ନୂଆପଡା: ଆସୁଛି ସାଧାରଣ ନିର୍ବାଚନ । ତେଣୁ ଏବେ ଠାରୁ ନୂଆପଡାରେ ଦେଖାଦେଲାଣି ରାଜନୈତିକ ଉଷ୍ମତା । ଖାସ୍ କରି ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଏବେଠୁ ଲାଗିଲାଣି ନିର୍ବାଚନ ତାତି । 2024 ସାଧାରଣ ନିର୍ବାଚନରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇବେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ । ଏ ନେଇ ଅଗ୍ରସେନ ଭବନରେ ଏକ ସଭା ଆୟୋଜନ କରାଯାଇଥିଲା । ନିର୍ବାଚନ ଆଚରଣ ବିଧି ଉଲଂଘନ କରି ଲୋକଙ୍କୁ ମଦ ମାଂସ ଟଙ୍କାର ପ୍ରଲୋଭନ ଦେଖାଇ ନିର୍ଵାଚନ ରଣକ୍ଷେତ୍ରରେ ନିର୍ବାଚନ ବିଜୟୀ ହେଉଛନ୍ତି ନେତା , ଯାହାଫଳରେ ଅସତ୍ୟ ଅଧର୍ମର ବିଜୟ ହେଉଛି ।
ପରବର୍ତ୍ତୀ ସମୟରେ ଅନୈତିକ କାମରେ ନିଜକୁ ସାମିଲ କରି ସରକାରୀ ଯୋଜନା ଅର୍ଥକୁ ଲୁଣ୍ଠନ କରି ନେତାଏ ବେଆଇନ ସମ୍ପତ୍ତି ଠୁଳ କରି ଚାଲିଥିବା ଶ୍ରୀକାନ୍ତ ଚାଟାର୍ଜୀ ଅଭିଯୋଗ ଆଣିଛନ୍ତି । ଫଳରେ ସାଧାରଣ ଭୋଟର ସରକାରୀ ଯୋଜନାର ସୁଫଳ ପାଇବା ପରିବର୍ତ୍ତେ ଶୋଷଣର ଶିକାର ହେଉଛନ୍ତି । ପ୍ରବଳ ଟଙ୍କା ଖର୍ଚ କରି ବିଜୟୀ ହୋଇଥିବା ନେତା ଅଞ୍ଚଳରେ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପାଣି ଭଳି ମୌଳିକ ଅଧିକାର ଯୋଗାଇବାରେ ମନ ବଳାଉ ନାହାନ୍ତି । କେବଳ ଟଙ୍କା ରୋଜଗାର କରି ଅଧର୍ମ ଅସତ୍ୟ ପଥରେ ନିର୍ବାଚନ ବିଜୟୀ ହେଉଥିବା ନେତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଥିବା କହିଛନ୍ତି ପୂର୍ବତନ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ।