ଭୁବନେଶ୍ବର: ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି । ଦଳ ସଭାପତି ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ସାମାଜିକ ନ୍ୟାୟ ହାସଲ ଦିଗରେ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି ନବୀନ କହିଛନ୍ତି ।
- ସଂଘୀୟ ବ୍ୟବସ୍ଥା ହେଉଛି ଆମର ଏକତାର ମୂଳଦୁଆ: ନବୀନ
ପତାକା ଉତ୍ତୋଳନ ପରେ ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି,"ଭାରତ ଏକ ମହାନ ଦେଶ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆମ ସ୍ୱାଧୀନତା ସଂଗ୍ରାମ ସାରା ବିଶ୍ୱକୁ ଶାନ୍ତି, ଅହିଂସା ଓ ମୈତ୍ରୀର ବାର୍ତ୍ତା ଦେଇଛି । ଏହି ଅବସରରେ ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଉଛି । ଆମ ସମ୍ବିଧାନର ଜନକ ଡଃ.ବି.ଆର ଆମ୍ବେଦକରଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆମ ସମ୍ବିଧାନ ହେଉଛି ଏକତାର ଗ୍ରନ୍ଥ । ବହୁ ଭାଷା, ଧର୍ମ ଏବଂ ଜାତିକୁ ନେଇ ଗଠିତ ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ଆମ ସମ୍ବିଧାନ ସଫଳ ହୋଇଛି । ନ୍ୟାୟ, ସ୍ୱାଧୀନତା, ଭ୍ରାତୃତ୍ୱ ଓ ସମାନତା ଆମର ସମ୍ବିଧାନର ସ୍ତମ୍ଭ । ସଂଘୀୟ ବ୍ୟବସ୍ଥା ହେଉଛି ଆମର ଏକତାର ମୂଳଦୁଆ । ଆମ ସମ୍ବିଧାନ ରାଜ୍ୟ ଗୁଡିକର ଅଧିକାରକୁ ସୁରକ୍ଷିତ ରଖିଛି ।"
- ସାମାଜିକ ନ୍ୟାୟ ଦିଗରେ ବଢିବାକୁ ହେବ: ନବୀନ
ନବୀନ ଆହୁରି ମଧ୍ୟ କହିଛନ୍ତି, "ସାମାଜିକ ନ୍ୟାୟ ପାଇଁ ଆମ ସମ୍ବିଧାନର ଗୁରୁତ୍ୱପୂର୍ଣ ନିର୍ଦ୍ଦେଶ । ସାମାଜିକ ନ୍ୟାୟ ଦିଗରେ ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି । ବିଗତ 7 ଦଶନ୍ଧିରେ ଭାରତ ଅନେକ ସଫଳତାର କାହାଣୀ ଲେଖିଛି । ଓଡ଼ିଶାର ଅବଦାନ କୌଣସି କ୍ଷେତ୍ରରେ କମ ନାହିଁ । 2000ରୁ 2024 ମଧ୍ୟରେ ଓଡିଶା ବିକାଶ କ୍ଷେତ୍ରରେ ଅନେକ ମାଇଲଷ୍ଟୋନ ହାସଲ କରିପାରିଛି । ଏବେ ଭାରତ ସରକାରଙ୍କ ନୀତି ଆୟୋଗ ଆମ କାମକୁ ସ୍ୱୀକୃତି ଦେଇଛନ୍ତି । ବିତ୍ତୀୟ ସ୍ୱାସ୍ଥ୍ୟ ଇନଡେକ୍ସରେ ଓଡିଶା ଏକ ନମ୍ବର ହୋଇଛି । ବିକାଶ ସବୁବେଳେ ଆମର ଫୋକ୍ସ ହୋଇ ରହିଛି ଓ ରହିବ । ଓଡିଶାବାସୀଙ୍କ ସେବା ଜାରି ରଖିବା ପାଇଁ ଆହ୍ୱାନ ଜଣାଉଛି ।"
ଏହା ମଧ୍ୟ ପଢନ୍ତୁ :- କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପାଳନ, ବିଶ୍ୱ ଦେଖିଲା ଭାରତର ଶକ୍ତି ଗାନ୍ଧୀ ମାର୍ଗରେ ଉଡିଲା ତ୍ରିରଙ୍ଗା, ପ୍ରଜ୍ଞାପନ ମେଢରେ ଉତ୍କଳୀୟ ଐତିହ୍ୟ ସଂସ୍କୃତି ଝଲକ |
ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "76ତମ ଜନରାଜ୍ୟ ଦିବସ ବିଜେଡି ମୁଖ୍ୟାଳୟରେ ପାଳିତ ହୋଇଛି । ଜାତୀୟ ସଙ୍ଗୀତ ଗାନ ସହ ସ୍ୱାଧୀନତା ସଂଗ୍ରାମର ମହାନ ନେତାଙ୍କ ସ୍ମୃତି ଚାରଣ କରାଯାଇଛି । ବିରୋଧୀ ଦଳ ନେତା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।‘‘
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏକାମ୍ର ଗାନ୍ଧୀ ସ୍ବର୍ଗତଃ ପଣ୍ଡିତ ରଘୁନାଥ ମହାପାତ୍ରଙ୍କ ନାତୁଣୀ ମିତ୍ରା ପଣ୍ଡାଙ୍କୁ ନବୀନ ସମ୍ବର୍ଦ୍ଧିତ କରିଥିଲେ । ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଓ ଜନସାଧାରଣ ଯୋଗ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର