ହାଇଦ୍ରାବାଦ: ଭାରତୀୟ ସ୍ପେଶ ଏଜେନ୍ସି ଇସ୍ରୋ ଆଉ ଏକ ସଫଳତା ହାସଲ କରିଛି । ଗତ ଡିସେମ୍ବର 30 ତାରିଖରେ ଲଞ୍ଚ ହୋଇଥିବା ସ୍ପେଡେକ୍ସ ମିଶନ ଜରିଆରେ ଏହି ସଫଳତା ମିଳିଛି । ଏହି ମିଶନ ଜରିଆରେ ମହାକାଶକୁ ପଠାଯାଇଥିବା ଦୁଇଟି ସ୍ପେଶକ୍ରାଫ୍ଟ SDX-01 ଓ SDX-02 ମଧ୍ୟରେ ଡକିଂ ପ୍ରକ୍ରିୟା ସଫଳ ହୋଇଥିବା ନେଇ X ସାଇଟ୍ରେ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ଦୁଇ ଥର ଡକିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା, ଏହାପରେ ତୃତୀୟ ଥର ଟ୍ରାଏଲ ଡକିଂ କରିଥିଲା ଇସ୍ରୋ । ଆଜି ଶେଷରେ ଏହା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି । ଚତୁର୍ଥ ପ୍ରୟାସରେ ଏହି ସଫଳତା ହାସଲ କରିଛି ଇସ୍ରୋ ।
SpaDeX Docking Update:
— ISRO (@isro) January 16, 2025
🌟Docking Success
Spacecraft docking successfully completed! A historic moment.
Let’s walk through the SpaDeX docking process:
Manoeuvre from 15m to 3m hold point completed. Docking initiated with precision, leading to successful spacecraft capture.…
ମହାକାଶରେ ସ୍ପେଶ୍ ଡକିଂ ସଫଳ
ଆଜି (ଜାନୁଆରୀ 16) ସକାଳ ପ୍ରାୟ 10ଟା ସ୍ପେଶ୍ ଡକିଂ ସଫଳ ହୋଇଥିବା ନେଇ ଇସ୍ରୋ X ସାଇଟ୍ରେ ଘୋଷଣା କରିଥିଲା । ଏ ନେଇ ଇସ୍ରୋ କହିଛି, "ସ୍ପେଶ୍କ୍ରାଫ୍ଟ ଡକିଂ ସଫଳତାର ସହ ଶେଷ ହୋଇଛି । ଏକ ଐତିହାସିକ ମୁହୂର୍ତ୍ତ । 15 ମିଟରରୁ 3 ମିଟର ହୋଲ୍ଡ ପଏଣ୍ଟ ସମାପ୍ତ ହୋଇଛି । ସଠିକତା ସହିତ ଡକିଂ ଆରମ୍ଭ ହେଲା, ଏହାପରେ ମହାକାଶଯାନ କ୍ୟାପଚର ସଫଳ ହେଲା । ଏହାସହିତ ଡକିଂ ସଫଳତାର ସହିତ ସମାପ୍ତ ହୋଇଛି । ସଫଳ ସ୍ପେଶ୍ ଡକିଂ ହାସଲ କରିବାରେ ଭାରତ ବିଶ୍ବରେ ଚତୁର୍ଥ ଦେଶ ହୋଇଛି ।"
ସ୍ପେଶ୍ ଡକିଂରେ ଭାରତ ବିଶ୍ବରେ ଚତୁର୍ଥ
ସ୍ପେଡେକ୍ସ ମିଶନ ସଫଳ ହୋଇଛି । ଏହାର ଅର୍ଥ ମହାକାଶରେ 'ଡକିଂ' ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବିଶ୍ବରେ ଆମେରିକା, ଋଷ, ଚୀନ ପରେ ଚତୁର୍ଥ ସଫଳ ଦେଶ ଭାବେ ରେକର୍ଡ କରିଛି । ଏହାଦ୍ବାରା ଆଗାମୀ ଦିନରେ ଭାରତ ମହାକାଶରେ ନିଜର ସ୍ପେଶ ଷ୍ଟେସନ ସ୍ଥାପନ କରିପାରିବ ।
ଚତୁର୍ଥ ପ୍ରୟାସରେ ସଫଳ ହେଲା ଇସ୍ରୋ
କହି ରଖୁଛୁ କି, ପ୍ରଥମେ ଇସ୍ରୋର ଏହି ଐତିହାସିକ ଡକିଂ ପ୍ରକ୍ରିୟା ଲାଗି ଜାନୁଆରୀ 7 ତାରିଖ ଧାର୍ଯ୍ୟ କରାଯାଇଥିଲା । ହେଲେ ଇସ୍ରୋ ଏହାକୁ ସ୍ଥଗିତ ରଖି ଜାନୁଆରୀ 9 ତାରିଖରେ ଡକିଂ ପ୍ରକ୍ରିୟା ହେବ ବୋଲି କହିଥିଲା । ମାତ୍ର ପାଗ ଅନୁକୂଳ ନଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଜାନୁଆରୀ 12 ତାରିଖରେ ଇସ୍ରୋ ପକ୍ଷରୁ ତୃତୀୟ ଥର ଲାଗି ଡକିଂ ପ୍ରକ୍ରିୟା ଲାଗି ଉଦ୍ୟମ କରାଯାଇଥିଲା । ତୃତୀୟ ଥର ସମ୍ପୂର୍ଣ୍ଣ ଡକିଂ ହୋଇପାରିନଥିବା ବେଳେ ଦୁଇଟି ସାଟେଲାଇଟ୍ 3ମିଟର ପାଖକୁ ଯାଇ ଦୂରେଇ ଥିଲେ । ଏହାଦ୍ବାରା ଟ୍ରାଏଲ ଡକିଂ ସଫଳ ହୋଇଥିଲା ଇସ୍ରୋ କହିଥିଲା । ଆଜି ଚତୁର୍ଥ ପ୍ରୟାସରେ ଇସ୍ରୋ ଏହି ଐତିହାସିକ ସଫଳତା ହାସଲ କରିଛି ।
ଇସ୍ରୋକୁ ଛୁଟିଲା ଶୁଭେଚ୍ଛାର ସୁଅ
ଭାରତୀୟ ସ୍ପେଶ ଏଜେନ୍ସି ଏହି ଐତିହାସିକ ସଫଳତା ହାସଲ କରିବା ପରେ ଇସ୍ରୋକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ବିଭାଗୀୟ ମନ୍ତ୍ରୀ ଓ ସାସଂଦଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏ ନେଇ ରାଷ୍ଟ୍ରପତି ଏକ୍ସ ସାଇଟ୍ରେ ଏକ ପୋଷ୍ଟ କରି ଇସ୍ରୋକୁ ଶୁଭେଚ୍ଛା ଜଣାଇ କହିଛନ୍ତି, "ସ୍ପେଶ ଡକିଂ ଗବେଷଣା ଲାଗି ଲଞ୍ଚ ହୋଇଥିବା ଦୁଇଟି ସ୍ପେଶକ୍ରାଫ୍ଟ ମଧ୍ୟରେ ଇସ୍ରୋ ସପଳ ସ୍ପେଶ୍ ଡକିଂ କରି ଐତିହାସିକ ସଫଳତା ହାସଲ କରିଛି । ସ୍ପେଶ୍ ଡକିଂ କ୍ଷମତା ହାସଲ କରିବାରେ ଭାରତ ବିଶ୍ବରେ ଚତୁର୍ଥ ସ୍ଥାନ ହାସଲ କରିଛି । ଏହି ସଫଳତା ଚନ୍ଦ୍ରଯାନ -4, ଭାରତର ଯୋଜନାବଦ୍ଧ ସ୍ପେଶ୍ ସେଣ୍ଟର ଏବଂ ଗଗନ ଯାନ ଭଳି ମହାକାଶ ଅନୁସନ୍ଧାନରେ ଭାରତର ଭବିଷ୍ୟତ ପ୍ରୟାସ ପାଇଁ ଏକ ପଥ ପରିଷ୍କାର କରିଛି । ଭାରତର ମହାକାଶ କ୍ଷମତା ବୃଦ୍ଧି ପାଇଁ ଇସ୍ରୋ ଏବଂ ଦେଶର ସମସ୍ତ ବୈଜ୍ଞାନିକ ଏବଂ ଇଞ୍ଜିନିୟର୍ ସମ୍ପ୍ରଦାୟକୁ ଅଭିନନ୍ଦନ ।"
India’s space programme achieves historic milestone with the successful docking of the two satellites launched under Space Docking Experiment, SpaDeX! India is the fourth nation to have demonstrated space docking capability. This achievement paves the way for India's future…
— President of India (@rashtrapatibhvn) January 16, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ X ସାଇଟ୍ରେ ଏକ ପୋଷ୍ଟ କରି କହିଛନ୍ତି, "ମହାକାଶରେ ସ୍ପେଶ ଡକିଂର ସଫଳତା ପାଇଁ ଆମର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ । ଆଗାମୀ ବର୍ଷରେ ଭାରତର ଉଚ୍ଚାଭିଳାଷୀ ମିଶନ ପାଇଁ ଏହା ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ।"
Congratulations to our scientists at @isro and the entire space fraternity for the successful demonstration of space docking of satellites. It is a significant stepping stone for India’s ambitious space missions in the years to come.
— Narendra Modi (@narendramodi) January 16, 2025
କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ମଧ୍ୟ ଇସ୍ରୋକୁ ଶୁଭେଚ୍ଛା ଜଣାଇ X ସାଇଟ୍ରେ ଲେଖିଛନ୍ତି, "ଶେଷରେ ଏହା ସଫଳ ହୋଇଛି । ସ୍ପେଡେକ୍ସ ଅବିଶ୍ବସନୀୟ ଡକିଂ ପ୍ରକ୍ରିୟାକୁ ସଫଳ କରିଛି । ଏହା ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ 'ଭାରତୀୟ ଡକିଂ ସିଷ୍ଟମ' । ଭାରତୀୟ ମହାକାଶ ଷ୍ଟେସନ, ଚନ୍ଦ୍ରଯାନ-4 ଓ ଗଗନ ଯାନ ମିଶନ ସହିତ ଅନେକ ଭବିଶ୍ୟତ ମିଶନ ଲାଗି ଏହା ସହାୟକ ହେବ ।"
Congrats #ISRO. Finally made it. SPADEX has accomplished the unbelievable… docking complete… and it is all indigenous “Bharatiya Docking System”. This paves the way for smooth conduct of ambitious future missions including the Bharatiya Antriksha Station, Chandrayaan 4 &…
— Dr Jitendra Singh (@DrJitendraSingh) January 16, 2025
ଏ ନେଇ ଇସ୍ରୋର ପୂର୍ବତନ ବୈଜ୍ଞାନିକ ତଥା ପଦ୍ମ ଭୂଷମ ନାମ୍ବି ନାରାୟଣ କହିଛନ୍ତି, "ମୁଁ ଖୁସି ଅଛି । ଆଜି ଯାହା ଘଟିଛି ବର୍ଷ ବର୍ଷ ଧରି ଏହା ଆମର ସ୍ବପ୍ନ ଥିଲା । ଚୀନ, ଋଷ ଓ ଆମେରିକା ପରେ ଚୁତର୍ଥ ଦେଶ ଭାବେ ଆମେ ଆଜି ଏହି ସଫଳତା ହାସଲ କରିଛୁ । ଏହା ଇସ୍ରୋର ଭବିଷ୍ୟତ ମିଶନ ଓ ଗଗନ ଯାନ ଲାଗି ମଧ୍ୟ ଏହା ଏକ ପ୍ରାକ୍-ଆବଶ୍ୟକତା । "
#WATCH | Thiruvananthapuram | On ISRO successfully performing docking of satellites as part of SpaDeX Mission, former ISRO Scientist and Padma Bhushan Nambi Narayanan says, " my reaction is happiness. it is something we all have been dreaming of for years. it is something which… pic.twitter.com/FSU6f8ldGT
— ANI (@ANI) January 16, 2025
ଡକିଂ ପ୍ରକ୍ରିୟା କଣ ?
ପୋଲାର ସାଟେଲାଇଟ୍ ଲଞ୍ଚିଂ ଯାନ (PSLV-C60) ସ୍ପେଡେକ୍ସ ମିଶନ ଜରିଆରେ 220 କିଲୋଗ୍ରାମର ଦୁଇଟି ସାଟେଲାଇଟ୍କୁ ଡିସେମ୍ବର 30ରେ ଲଞ୍ଚ କରିଥିଲା । ଏହି ମିଶନ ମାଧ୍ୟମରେ ମହାକାଶରେ ଡକିଂ ଓ ଅନଡକିଂ ପ୍ରକ୍ରିୟାକୁ ପରୀକ୍ଷଣ କରିଛି ଇସ୍ରୋ । 'ଡକିଂ'ର ଅର୍ଥ ହେଉଛି ଗୋଟିଏ ମହାକାଶଯାନକୁ ଅନ୍ୟ ସହିତ ସଂଯୋଗ କରିବା ଏବଂ ସଂଯୁକ୍ତ ଦୁଇଟି ମହାକାଶଯାନକୁ ପୃଥକୀକରଣ ବା ଅଲଗା କରିବାକୁ 'ଅନଡକିଂ' କୁହାଯାଏ ।
ମିଶନ ସଫଳ ପରେ କଣ ହେବ ?
ଏହି ମିଶନ ଶେଷର ସଫଳ ହୋଇଛି, ଯାହାକି ଇସ୍ରୋ ପାଇଁ ଏକ ଐତିହାସିକ ସଫଳତା । କାରଣ ଏହାପରେ ମହାକାଶରେ ଅନେକ କିଛି କାର୍ଯ୍ୟ ଲାଗି ବାଟ ଫିଟିଛି । ଏବେ ଭାରତ ନିଜର ସ୍ପେଶ ଷ୍ଟେସନ ସ୍ଥାପନ କରିପାରିବ । ଏହାସହ ଚନ୍ଦ୍ରରୁ ନମୁନା ଆଣିବା, ମହାକାଶରେ ସାଟେଲାଇଟର ମରାମତି କରିବା, ଇନ୍ଧନ ଭରିବା ଓ ଅଦରକାରୀ ପଦାର୍ଥ ହଟାଇବା ଆଦି କ୍ଷେତ୍ରରେ ବହୁ ସୁବିଧା ମିଳିବ ।
SpaDeX Docking Update:
— ISRO (@isro) January 16, 2025
Post docking, control of two satellites as a single object is successful.
Undocking and power transfer checks to follow in coming days.
#SPADEX #ISRO
କେତେବେଳେ ପୂରା ସଫଳ ହେବ SpaDex ମିଶନ ?
ସ୍ପେଡେକ୍ସ ମିଶନ ଜରିଆରେ ଇସ୍ରୋ ତିନୋଟି ଗବେଷଣା କରିବାକୁ ଯାଉଛି । ପ୍ରଥମେ ଡକିଂ, ପରେ ଟ୍ରାନ୍ସଫରିଂ ଓ ଶେଷରେ ଅନଡକିଂ ହେବ । ଡକିଂ ପ୍ରକ୍ରିୟାରେ ଦୁଇଟି ସାଟେଲାଇଟ୍କୁ ମହାକାଶରେ ପାଖକୁ ନିଆଯାଇ ସଂଯୋଗ କରାଯିବ । ଟ୍ରାନ୍ସଫରିଂରେ ଚେଜର ସାଇଟେଲାଇଟ୍, ଟାର୍ଗେଟ ସାଟେଲାଇଟ୍ ସହିତ ଡକିଂ ପରେ ସାମଗ୍ରୀ ଟ୍ରାନ୍ସଫର କରିବ । ଟ୍ରାନ୍ସଫରିଂ ପରେ ଆରମ୍ଭ ହେବ ଅନଡକିଂ ପ୍ରକ୍ରିୟା । ଏହାପରେ ଟାର୍ଗେଟ ଓ ଚେଜର ସାଟେଲାଇଟ୍ ପରସ୍ପରଠାରୁ ଅଲଗା ହେବ । ଏହି ତିନୋଟି ପ୍ରକ୍ରିୟା ସଫଳ ହେଲେ ସ୍ପେଡେକ୍ସ ମିଶନ ସଫଳ ହେବ । ଏବେ ପ୍ରଥମ ଡକିଂ ପ୍ରକ୍ରିୟା ସଫଳ ହୋଇଛି ।