କେନ୍ଦ୍ରାପଡା: ବିଶ୍ୱପ୍ରସିଦ୍ଧ ଜୈବମଣ୍ଡଳ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜି(ସୋମବାର)ଠୁ ଆରମ୍ଭ ହେବାକୁ ଯାଉଛି ଡଲଫିନ୍ ଗଣନା । ଆଜି ଅର୍ଥାତ ୨୭ ତାରିଖ(ସୋମବାର)ଠାରୁ ୨୯ ତାରିଖ ବୁଧବାର ପର୍ଯ୍ୟନ୍ତ,ତିନିଦିନ ଧରି ଡ଼ଲଫିନ୍ ଗଣନା କରାଯିବ । ଧାମରା ମୁହାଣ ଠାରୁ ଦେବୀ ନଦୀ ମୁହାଣ ଯାଏଁ ସମୁଦ୍ର ମଧ୍ଯରେ ଏବଂ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ଯରେ ଥିବା କ୍ରିକ୍ ଓ ନଦୀରେ ଏହି ଗଣନା କରାଯିବ ।
- ୫ଟି ରେଞ୍ଜର ୯ଟି ସ୍ଥାନରେ ହେବ ଗଣନା
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣନା ପାଇଁ ବିଶେଷଜ୍ଞଙ୍କ ଟିମ୍ ଗଠନ କରାଯାଇଛି । ପ୍ରତ୍ୟକ ଟିମରେ ୩ରୁ ୫ଜଣ ଗଣନାକାରୀ ସାମିଲ ହେବେ ।ସମୁଦ୍ର ମଧ୍ଯରେ କିଛି ଟିମ୍ ଏବଂ ନଦୀ ଓ କ୍ରିକରେ ଆଉ କିଛି ଗଣନାକାରୀ ଟିମ୍ଙ୍କ ନିୟୋଜିତ ହେବ । ଏହି ଗଣତି ପ୍ରକ୍ରିୟାରେ ବାଇନାକୁଲାର, ଜିପିଏସ, କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ଯବହାର କରାଯିବ । ଏହି ଗଣନା ସକାଳରୁ ଆରମ୍ଭ ହୋଇ ପାଖାପାଖି ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ରାଜନଗର ବନଖଣ୍ଡ ଅଧିନରେ ଆସୁଥିବା ୫ଟି ରେଞ୍ଜର ୯ଟି ସ୍ଥାନରେ ଏହି ଗଣନା କରାଯିବ । ଭିତରକନିକା ସଂଲଗ୍ନ ନଦୀ, କ୍ରିକ ଓ ସମୁଦ୍ରରେ ସାଧାରଣତଃ ୫ ପ୍ରଜାତିର ଯଥା ଇରାୱାଡି, ବଟଲନୋଜ, ହମ୍ପବ୍ୟାକ, ଫିନ୍ଲେସ ପାରିପଏସ ଓ ଗାଙ୍ଗଟିକ୍ ପ୍ରଜାତିର ଡଲଫିନ ଦେଖା ଯାଇଥାନ୍ତି ।
- ୨୦୧୫ ରୁ ଭିତରକନିକାରେ ହୋଇ ଆସୁଛି ଡଲଫିନ ଗଣନା
ସୂଚନାଯୋଗ୍ଯ, ରାଜ୍ଯ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ୨୦୧୫ରୁ ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି । ବନ ବିଭାଗ ତଥ୍ଯ ଅନୁଯାୟୀ, ୨୦୧୯ ମସିହାରେ ମୋଟ ୧୧୨ ଟି, ୨୦୨୦ ମସିହାରେ ମୋଟ ୬୨ ଟି, ୨୦୨୧ ମସିହାରେ ମୋଟ ୩୪୨ ଟି ଏବଂ ୨୦୨୨ରେ ୫୫୦ଟି ଡଲଫିନ ଗଣନା କରାଯାଇଥିଲା । ୨୦୨୨ରେ ସାରା ଓଡ଼ିଶାରେ ୭୩୩ ଟି ଡ଼ଲଫିନ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ଭିତରକନିକା ଜାତୀୟ ଉଦ୍ୟାନରେ ୫୫୦ଟି ଡ଼ଲଫିନ ଚିହ୍ନଟ ହୋଇଥିଲା ଯାହା କେନ୍ଦ୍ରାପଡା ଜିଲ୍ଲାର ଗହୀରମଥା ଓ ଭିତରକନିକା ପାଇଁ ଗୌରବ ଆଣିଦେଇଥିଲା ।
ଏହା ମଧ୍ୟ ପଢନ୍ତୁ: |
- ଏଥର ବଢିଛି କୁମ୍ଭୀର ସଂଖ୍ୟା
ଆଜି ଏହି ଗଣନା କାର୍ଯ୍ୟ ସମ୍ପାଦନ ପାଇଁ ତାଲିମ କାର୍ଯ୍ୟ ଶେଷ ହୋଇଥିବା ବେଳେ ଟିମ୍ଗୁଡିକ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଗତବର୍ଷ ପ୍ରତିକୂଳ ପାଗ ଯୋଗୁଁ ଡ଼ଲଫିନ ଗଣନା ସଠିକ୍ ଭାବରେ ହୋଇ ପାରିନଥିଲା । ତେବେ ଏଥର ପ୍ରକ୍ରିୟା ସଠିକ୍ ଭାବେ ହେବା ସହ ସଠିକ ଫଳାଫଳ ଆସିବା ଓ ଡଲଫିନଙ୍କ ସଂଖ୍ୟା ପୂର୍ବାପେକ୍ଷା ବୃଦ୍ଧି ହେବା ନେଇ ପ୍ରକୃତିପ୍ରେମୀ ଆଶା ରଖିଛନ୍ତି । ନିକଟରେ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ଶେଷ ହୋଇଛି । ଗତବର୍ଷ ଅପେକ୍ଷା ଏଥର କୁମ୍ଭୀର ସଂଖ୍ୟା 15ଟି ବୃଦ୍ଧି ପାଇ 1826 ରେ ପହଞ୍ଚିଛି । ସେହିପରି ଜାତୀୟ ଉଦ୍ୟାନରେ ଏଥର ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ପୂର୍ବା ବର୍ଷ ଅପେକ୍ଷା ସାମାନ୍ୟ ବଢିଛି । ଯାହାକୁ ନେଇ ପ୍ରକୃତିପ୍ରେମୀ ଓ ପରିବେଶବିତମାନେ ସନ୍ତୋଷ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା