ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ ଗଠନ ନେଇ ଲାଗି ରହିଛି ଛକାପଞ୍ଝା । 6 ମାସରୁ ଉର୍ଦ୍ଧ୍ବ ସମୟ ଧରି ପିସିସି ସଭାପତି ପଦ ଖାଲି ପଡ଼ିଛି । କିଏ ହେବେ ପିସିସି ସଭାପତି? ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଥିବାବେଳେ ମାପି ଚୁପି ବୟାମନ ଦେଉଛନ୍ତି କଂଗ୍ରେସ ନେତା ।
ପିସିସି ସଭାପତି ନେଇ ତାରାଙ୍କ ବୟାନ:
ପିସିସି ସଭାପତି ଚୟନ ନେଇ ଦିଲ୍ଲୀ ଦରବାରର ନିଷ୍ପତ୍ତିକୁ ସମସ୍ତେ ଚାହିଁ ରହିଛନ୍ତି । AICC ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଓଡିଶାରୁ ୩ ଜଣ ନେତାଙ୍କୁ ଡାକରା ଆସିଥିଲା। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, CWC ସଦସ୍ୟ ଭକ୍ତ ଚରଣ ଦାଶ , କୋରାପୁଟ ତଥା ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ରାଜ୍ୟର ଅନେକ ନେତା ମଧ୍ୟ ଏବେ ଦିଲ୍ଲୀରେ ଡେରା ପକାଇଥିବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି, "ଯିଏ ଦିଲ୍ଲୀ ଯାଉଛି ଯାଉ ମୋର କିନ୍ତୁ ଯିବାର ନାହିଁ ।" ସପ୍ତଗିରି କିମ୍ବା ଭକ୍ତଙ୍କୁ ପିସିସି ସଭାପତି କରାଯିବା ପ୍ରସଙ୍ଗରେ ତାରା କହିଛନ୍ତି, ସେମାନେ ପିସିସି ସଭାପତି ହେଲେ ଭଲ । କୌଣସି ସମସ୍ୟା ନାହିଁ।"
ଏହା ବି ପଢନ୍ତୁ...ପିସିସି ରେସ୍ରେ ଯୁବକ ଓ ବୟସ୍କ, ଇସାରା ଦେଲେ ବରିଷ୍ଠ ନେତା ରାମଚନ୍ଦ୍ର କାଡାମ
ଏହା ବି ପଢନ୍ତୁ...ଜାନୁଆରୀ ସୁଦ୍ଧା ନୂଆ ପିସିସି ସଭାପତିଙ୍କ ନାଁ: ଜୟଦେବ ଜେନା
ପିସିସି ସଭାପତି ରେସରେ କାହା କିଏ?
ପିସିସି ସଭାପତି ପଦ ପାଇଁ ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ, ଭକ୍ତ ଚରଣ ଦାଶ, ସପ୍ତଗିରି ଉଲାକାଙ୍କ ନାଁ ଚର୍ଚ୍ଚାରେ ରହିଛି । ଅପରପକ୍ଷେ ଗଣମାଧ୍ୟମ ପ୍ରଶ୍ନରେ ସପ୍ତଗିରି ଏବଂ ଭକ୍ତଙ୍କ ସପକ୍ଷରେ ତାରା ବାହିନୀପତି ମତ ଦେଇଛନ୍ତି । ନିକଟରେ ଅଖିଳ ଭାରତୀୟ କଂଗ୍ରେସ କମିଟି(AICC) ର ନୂତନ କାର୍ଯ୍ୟାଳୟ (ଇନ୍ଦିରା ଭବନ)ଉଦଘାଟନ ହୋଇଛି । କଂଗ୍ରେସ ବିଧାୟକ ଦଳ ନେତା ଏବଂ ସାଂସଦ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ଏନେଇ ବରିଷ୍ଠ କଂଗ୍ରେସ ନେତା ତତା ପୂର୍ବତନ ବିଦାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "17 ତାରିଖ ଦିଲ୍ଲୀ ନୋମିନେସନ ଶେଷ ଦିନ ରହିଛି । ଏହାପରେ ଅତିଶୀଘ୍ର ରାଜ୍ୟରେ ନୂତନ ପିସିସି ଘୋଷଣା ହେବ ।"
କହିରଖୁଛୁ କିଛି ମାସ ତଳେ କଂଗ୍ରେସ ଦଳର ଦୁଇ ବରିଷ୍ଠ ପର୍ଯ୍ୟବେକ୍ଷକ ଓଡି଼ଶା ଆସି ତାଙ୍କ ରିପୋର୍ଟ ଏଆଇସିସିକୁ ପଠାଇ ଦେଇଛନ୍ତି । ସେହି ଆଧାରରେ ହିଁ ପିସିସି ସଭାପତି ଚୟନ ହେବ । ସୂଚନା ଥାଉ କି, ଜୁଲାଇ 22 ତାରିଖରୁ ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ କମିଟି ଗୁଡିକୁ ଭଙ୍ଗ କରିଛି AICC । ପରବର୍ତ୍ତୀ ସମୟରେ ପ୍ରଭାରୀ ଅଜୟ କୁମାରଙ୍କ ନେତୃତ୍ୱରେ ଏକ 14 ଜଣିଆ ଷ୍ଟିୟରିଂ କମିଟି ଗଠନ କରିଛି AICC । ଏପର୍ଯ୍ୟନ୍ତ ଷ୍ଟିୟରିଂ କମିଟିର ଏକ ବୈଠକ ମଧ୍ୟ ବସିପାରିନଥିବାବେଳେ ପିସିସି ଗଠନ କେବେ ହେଉଛି ତାହାକୁ ଅପେକ୍ଷା ।
ଇଟିଭି ଭାରତ, ଭୁବନେଶ୍ବର