ଓଡିଶା

odisha

ETV Bharat / politics

ରାହୁଲଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇ ପାରୁନି କଂଗ୍ରେସ: ରାଜନୀତି ସମୀକ୍ଷକ

Bharat Jodo Nyay Yatra in Odisha: ଓଡ଼ିଶାରେ ଚାଲିଥିବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାକୁ ଯଥେଷ୍ଟ ସମର୍ଥନ ମିଳୁଛି । ହେଲେ ତାଙ୍କ ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚାଇବାରେ କଂଗ୍ରେସ ସମର୍ଥ ହୋଇନି କହିଲେ ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

ରାହୁଲଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇ ପାରୁନି କଂଗ୍ରେସ
ରାହୁଲଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇ ପାରୁନି କଂଗ୍ରେସ

By ETV Bharat Odisha Team

Published : Feb 7, 2024, 10:13 PM IST

ରାହୁଲଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇ ପାରୁନି କଂଗ୍ରେସ

ଭୁବନେଶ୍ବର: ଭାରତ ଯୋଡ଼ ନ୍ୟାୟ ଯାତ୍ରା ମାଧ୍ୟମରେ ଓଡିଶା ଗସ୍ତରେ ଅଛନ୍ତି କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ । ଭାରତ ଯୋଡା ନ୍ୟାୟ ଯାତ୍ରାରେ ମଣିପୁରରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଜନସାଧାରଣଙ୍କୁ ଭେଟି ଦେଶର ସାମ୍ପ୍ରତିକ ସ୍ଥିତି ବିଷୟରେ ଅବଗତ କରାଉଛନ୍ତି ରାହୁଲ । ଜନସାଧାରଣଙ୍କ ସହ କଥା ହେଇ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ନ୍ୟାୟ ଭିକ୍ଷା କରୁଛନ୍ତି । ଯୁବକ ମହିଳା, ଚାଷୀ, ଦଳିତ ମାନଙ୍କ ସାମାଜିକ ସ୍ଥିତି ବିଷୟରେ କଥା ହେଉଛନ୍ତି । ତେବେ 24 ବର୍ଷ ହେବ ଓଡ଼ିଶାରେ କ୍ଷମତାରୁ ବହୁ ଦୂରରେ ରହିଥିବା କଂଗ୍ରେସକୁ ରାହୁଲଙ୍କ ଏହି ଯାତ୍ରା କେତେ ସଫଳତା ଦେବ ? ରାଜନୀତି ସମୀକ୍ଷକଙ୍କ ମତରେ ରାହୁଲ ଗାନ୍ଧୀଙ୍କ ଓଡିଶାରେ ନ୍ୟାୟ ଯାତ୍ରା ଗ୍ରହଣୀୟ, ହେଲେ କଂଗ୍ରେସ ସଂଗଠନ ଲୋକଙ୍କ ପାଖରେ ତାଙ୍କ ବାର୍ତ୍ତା ପହଞ୍ଚାଇବାରେ ଅକ୍ଷମ ।

ଆଜି (ବୁଧବାର) ଥିଲା ଓଡ଼ିଶାରେ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ ସକାଳୁ ସକାଳୁ ପ୍ରଥମେ ମହାଦେବଙ୍କୁ ଦର୍ଶନ କରିଥିଲେ ରାହୁଲ ଗାନ୍ଧୀ । ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ପୂଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଉଦିତନଗର ଛକରୁ ପାନପୋଷକୁ ପଦଯାତ୍ରା ସହ ସମାବେଶ ଆୟୋଜନ କରାଯାଇଥିଲା । ରାଜଗାଙ୍ଗପୁର, କୁତ୍ରା ଓ ବଡ଼ଗାଁ ଦେଇ ସୁନ୍ଦରଗଡ଼ରେ ପହଞ୍ଚିଥିଲେ ।

ଆସନ୍ତାକାଲି ଝାରସୁଗୁଡ଼ାରେ ପଦଯାତ୍ରା ପରେ ଛତିଶଗଡ଼ ଯିବେ ରାହୁଲ । ଏଭଳି ତମାମ କାର୍ଯ୍ୟକ୍ରମ ମଧ୍ୟରେ ପ୍ରଶ୍ନ ଉଠୁଛି... ରାହୁଲଙ୍କ ଓଡିଶା ଗସ୍ତ ରାଜ୍ୟ କଂଗ୍ରେସ ପାଇଁ କେତେ ଫଳପ୍ରଦ ହେବ ? ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ନିର୍ବାଚନରେ ରାଜ୍ୟ କଂଗ୍ରେସକୁ କେତେ ଫାଇଦା ଦେବ ? ରାହୁଲଙ୍କ ଓଡିଶା ଗସ୍ତ, ରାଜ୍ୟ କଂଗ୍ରେସକୁ ଓଡିଶାବାସୀଙ୍କ ପାଖରେ ଜନାଦୃତ କରିବାରେ ସହାୟକ ହେବ କି ?

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଚାଲିଛି ବିଜେଡି-ବିଜେପି ପାର୍ଟନରସିପ୍ ସରକାର: ରାହୁଲ ଗାନ୍ଧୀ

ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ରାହୁଲ ଗାନ୍ଧୀଙ୍କ ଓଡିଶାରେ ନ୍ୟାୟ ଯାତ୍ରା ଗ୍ରହଣୀୟ । ହେଲେ କଂଗ୍ରେସ ସଂଗଠନ ତାଙ୍କ ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚାଇବାରେ ଅକ୍ଷମ । 2018 ଫେବୃଆରୀ 6ରେ କଳାହାଣ୍ଡିର ଭବାନୀପାଟଣା ଆସିଥିଲେ ରାହୁଲ । ଠିକ ତାର 5 ବର୍ଷ ପରେ ପୁଣି ଓଡିଶା ଗସ୍ତରେ ଆସିଛନ୍ତି । 2024 ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଆଦିବାସୀ ଜିଲ୍ଲାରେ ନ୍ୟାୟ ଯାତ୍ରା କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବ । ଆଦିବାସୀ, ଦଳିତ, ପଛୁଆବର୍ଗ ସମ୍ପ୍ରଦାୟକୁ ରାହୁଲଙ୍କ ବାର୍ତ୍ତା ପହଞ୍ଚାଇବା କଂଗ୍ରେସ ନେତା ଓ କର୍ମୀଙ୍କ ପ୍ରାଥମିକତା । 2019ରେ ରାହୁଲ ଗାନ୍ଧୀ ଓଡିଶା ଆସିବା ଆଉ ଏବେ ମଧ୍ୟରେ 5 ବର୍ଷର ବ୍ୟବଧାନ ହୋଇପାରେ । କିନ୍ତୁ ରାହୁଲ ଗାନ୍ଧୀ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ନେଇ ଆସିଛନ୍ତି । ଓଡିଶା ଭଳି ରାଜ୍ୟରେ ଯେଉଁ ଖଣିଜ ସମ୍ପଦକୁ କର୍ପୋରେଟମାନେ ଦଖଲ କରୁଛନ୍ତି, ଆଉ କେନ୍ଦ୍ର ସରକାର ସେମାନଙ୍କୁ ଯେଉଁଭଳି ସହଯୋଗ ପ୍ରଦାନ କରୁଛନ୍ତି, ସେହି ଅନୁସାରେ ସେହି ଖଣିଜ ସମ୍ପଦ ଉପରେ ଶୋଇଥିବା ଗରିବ, ଆଦିବାସୀ, ଦଳିତ, ପଛୁଆବର୍ଗର ଲୋକମାନେ ନିମ୍ନସ୍ତରରେ ଅଛନ୍ତି । ଏହି ବାର୍ତ୍ତା ଯଦି ଲୋକଙ୍କ ପାଖରେ ପହଞ୍ଚିବ, ତାହେଲେ କଂଗ୍ରେସ ଜନାଦୃତ ହୋଇପାରିବ । ରାହୁଲଙ୍କୁ ଯଥେଷ୍ଟ ସମର୍ଥନ ମିଳୁଛି । କିନ୍ତୁ ତାହା ଭୋଟରେ ରୂପାନ୍ତର ହେବ ନାହିଁ । କାରଣ ତୃଣମୂଳସ୍ତରରେ ଦଳ ସେଭଳି କାର୍ଯ୍ୟ କରୁନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details