ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ସରକାରଙ୍କୁ ବିଜେଡିର ଟାର୍ଗେଟ । ଆଇନ ଶୃଙ୍ଖଳା ଭଙ୍ଗ ଭିଡିଓ ଓ ତଥାକଥିତ ଅପରାଧୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଫୋଟୋ ଦେଖାଇ ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ଓଡ଼ିଶାରେ ଉଦବେଗଜନକ ସ୍ଥିତି ଉପୁଜିଥିବା ବେଳେ ନୂଆବର୍ଷରେ ସରକାର ନୂଆ ଭେଟି ଦେଇଛନ୍ତି ବୋଲି ବିଜେଡି ନେତା କଟାକ୍ଷ କରିଛନ୍ତି।
- ବିଜେପିରେ ଗୋଷ୍ଠୀ କନ୍ଦଳ !
ବିଜେପିରେ ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଛି । ଟାଙ୍ଗୀ ସ୍ଥିତ ଡ୍ରିମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମରେ କଟକରୁ ଆସିଥିବା ଅରିନ୍ଦମ ରାୟଙ୍କ ସମର୍ଥକ ଓ ସାଲେପୁରରୁ ଆସିଥିବା ହିମାଂଶୁ ମହାନ୍ତିଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି ଚିତ୍ର ସାମ୍ନାକୁ ଆସିଥିଲା । ସେହିପରି ଆଇନ ମନ୍ତ୍ରୀଙ୍କର ଉପସ୍ଥିତିରେ କଟକ ସଦର ବିଧାୟକଙ୍କ ସୁରକ୍ଷାକର୍ମୀ ଓ ଜଣେ ବିଜେପି କର୍ମୀଙ୍କୁ ମାହାଙ୍ଗା ବିଧାୟକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅଭିଯୁକ୍ତଙ୍କ ଫଟୋ ଥିବା ଅଭିଯୋଗ କରି ବିଜେଡି ବିଜେପିକୁ କଡା ସମାଲୋଚନା କରିଛି ।
- ବିଜେପିକୁ ବିଜେଡିର ସମାଲୋଚନା
ବିଜେଡି ନେତା ପ୍ରଶାନ୍ତ ମୁଦୁଲି ଆଜି ପ୍ରେସମିଟ୍ କରି କହିଛନ୍ତି, "ରାଜ୍ୟରେ ବର୍ତ୍ତମାନ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ନୂଆବର୍ଷରେ ନୂଆ ସରକାର ଓଡିଶାବାସୀଙ୍କୁ ନୂଆ ଲଜ୍ଜା ଉପହାର ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ 307 ଦଫାରେ ବୁକ ହୋଇଥିବା ଦାଗୀ ଉପସ୍ଥିତ ରହୁଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହିତ ସେ ଫଟୋ ଉଠାଉଛନ୍ତି । ଗତକାଲି ନେମାଳରେ ଆଇନ ମନ୍ତ୍ରୀଙ୍କ ଉପସ୍ଥିତିରେ ଆଇନକୁ ହାତକୁ ନେଉଛନ୍ତି ବିଜେପି ସମର୍ଥିତ ସ୍ୱାଧୀନ ବିଧାୟକ । କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ତଣ୍ଟିଆ ମାରିଛନ୍ତି । ଦଳୀୟ କର୍ମୀଙ୍କ ମାଡ଼ ଅଲଗା କଥା । କିନ୍ତୁ ଜଣେ ପୋଲିସ କର୍ମଚାରୀଙ୍କୁ ହାତ ଉଠେଇବା ଚିନ୍ତାଜନକ ଓ ଲଜ୍ୟାଜନକ ଘଟଣା ।"
- ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜରାସ୍ତାରେ ମୁଣ୍ଡ ଗଡିଲା: ବଜେଡି
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡି ଗଲାଣି । ଯଦି କେନ୍ଦ୍ରମନ୍ତ୍ରୀ 307ରେ ମାମଲାରେ ଦାଗୀଙ୍କ ସହ ଠିଆ ହେବେ, କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ବିଜେଡିର ଦୁଇ ଗୋଷ୍ଠୀ ମାଡ଼ପିଟ ହେବେ । ଏମିତି ହେଲେ ଆଇନ ଶୃଙ୍ଖଳା ସ୍ଥିତି ଭଲ ହୋଇଯିବ କି ? ଗତକାଲି ସନ୍ଧ୍ୟାରେ ନେମାଳରେ ଆଇନ ମନ୍ତ୍ରୀଙ୍କ ଉପସ୍ଥିତରେ ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ନାୟକ କର୍ମୀ ଓ ସୁରକ୍ଷା କର୍ମୀଙ୍କୁ ମରଣାତ୍ମକ ଆକ୍ରମଣ କଲେ । ସାରା ରାଜ୍ୟରେ ବର୍ତ୍ତମାନ ଅରାଜକର ମାହୋଲ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜରାସ୍ତାରେ ହତ୍ୟାକାଣ୍ଡ ହେଲା । ବିଜେପି ସରକାରରେ ବାସ୍ତବ ଚିତ୍ର କଣ ଲୋକ ଅନୁଭବ କରୁଛନ୍ତି ।" ସ୍ବାଧୀନ ବିଧାୟକ ସାରଦା ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି ।
ଇଟିଭି ଭାରତ, ଭୁବନେଶ୍ବର