଏ ପକାଇବା କ୍ଷମତା ରାଜ୍ୟପାଳଙ୍କ ନଥାଏ, ଯାହା କରନ୍ତି ରାଜ୍ୟ ସରକାର । ରଘୁବର ଯେତେ ସବୁ ଅଭିଯୋଗ ଆଣିଥିଲେ, ତାହା କାହାକୁ ଦେଇଛନ୍ତି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ବିଜେପି ସରକାର ଏହାକୁ ଲୋକଲୋଚନକୁ ଆଣନ୍ତୁ ନଚେତ କେତେ ଅଭିଯୋଗ କେତେ ସମାଧାନ କରିଛନ୍ତି ତାହା ପ୍ରକାଶ କରନ୍ତୁ ।’’
- ଅଭିଯୋଗ ଶୁଣିବା ନୁହେଁ ବିଜେପିର ପ୍ରଚାର କରୁଥିଲେ: ଅରୁଣ
ଅରୁଣ କହିଛନ୍ତି,‘‘ରଘୁବର ଅଭିଯୋଗ ଶୁଣିବାକୁ ନୁହେଁ, ବିଜେପିର ପ୍ରଚାର କରିବାକୁ ଯାଉଥିଲେ । ଯଦି ରଘୁବର ଭଲ ରାଜ୍ୟପାଳ ଥିଲେ, ତେବେ ଦଳ ତାଙ୍କୁ କାହିଁକି ତଡିଲା ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ବିଜେପି ଏହାର ଉତ୍ତର ଦେଉ ।’’
- ଗଣେଶୀ ଲାଲଙ୍କ ଉଦାହରଣ ଦେଲେ ଅରୁଣ
ଏହା ସହିତ ଅରୁଣ, ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲଙ୍କ ଉଦାହରଣ ଦେଇଛନ୍ତି । ଗଣେଶୀ ଲାଲଙ୍କୁ ଲୋକ ଶହେ ପ୍ରତିଶତ ମାର୍କ ଦେବେ କିନ୍ତୁ ରଘୁବର ୧୦ ପ୍ରତିଶତ ମାର୍କ ପାଇବେ କି ନାହିଁ, ବୋଲି କହିଛନ୍ତି ଅରୁଣ ।
ଇଟିଭି ଭାରତ, ନୟାଗଡ