ଭୁବନେଶ୍ବର: ବିଜେଡି ବିରୋଧରେ ପ୍ରଫୁଲ୍ଲ ଘଡେଇଙ୍କ ବିସ୍ଫୋରକ ବୟାନ । ପୁଅ ପ୍ରୀତିରଞ୍ଜନଙ୍କ ବିରୋଧରେ ଦଳୀୟ ଷଡଯନ୍ତ୍ର ହୋଇଥିବା କହିଛନ୍ତି ପ୍ରଫୁଲ୍ଲ ଘଡେଇ । ଚକ୍ରାନ୍ତ କରି ପ୍ରୀତିରଞ୍ଜନକୁ କୋରେଇରୁ ସୁକିନ୍ଦାକୁ ନେଇଗଲେ ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ଦଳର ଚକ୍ରାନ୍ତର ଶିକାର ପରେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିବା ପ୍ରଫୁଲ କହିଛନ୍ତି ।
ପ୍ରଫୁଲ୍ଲଙ୍କ ବିସ୍ଫୋରକ ବୟାନ:
ସାଧାରଣ ନିର୍ବାଚନକୁ ବିତିଲାଣି 7 ମାସରୁ ଊର୍ଦ୍ଧ୍ବ ସମୟ । ବିଜେଡିର ପରାଜୟ ପରେ ଦଳୀୟ ନେତାଙ୍କ ମଧ୍ୟରେ ମତଭେଦ ଓ ବୟାନବାଜି ଜାରି ରହିଛି । ଏହାରି ଭିତରେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ ବିଜେଡି ବିରୋଧରେେ ମୁହଁ ଖୋଲିଛନ୍ତି । ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ କହିଛନ୍ତି, "ଜୀବନର ବଡ଼ ଶତ୍ରୁ ହେଉଛି ଗର୍ବ ଓ ଅଂହକାର । ଏଥିରେ ରାଜନୈତିକ ଦଳ ନଷ୍ଟ ହୋଇଯାଏ । ଅଂହକାରରେ ସରକାର ଭାଙ୍ଗିଯାଏ । ଦଳୀୟ ଚକ୍ରାନ୍ତର ଶିକାର ହୋଇ ମୋ ପୁଅ ପ୍ରୀତିରଞ୍ଜନ ଘଡେଇଙ୍କୁ କୋରେଇରୁ ସୁକିନ୍ଦା ଗଲେ । ପ୍ରୀତି ଓ କୋରେଇବାସୀଙ୍କ ଇଚ୍ଛା ବିରୋଧରେ ପ୍ରୀତିରଞ୍ଜନଙ୍କୁ କୋରେଇ ଛାଡି ସୁକିନ୍ଦା ଯିବାକୁ ପଡିଲା । କୋରେଇରେ ପ୍ରୀତିରଞ୍ଜନ ଥିଲେ ଲୋକପ୍ରିୟ ନେତା । ପ୍ରୀତିରଞ୍ଜନ ତା' ଜନ୍ମ ମାଟି, ବନ୍ଧୁ ବାନ୍ଧବ ପ୍ରିୟ ମାଟି ଛାଡି ସୁକିନ୍ଦା ଯାଇଛି । ମୁଁ ଦେଖିଛି ସେଦିନର ଦୃଶ୍ୟ । ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ନୋମିନେସନ ଫାଇଲ କରିବା ପାଇଁ ପ୍ରୀତିରଞ୍ଜନ ଯାଉଥାନ୍ତି । ତାଙ୍କ ଆଖିରୁ ଲୁହ ଝରି ଯାଉଥାଏ । କୋରେଇବାସୀଙ୍କ ଆଖିରୁ ମଧ୍ୟ ଲୁହ ଝରିଯାଉଥାଏ । ପ୍ରୀତିରଞ୍ଜନ ସୁକିନ୍ଦା ପାଇଁ ନୁହେଁ, କୋରେଇ ପାଇଁ ନାମାଙ୍କନ କରିବାକୁ କହୁଥିଲେ । ମୋ ଆଖିରୁ ଲୁହ ଆସିଯାଉଥାଏ ।"
ସୁକିନ୍ଦାରେ ନିର୍ବାଚନ ଲଢିବାକୁ ଚକ୍ରାନ୍ତ: ପ୍ରଫୁଲ୍ଲ
ସେ ଆହୁରି ମଧ୍ୟ କହିଛନ୍ତି, ଦଳର ଚକ୍ରାନ୍ତର ଶିକାର ହୋଇ ସକ୍ରିୟ ରାଜନୀତିରୁ ସେଦିନରୁ ମୁଁ ଦୂରେଇ ଯାଇଛି । କେହି ଆମକୁ ସହଯୋଗ ନକଲେ ବି ଦଧିବାବନ ଓ ପ୍ରଭୁ ଜଗନ୍ନାଥ ଅଛନ୍ତି । ଧର୍ମ ଯାହା ପଛରେ ଅଛି, ତା' ଚଲା ପଥ କଣ୍ଟକିତ ହେବନାହିଁ ।" ସେପଟେ ପ୍ରଫୁଲ୍ଲଙ୍କୁ କାଉଣ୍ଟର କରିଛନ୍ତି ସୁକିନ୍ଦା ବିଧାୟକ ତଥା ରାଜ୍ୟ ସରକାରଙ୍କ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ବିଜେପିର ପ୍ରତିକ୍ରିୟା:
ମନ୍ତ୍ରୀ କହିଛନ୍ତି, "ସୁକିନ୍ଦା ଘଡେଇ ପରିବାରର ପାରମ୍ପରିକ ଆସନ ଥିଲା । ସୁକିନ୍ଦାରେ ନିର୍ବାଚନ ଲଢ଼ିବାକୁ ନେଇ ଚକ୍ରାନ୍ତ କେମିତି ହେଲା ? ଏଥର ପ୍ରୀତିରଞ୍ଜନ ହାରିଲେ, ସୁକିନ୍ଦାରୁ ଆଉ ଜିତି ପାରିବେ ନାହିଁ । ଲୋକ ଗ୍ରହଣ କରିବେ ନାହିଁ । ପ୍ରୀତିରଞ୍ଜନ 2009ରେ କୋରେଇରୁ ଥରେ ବିଧାୟକ ହୋଇଥିଲେ । ତେଣୁ କୋରେଇ ଆସିବାକୁ ତାଙ୍କର ଇଚ୍ଛା ।"
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଘଡେଇ ପରିବାରର ପାରମ୍ପରିକ ରାଜନୈତିକ ଶତ୍ରୁ ଦାସ ପରିବାର ଏଥର କୋରେଇରୁ ନିର୍ବାଚନ ଲଢ଼ିଥିଲେ । ତାଙ୍କୁ କାଟି ପ୍ରୀତିରଞ୍ଜନ ଏଠାକୁ ଆସିବେ । ଆସନ୍ତା ନିର୍ବାଚନରେ ପ୍ରୀତିରଞ୍ଜନ କୋରେଇ ଓ ବାପା ସୁକିନ୍ଦାରୁ ଲଢ଼ିବେ । ବାପା ପୁଅ ଦୁଇ ଜାଗାରୁ ଛିଡା ହେବେ । 90 ବର୍ଷ ବୟସରେ ପ୍ରଫୁଲ୍ଲ ଆଉ ଥରେ ନିର୍ବାଚନ ଲଢ଼ିବେ । ଦୁଇଟି ଟିକେଟ ନୁହେଁ 4 ଟା ଟିକେଟ ଦେଲେ ଘଡେଇ ପରିବାର ନେବେ । ତିନି ପୁଅ ଓ ପ୍ରଫୁଲ୍ଲ ମିଶିକି 4 ଟିକେଟରେ ଲଢ଼ିବେ । ବାପାଙ୍କର ସୁକିନ୍ଦା ମୋହ ଥିବାରୁ ପୁଅକୁ କୋରେଇ ଠେଲିବେ । ବିଜେଡି, ବିଜେପି କିମ୍ବା କଂଗ୍ରେସ କଥା ନାହିଁ । ଯେଉଁଠି ମୌକା ମିଳିବ ସେଠାକୁ ଚାଲିବେ ।"
ସେପଟେ ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, "ବିଜେଡି ଭାଙ୍ଗି ଯାଉ ବୋଲି ଆମେ କେଉଁଠି କହିନାହୁଁ । ତାଙ୍କର ଆପେ ଆପେ ଭାଙ୍ଗି ଯାଉଛି । ଅହଂକାର ବଢିଥିବାରୁ ଜନମତରେ ଜବାବ ପାଇଲେ । ଅହଂକାର ବେଶୀ ଦିନ ତିଷ୍ଠେ ନାହିଁ ।"
ଏହା ବି ପଢନ୍ତୁ...ସନାଙ୍କୁ ନବୀନଙ୍କ ତାଗିଦ; ବିଜେଡି ସଭାପତିଙ୍କ ଉଗ୍ରରୂପ ପରେ ରାଜନୈତିକ କମ୍ପନ
ଏହା ବି ପଢନ୍ତୁ...ବିଧାନସଭାରେ ‘ଓଡ଼ିଆ ଅସ୍ମିତା’ ଅର୍ଥ ପଚାରିଲେ ଅରୁଣ, ଜବାବ ଦେଲେ ସୂର୍ଯ୍ୟବଂଶୀ
ପ୍ରମିଳାଙ୍କ ଜବାବ:
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ପ୍ରମିଳା ମଲ୍ଲିକ କହିଛନ୍ତି, "ପ୍ରଫୁଲ୍ଲ ଘଡେଇ ଜାଣିଥିବେ କେଉଁଠି କିଏ ଷଡ଼ଯନ୍ତ୍ର କରିଥିଲା, ଆମେ ଜାଣିନାହୁଁ । ଦଳରେ କେଉଁ ଜାଗାରେ ଷଡ଼ଯନ୍ତ୍ର ଚାଲିନାହିଁ । କୌଣସି ଜାଗାରେ ଦଳ ଭିତରେ କୌଣସି ଷଡ଼ଯନ୍ତ୍ର ଚାଲିନାହିଁ । ଆଗରୁ ହୋଇ ନଥିଲା କି ଏବେବି ହେଉନାହିଁ । ଦଳ ଯେମିତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲିଥିଲା ସେମିତି ଚାଲିଛି । ଦଳରେ କାହାର ଅହଂକାର ବଢିନାହିଁ । ଦଳ ଯେମିତି ଚାଲିବା କଥା ଚାଲିଛି । ପ୍ରଫୁଲ୍ଲ ଘଡେଇ କାହିଁକି କହୁଛନ୍ତି ତାଙ୍କୁ ପଚାରନ୍ତୁ ।"
ଇଟିିଭି ଭାରତ, ଭୁବନେଶ୍ବର