ଭୁବନେଶ୍ୱର: ଶଙ୍ଖ ଭବନରେ କ୍ୟାଣ୍ଟିନକୁ ନେଇ ତେଜିଲା ରାଜନୀତି । ଦଳୀୟ କାର୍ଯ୍ୟାଳୟ ନା ହୋଟେଲ କହି ବିଜେପି ସମାଲୋଚନା କରିଥିବା ବେଳେ ଶସ୍ତା ରାଜନୀତି କହିଛି ବିଜେଡି ।
ଶଙ୍ଖ ଭବନରେ କ୍ୟାଣ୍ଟିନକୁ ନେଇ ତେଜିଲା ରାଜନୀତି
ବିଜେଡିର କାର୍ଯ୍ଯାଳୟ ତଥା ଶଙ୍ଖ ଭବନରେ ହୋଟେଲ ଚଳାଇବାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ବିଏମସି ପାଖରୁ କାର୍ଯ୍ୟାଳୟ ପାଇଁ ଅନୁମତି ନେଇ ସେଠାରେ ବିଜେଡ଼ି କେମିତି ହୋଟେଲ ଚଳାଉଛି ବୋଲି ବିଜେପି ପ୍ରଶ୍ନ କରିଛି ।
କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି, "ଶଙ୍ଖ ଭବନ ଦଳୀୟ କାର୍ଯ୍ଯାଳୟ ନା ହୋଟେଲ । ବିଏମସି ପାଖରୁ କାର୍ଯ୍ୟାଳୟ ପାଇଁ ଅନୁମତି ନେଇ ସେଠାରେ ବିଜେଡ଼ି କେମିତି ହୋଟେଲ ଚଳାଉଛି । ଯଦି ହୋଟେଲ କରିବେ ସେ ଜାଗା ପାଇଁ ଅନୁମତି ବାର୍ଯ୍ୟାପ୍ତି କରାଯାଉ । ଏହା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଷ୍ଟାର ହୋଟେଲରେ ପରିଣତ ହୋଇପାରେ ବିଜେଡ଼ି କାର୍ଯ୍ୟାଳୟ । ଅନ୍ୟ ରାଜନୈତିକ ଦଳ ଏଭଳି କରିବାକୁ ସାହାସ ପାଇବେ । ଏହା ଉପରେ ସରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ନିଅନ୍ତୁ । ଭାରତୀୟ ରାଜନୀତି ଇତିହାସରେ ଏହା ବିରଳ । ବିଜେଡ଼ି 24 ବର୍ଷ ଶାସନ କଲା ପରେ 2021 ମସିହାରେ ଦଳର ନୂଆ କାର୍ଯ୍ୟାଳୟ କରିବା ପାଇଁ ବିଏମସି ଠାରୁ ଅନୁମତି ପାଇଥିଲା । ଜମି ମଧ୍ୟ ବିଜେଡ଼ି କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଅଛି । 24 ନିର୍ବାଚନ ପୂର୍ବରୁ ଉଦଘାଟନ କରାଯାଇଥିଲା । ସର୍ବସାଧାରଣ ଭାବେ ଦଳୀୟ କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ବିଜେଡ଼ି କାର୍ଯ୍ୟାଳୟ ହୋଟେଲରେ ପରିଣତ ହୋଇଛି । ତେବେ ଏଭଳି ଘଟଣା ରାଜ୍ୟ ରାଜନୀତିରେ କେବେ ଦେଖିବାକୁ ମିଳିନି । କୌଣସି ସ୍ଥାନରେ କେବେ ରାଜନୈତିକ ଦଳ କାର୍ଯ୍ୟାଳୟକୁ ହୋଟେଲ କରିନଥିଲେ । ବିଜେଡି ଏହାର ଉତ୍ତର ଦେବା ଦରକାର ।"
ଶସ୍ତା ରାଜନୀତି କରୁଛି ବିଜେପି: ବିଜେଡି
ସେପଟେ ବିଜେପିର ପ୍ରଶ୍ନର ଜବାବ ରଖିଛି ବିଜେଡି । ଶସ୍ତା ରାଜନୀତି କରାଯାଉଥିବା କହିିବା ସହ ଶଙ୍ଖ ଭବନ କ୍ୟାଣ୍ଟିନରେ ଖାଇବାକୁ ବିଜେପିକୁ ଆମନ୍ତ୍ରଣ କରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ବିଜେପି ଶସ୍ତା ରାଜନୀତି କରୁଛି । ସରକାର କେମିତି ଚଳେଇବେ ସେ କଥା ନଦେଖି ବିଜେଡି କେଉଁଠି କଣ କଲା ଦେଖୁଛନ୍ତି । ଶଙ୍ଖ ଭବନ ଯେତେବେଳେ ତିଆରି ହୋଇଥିଲା, ସେତେବେଳେ ଗୋଟିଏ କଥା କୁହାଯାଇଥିଲା । ଶଙ୍ଖ ଭବନ ଲୋକଙ୍କର କାର୍ଯ୍ୟାଳୟ । ଶଙ୍ଖ ଭବନରେ ବିଜେଡିର ନିତିଦିନିଆ କାର୍ଯ୍ୟକ୍ରମ ରହିଛି । ସଦସ୍ୟ ଗ୍ରହଣ ଅଭିଯାନ, ଆନ୍ଦୋଳନ କରିବା ଲାଗି ପ୍ରସ୍ତୁତି ବୈଠକ ହୁଏ । ପ୍ରତିଦିନ ଶଙ୍ଖ ଭବନ ଚଳଚଞ୍ଚଳ ହୁଏ । ଶଙ୍ଖ ଭବନରେ ଗୋଟେ କ୍ୟାଣ୍ଟିନ ଅଛି । ଶହ ଶହ, ହଜାର ହଜାର ବିଜେଡି ନେତା ଓ କର୍ମୀ ଆସୁଛନ୍ତି । ସେମାନେ ଖାଉଛନ୍ତି । ତାଙ୍କ ସହିତ ସାଧାରଣ ଲୋକ ଆସୁଛନ୍ତି, ସେମାନେ ମଧ୍ୟ ଖାଉଛନ୍ତି । କ୍ୟାଣ୍ଟିନରେ ଖାଇବା କଣ ଖରାପ ? ରେଳବିଭାଗ, ସଂସଦ, ରାଜ୍ୟ ସରକାରଙ୍କ ପ୍ରତି ବିଭାଗର କ୍ୟାଣ୍ଟିନ ରହିଛି । ସେଠାରେ କଣ ଲୋକ ଖାଉ ନାହାନ୍ତି । ବିଜେପି ନେତାଙ୍କୁ ଶଙ୍ଖ ଭବନ କ୍ୟାଣ୍ଟିନକୁ ନିମନ୍ତ୍ରଣ କରୁଛି । ତାଙ୍କର ଯେତେବେଳେ ଖାଇବାକୁ ଇଛା ହେଉଛି, ସେମାନେ ଶଙ୍ଖ ଭବନ କ୍ୟାଣ୍ଟିନରେ ବସି ଖାଆନ୍ତୁ ।"
'କ୍ୟାଣ୍ଟିନ ପାଇଁ ଆବଶ୍ୟକ ଲାଇସେନ୍ସ'
ଅନ୍ୟପଟେ ଅଲ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଅଫ ଟ୍ରେଡ୍ ୟୁନିଅନ୍ସ ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡା ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଦାତବ୍ୟ ଅନୁଷ୍ଠାନ ହେଉ ବା ରାଜନୈତିକ ଅନୁଷ୍ଠାନ ଯଦି କ୍ୟାଣ୍ଟିନ ଚଳାଉଛନ୍ତି ତେବେ ଲାଇସେନ୍ସ ଆବଶ୍ୟକ । ନିୟମ ଅନୁସାରେ 40 ରୁ 50 ଜଣ କର୍ମଚାରୀ ଥିଲେ ସେ କର୍ମଚାରୀମାନଙ୍କୁ ରିହାତି ଦରରେ ଖାଦ୍ୟ ଖାଇବାକୁ ମିଳିବାର ନିୟମ ରହିଛି । 20ରୁ ଅଧିକ କର୍ମଚାରୀ କାମ କରୁଥିଲେ ସେମାନେ ଇପିଏଫ ସୁବିଧା ପାଇ ପାରିବେ । ଯଦି ବ୍ୟବସାୟିକ ପଞ୍ଜିକରଣ କରିନଥିବେ ତାହେଲେ ସେ ଅନୁଷ୍ଠାନ ଆଇନ ପରିସରଭୁକ୍ତ ହେବାର ଆବଶ୍ୟକତା ରହିଛି । ଜଣେ ଶ୍ରମ ଅଧିକାରୀ ତଦାରଖ କରି ରିପୋର୍ଟ ଦେଲାପରେ ପଞ୍ଜିକରଣ ମିଳିପାରିବ । ରାଜନୈତିକ ଦଳ ମାନେ କ୍ୟାଣ୍ଟିନ କରିପାରିବେ, କିନ୍ତୁ ବ୍ୟବସାୟିକ ପଞ୍ଜିକରଣ ଆବଶ୍ୟକ ।"
ଏହାମଧ୍ୟ ପଢନ୍ତୁ... ଚାଷୀଙ୍କଠୁ କେତେ ଧାନ କିଣିଛନ୍ତି ସରକାର ? ବଡ଼ କଥା କହିଲେ ଯୋଗାଣ ମନ୍ତ୍ରୀ ଲୋକଙ୍କ ରାଜ୍ୟପାଳ ଥିଲେ, ବିଜେପି କାହିଁକି ତଡିଲା: ଅରୁଣ ରଘୁବରଙ୍କୁ ନେଇ ଥମୁନି ରାଜନୀତି, BJD କହିଲା ରାଜ୍ୟପାଳ ନୁହେଁ BJP ଏଜେଣ୍ଟ ଥିଲେ |
ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ କ୍ୟାଣ୍ଟିନ ବ୍ୟବସ୍ଥାକୁ ନେଇ ବିଜେଡି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ବିଜେପି ଦାବି କରିଥିବା ବେଳେ ଏହାକୁ ଅଯଥା ରାଜନୀତି କରାଯାଉଥିବା ବିଜେପି କହିଛି ।
ଇଟିଭି ଭାରତ, ଭୁବନେଶ୍ୱର