ପ୍ରୟାଗରାଜ(ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶରେ ଚାଲିଛି ଆସ୍ଥା ବିଶ୍ବାସର ମହାକୁମ୍ଭ ମେଳା । ହଜାର ହଜାର ସାଧୁ ସନ୍ଥଙ୍କ ଆଗମନରେ ପ୍ରୟାଗରାଜରେ ଭକ୍ତିମୟ ପରିବେଶ । ଭକ୍ତିଭାବରେ ମୁଖରିତ ଗଗନ ପବନ । ମହାକୁମ୍ଭର ଏହି ଦିବ୍ୟ ଅନୁଭୂତି ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ରୁଦ୍ରାକ୍ଷ ବାବା । ଯିଏ ବି ଜୁନା ଆଖଡା ପରିସରକୁ ଆସୁଛି ଘଡିଏ ଅଟକି ଯାଉଛି । ରୁଦ୍ରାକ୍ଷ ବାବାଙ୍କ ଦର୍ଶନ ସହ ଆଶୀର୍ବାଦ ନେଇ ଫେରୁଛି । କିଏ ଏହି ରୁଦ୍ରାକ୍ଷ ବାବା ? କାହିଁକି ରୁଦ୍ରାକ୍ଷ ବାବା ଭାବେ ପାଇଛନ୍ତି ପରିଚୟ । ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତର ପ୍ରୟାଗରାଜ ସମ୍ବାଦଦାତା ।
ପିନ୍ଧିଛନ୍ତି ରୁଦ୍ରାକ୍ଷ ମାଳ:
ରୁଦ୍ରାକ୍ଷ ବାବା ଭାବେ ପରିଚୟ ଲାଭ କରିଥିବା ଏହି ବାବାଙ୍କ ପ୍ରକୃତ ନାମ ମହନ୍ତ ବଶିଷ୍ଠ ଗିରି ଅଟେ । ବାବା ରୁଦ୍ରାକ୍ଷଙ୍କ କହିବା ଅନୁସାରେ ସେ ପୂରା ଶରୀରରେ ଦେଢ ଲକ୍ଷ ରୁଦ୍ରାକ୍ଷ ଧାରଣ କରିଛନ୍ତି । ପିଲାଟି ବେଳୁ ସାଧୁ ହେବାର ସ୍ବପ୍ନ ଦେଖୁଥିବା ଏହି ବାବା ଜଣଙ୍କୁ ଛୋଟ ବେଳୁ ଘରକୁ ତ୍ୟାଗ କରିଦେଇଥିଲେ । ଏତେ ମାତ୍ରାରେ ରୁଦ୍ରାକ୍ଷ ଧାରଣ କରୁଥିବାରୁ ଧିରେ ଧିରେ ସେ ରୁଦ୍ରାକ୍ଷ ବାବାର ପରିଚୟ ପାଇଲେ ।
କେତେ ସମୟ ଧାରଣ କରନ୍ତି ରୁଦ୍ରାକ୍ଷ:
ଇଟିଭି ଭାରତ ସହ ଆଲୋଚନା କଲା ବେଳେ ରୁଦ୍ରାକ୍ଷ ବାବା କହିଛନ୍ତି, ସେ ସକାଳୁ ନିତ୍ୟ କର୍ମ ଓ ପୂଜା ସାରିବା ପରେ ରୁଦ୍ରାକ୍ଷରେ ଶୃଙ୍ଗାର କରନ୍ତି । ରାତି 10ଟା ପର୍ଯ୍ୟନ୍ତ ଏହାକୁ ଧାରଣ କରିଥାନ୍ତି । ରାତିରେ ବାହାର କରି ରଖି ଦିଅନ୍ତି । ପୁଣି ସକାଳେ କାମ ସାରିବା ପରେ ରୁଦ୍ରାକ୍ଷ ପିନ୍ଧନ୍ତି । ଏହି ଅବସରରେ ସେ କହିଛନ୍ତି । ସନାତନର ନାରା ପ୍ରତ୍ୟେକ ଘରେ ପହଞ୍ଚିବା ଦରକାର । ପ୍ରତ୍ୟେକ ଘରେ ଗୁଞ୍ଜରିତ ହେବା ଆବଶ୍ୟକ । ମହାକୁମ୍ଭ ଏଥିପାଇଁ ହେଉଛି ।
କିଏ ଦେଲେ ରୁଦ୍ରାକ୍ଷ ବାବା ନାଁ ?
ରୁଦ୍ରାକ୍ଷ ବାବା ନାମକରଣ କେମିତି ହେଲା । ଏହି ପ୍ରଶ୍ନର ଉତ୍ତରରେ ବାବା କହିଛନ୍ତି । ପୂର୍ବରୁ ମୋ ନାଁ ମହନ୍ତ ବଶିଷ୍ଠ ଗିରି ଥିଲା । ପରେ ଗୁରୁଦେବ ନାଁ ଦେଲେ । ସେବେଠୁ ମୋ ନାମ ରୁଦ୍ରାକ୍ଷ ବାବା ଭାବେ ଜଣାଶୁଣା ।
ମହାକୁମ୍ଭ ବ୍ୟବସ୍ଥାକୁ ନେଇ କଣ କହିଲେ ରୁଦ୍ରାକ୍ଷ ବାବା ?
ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାର ଆୟୋଜନକୁ ନେଇ ବାବା କହିଛନ୍ତି, ଏଥର ଦିବ୍ୟ ଓ ଭବ୍ୟ ଭାବେ ବ୍ୟବସ୍ଥା କରାଯାଇଛି । ପୂର୍ବ 2013ରେ କୁମ୍ଭ ମେଳାରେ ଏପରି ବ୍ୟବସ୍ଥା ହୋଇନଥିଲା । ଏଥର ବିଶେଷ ବ୍ୟବସ୍ଥା କରାଯାଇଛି । କେବଳ ସାଧୁ ସନ୍ଥ ନୁହେଁ ଭକ୍ତଙ୍କ ପାଇଁ ମଧ୍ୟ ଭଲ ବ୍ୟବସ୍ଥା କରାଯାଇଛି । ଏହି ବାବା ଉତ୍ତରାଖଣ୍ଡ କେଦାରନାଥର ହୋଇଥିବା ବେଳେ ମହାକୁମ୍ଭ ପାଇଁ ପ୍ରୟାଗରାଜ ଆସିଛନ୍ତି । ଶରୀରରେ ଏତେମାତ୍ରାରେ ରୁଦ୍ରାକ୍ଷ ଧାରଣ କରିଥିବାରୁ ତାଙ୍କୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି । ଯିଏ ବି ଆସୁଛି ବାବାଙ୍କୁ ଦେଖି ଘଡ଼ିଏ ଅଟକି ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ