ଲକ୍ଷ୍ନୌ:ପାଖେଇ ଆସୁଛି ଲୋକସଭା ନିର୍ବାଚନ । ମତଦାନ ତାରିଖ ଯେତିକି ପାଖଉଛି ସେତିକି ସରଗରମ ହେଉଛି ଦେଶର ରାଜନୀତି । ଭୋଟ ହାତେଇବାକୁ ପ୍ରସ୍ତୁତି ଜୋରଦାର କରିଛନ୍ତି ପ୍ରତିଦ୍ବନ୍ଦ୍ବୀ ଦଳ । ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶର ମେରଟରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ସହ ପ୍ରଧାନମନ୍ତ୍ରୀ ରାଲି କରି ସମ୍ବୋଧିତ ମଧ୍ୟ କରିବେ । ଅରୁଣ ଗୋବିଲଙ୍କ ପାଇଁ ପ୍ରଚାର କରିବେ ମୋଦି ।
ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯାଉଛି ନରେନ୍ଦ୍ର ମୋଦି ଓ ଜୟନ୍ତ ଚୌଧୁରୀ । ଗତ ଫେବୃଆରୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଘୋଷଣା ହେବା ପରେ ମାର୍ଚ୍ଚ ପହିଲାରେ ତାଙ୍କ ନାତି ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ ବିରୋଧି ମେଣ୍ଟ ଛାଡି ବିଜେପି ନେତୃତ୍ବାଧିନ ଏନଡିଏରେ ସାମିଲ ହୋଇଥିଲେ । ଜୟନ୍ତ ଶନିବାର ଦିନ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଜେଜେବାପାଙ୍କ ପାଇଁ ଭାରତ ରତ୍ନ ଗ୍ରହଣ କରିଥିଲେ ।