ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବାସଭବନରେ ଦଳୀୟ ନେତାଙ୍କ ମେଳିକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ପ୍ରସନ୍ନ କହିଛନ୍ତି, ଦେହ ଭଲ ନାହିଁ ବୋଲି ବନ୍ଧୁମାନେ ଦେଖିବାକୁ ଆସିଛନ୍ତି । ବିଜେଡିରେ ଚାଲିଥିବା କନ୍ଦଳ ଭିତରେ ବରିଷ୍ଠ ନେତାମାନେ ପ୍ରସନ୍ନଙ୍କ ବାସଭବନରେ ଏକାଠି ହେବା ବିଭିନ୍ନ ରାଜନୈତିକ ଦିଗକୁ ଇଙ୍ଗୀତ ମଧ୍ୟ କରୁଛି । ଯାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।
- ବିଜେଡି ବିଧାୟକଙ୍କ ମେଳି:
ବରିଷ୍ଠ ନେତା ତଥା ବିଜେଡି ବିଧାୟକ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ଏକଜୁଟ ହୋଇଛନ୍ତି ଦଳର ତୁଙ୍ଗ ନେତା । ୟୁନିଟ-6 ଅଞ୍ଚଳରେ ଥିବା ପ୍ରସନ୍ନଙ୍କ ସରକାରୀ ବାସଭବନରେ ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁପିନ୍ଦର ସିଂ ପ୍ରମୁଖ ଉପସ୍ଥିତ ଥିଲେ । "ରାଜନୀତିରେ ଥିବା ବ୍ୟକ୍ତି ଯେଉଁଠି ଏକାଠି ହୁଅନ୍ତି, ସେଠାରେ ରାଜନୈତିକ ଚର୍ଚ୍ଚା ଓ ଆଲୋଚନା ହୁଏ" ବୋଲି କହିଛନ୍ତି ବିଜେଡି ନେତା ଭୁପିନ୍ଦର ସିଂ ।
- ‘ଦେହ ଭଲ ନଥିବାରୁ ବନ୍ଧୁମାନେ ଆସିଥିଲେ’
ସେପଟେ ପ୍ରସନ୍ନ କହିଛନ୍ତି, "ଦେହ ଭଲ ନାହିଁ ବୋଲି ବନ୍ଧୁମାନେ ଦେଖିବାକୁ ଆସିଛନ୍ତି ।" ସାଧାରଣ ନିର୍ବାଚନରେ ପରାଜୟ ପରେ ବିଜେଡିରେ ସବୁକିଛି ଠିକ ଠାକ୍ ନାହିଁ ବୋଲି ଚର୍ଚ୍ଚା ଲାଗି ରହିଛି । ଦଳରେ ସବୁକିଛି ଠିକ ଓ ସ୍ୱାଭାବିକ ଥିବା ନେତା କହୁଛନ୍ତି । ହେଲେ ବିଭିନ୍ନ କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ଚିତ୍ର ସାମନାକୁ ଆସିବାରେ ଲାଗିଛି । ତେବେ ବିଜେଡି ସଭାପତିଙ୍କ ଜିଲ୍ଲା ବୁଲିବା କାର୍ଯ୍ୟକ୍ରମ ଅନିଶ୍ଚିତତା ମଧ୍ୟରେ ରହିଛି । ସେହିପରି ଦଳର ସଂଗଠନ ନିର୍ବାଚନ ହେବାରେ 2 ମାସ ବିଳମ୍ବିତ ହୋଇଛି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦଳ ନିର୍ବାଚନ ଅଧିକାରୀ ନିଯୁକ୍ତି ଦେଇପାରିନାହିଁ । ଏହାରି ଭିତରେ ନେତା ଦଳ ଛାଡିବା, ନେତା ମେଳି କରିବା ଓ ଦଳର ନେତାଙ୍କ ବିରୋଧରେ ପରସ୍ପର ଆରୋପ ପ୍ରତ୍ୟାରୋପ ଜାରି ରହିଛି ।
- ପୂର୍ବରୁ ମେଳି କରିଥିଲେ ଯୁବ ନେତା
ଦଳରେ ଅସନ୍ତୋଷ ମଧ୍ୟରେ ମେଳି କରୁଛନ୍ତି ନେତା । ପୂର୍ବରୁ ଯୁବ ନେତାଙ୍କ ମେଳି ଦେଖିବାକୁ ମିଳୁଥିବା ବେଳେ ଏବେ ବରିଷ୍ଠ ବିଜେଡି ନେତା ମେଳି ଆରମ୍ଭ କରିଛନ୍ତି । ପ୍ରସନ୍ନଙ୍କ ବାସଭବନରେ ଲାଗିଥିଲା ଜଣକ ପରେ ଜଣେ ନେତାଙ୍କ ଗାଡି । ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁପିନ୍ଦର ସିଂ ଆଗୁଆ ପହଁଚିଥିବାବେଳେ ପରବର୍ତ୍ତୀ ସମୟରେ ଆସିଥିଲେ ପଦ୍ମନାଭ ବେହେରା । ପୂର୍ବାହ୍ନ ସାଢ଼େ 10ରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ନେତା ଆସିଥିଲେ । ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଛାଡି ଦେଲେ ଭେଟଘାଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପସ୍ଥିତ ଥିବା ସବୁ ନେତା ।
ଏହା ବି ପଢନ୍ତୁ... ଆଇନ ଶୃଙ୍ଖଳା ଭୁଶୁଡି ପଡିଛି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜରାସ୍ତାରେ ମୁଣ୍ଡ ଗଡୁଛି: ବିଜେଡି ଶଙ୍ଖ ଭବନ: ଦଳୀୟ କାର୍ଯ୍ୟାଳୟ ନା ହୋଟେଲ ପଚାରିଲା BJP, ଖାଇକି ଯାଆନ୍ତୁ BJDର ଜବାବ |
- ମେଳି ନୁହଁ, ସାଧାରଣ ଗସ୍ତ: ପ୍ରସନ୍ନ
ବିଜେଡିର ବୈଠକକୁ ନେଇ ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି, "ସଂଗଠନ କରିବାର ଇଚ୍ଛା ଥିଲେ, ବୟସ ବାଧକ ହୁଏନାହିଁ । ମୋ ଦେହ ଭଲ ନାହିଁ ବୋଲି ଶୁଣିକି ମୋ ବନ୍ଧୁମାନେ ମୋତେ ଦେଖିବାକୁ ଆସିଛନ୍ତି । ମୁଁ ବର୍ତ୍ତମାନ ଚିକିତ୍ସାରେ ଅଛି । ଚିକିତ୍ସା ଲାଗି ଆସନ୍ତାକାଲି ହସ୍ପିଟାଲ ଯିବି । ଏହା ମେଳି ନୁହଁ, ବରଂ ସାଧାରଣ ଗସ୍ତ ।" ମେଳି ଚର୍ଚ୍ଚାକୁ ଖଣ୍ଡନ କରିବା ସହ ବିଜେଡି ସଂଗଠନ ଆଗକୁ ବଢୁଛି ବୋଲି କହିଛନ୍ତି । ସେହିପରି ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, "ଭେଟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୁଏ । ଏହା ମେଳି ନୁହେଁ । ନୂଆବର୍ଷରେ ବନ୍ଧୁ ମାନେ ବସୁ । ଦଳ ପରାଜୟ ପୂର୍ବରୁ ବିଭିନ୍ନ ସମୟରେ ବସୁଥିଲୁ । ଏବେ ମଧ୍ୟ ବସିବୁ । ସଂଗଠନ ନିର୍ବାଚନ ଲାଗି ସମୟ ନିଆଯାଇଛି । ଠିକ ସମୟରେ ନିର୍ବାଚନ ହେବ ।"
- ବିଜେପିକୁ ଭୁପିନ୍ଦରଙ୍କ ତେରଚ୍ଛା ବାଣ:
ବରିଷ୍ଠ ନେତା ଭୁପିନ୍ଦର ସିଂ କହିଛନ୍ତି, "ଆମେ ଯେଉଁଠି ଯେତେବେଳେ ବସୁ ନିଶ୍ଚୟ ଭାବେ ସଂଗଠନ ବିଷୟରେ ଆଲୋଚନା କରୁ । ଆମ ଅନୁଷ୍ଠାନକୁ ମଜବୁତ କରିବୁ । କେଉଁଠି ଆମର ଭୁଲ ରହିଯାଉଛି ଓ ତାକୁ କିଭଳି ସୁଧାରି ଆଗକୁ ବଢ଼ିବା ଲାଗି ସବୁବେଳେ ବସୁଛୁ । ଆଜି ଆମେ କେବଳ ସୌଜନ୍ୟତା ମୂଳକ ବସିଥିଲୁ । ଡବଲ ଇଞ୍ଜିନ ଟ୍ରେନରେ ବଗି ଓଲଟି ପଡୁଛି । ଆମେ ଗାଡିରେ ଯାଉଛୁ । ଆମ ନେତା ବରିଷ୍ଠ । କନିଷ୍ଠଙ୍କ ମଧ୍ୟରେ ଭଲ ଟିମ ଗଠନ ହେଉ ବୋଲି ବରିଷ୍ଠମାନେ ଚାହୁଁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର