ପୁରୀ: ରାଜ୍ୟରେ ନିର୍ବାଚନକୁ ନେଇ ନାମାଙ୍କନ ଭରିବା ପର୍ବ ଚାଲିଥିବା ବେଳେ ଆଜି (ମଙ୍ଗଳବାର) ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ରଥ । ସତ୍ୟବାଦୀରୁ ବିଶାଳ ବାଇକ୍ ରାଲି କରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମନୋଜ ।
ପୁରୀ ଲୋକସଭା ଅଧୀନରେ ଥିବା ନିର୍ବାଚନ ମଣ୍ଡଳୀ ଗୁଡିକର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲର ଦ୍ଵିତୀୟ ଦିବସରେ ପୁରୀ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଂଗ୍ରେସର ବିଧାନସଭା ପ୍ରାର୍ଥୀ ମନୋଜ ରଥ ନାମାଙ୍କନ ଭରିଛନ୍ତି । ଆଜି ସତ୍ୟବାଦୀରୁ ଏକ ବିଶାଳ ବାଇକ୍ ରାଲି କରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ମନୋଜ ରଥ । ମନୋଜଙ୍କ ସହ ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନଙ୍କ ଶହ ଶହ ସମର୍ଥକଙ୍କ ସହ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ନାମାଙ୍କନପତ୍ର ଦାଖଲ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନୋଜ କହିଛନ୍ତି, "ସତ୍ୟବାଦୀରେ ଅନେକ ସମସ୍ୟା ରହିଛି । ବିଶେଷ କରି ଏଠାକାର ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଥିବାବେଳେ ଚାଷୀ ସମସ୍ୟା ଭଳି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ସମସ୍ୟା ରହିଛି । କଣାସ ବନ୍ୟା ପ୍ଲାବିତ ଅଞ୍ଚଳ ହେଇଥିବା ବେଳେ ଏହି ଅଞ୍ଚଳର ସମସ୍ୟା ସମାଧାନ ବିଜେଡି ସରକାର କରିନାହିଁ । ଚାଷ ଜମିକୁ କେନାଲ ମାଧ୍ୟମରେ ଜଳ ପହଞ୍ଚି ପାରୁନି । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନରେ ଏବେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅବହେଳିତ ଅବସ୍ଥାରେ ଅଛି । ରାଜନୀତି ହେଉଛି ଜନ ସେବା କରିବାର ପ୍ରକୃଷ୍ଠ ମଞ୍ଚ । ତେଣୁ ଜନସେବା ପାଇଁ ମୁଁ ନିର୍ବାଚନ ଲଢ଼ୁଛନ୍ତି । ଲୋକଙ୍କ ମୌଳିକ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢୁଛି । ଚଳିତ ନିର୍ବାଚନରେ ଭୋଟର୍ କଂଗ୍ରେସକୁ ଭୋଟ ଦେଇ ଜୟଯୁକ୍ତ କରାଇବେ ।"