ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ବନ୍ଦ ଘରେ 3 ଦିନ ଧରି ପଡି ରହିଲା ମୃତଦେହ । ସନ୍ଦେହଜନକ ଅବସ୍ଥାରେ ଘର ଭିତରୁ ଗୋଟିଏ ପରିବାରର 3 ଜଣଙ୍କ ମୃତଦେହ ଉଦ୍ଧାର । ଚାଉଳିଆ ଖମାର ଗ୍ରାମରେ ଘଟିଛି ଏପରି ଘଟଣା । ତିନି ମୃତକ ହେଉଛନ୍ତି 65 ବର୍ଷୀୟ ଶଙ୍କର୍ଷଣ ଦାସ, ତାଙ୍କ 40 ବର୍ଷୀୟ ଝିଅ ସୁବର୍ଣ୍ଣ ଦାସ ଓ 18 ବର୍ଷୀୟ ନାତି ସନ୍ତୋଷ ବୋଲି ଜଣାପଡିଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୋଟିଏ ପରିବାରର ଏପରି ତିନି ଜଣଙ୍କ ମୃତ୍ୟୁର କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।
3 ଦିନ ପର୍ଯ୍ୟନ୍ତ ବନ୍ଦ ଘରେ ରହିଲା ମୃତଦେହ:
ଗତ ବୁଧବାର ରାତିରୁ ଏପରି ଘଟଣା ଘଟିଥିବା ବେଳେ ଆଜି ସାମ୍ନାକୁ ଆସିଛି । ମୃତ୍ୟୁର 3 ଦିନ ପରେ ମୃତଦେହ ଉଦ୍ଧାର ହୋଇଛି । ମୃତ ଶଙ୍କର୍ଷଣଙ୍କ ବୃଦ୍ଧା ପତ୍ନୀ ପୁଷ୍ପାଞ୍ଜଳି ଏନେଇ ସୂଚନା ଦେଇଥିଲେ ମଧ୍ୟ କାହିଁକି କାହାକୁ ଏ ବିଷୟରେ ଅବଗତ କରିନଥିଲେ ତାହା ଅସ୍ପଷ୍ଟ ରହିଛି । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଫରେନସିକ ଟିମ୍ ମଧ୍ୟ ତଦନ୍ତ କରିବ ବୋଲି ଜଣାପଡିଛି ।
ମାନସିକ ବିକାରଗ୍ରସ୍ତ ଥିଲେ ମୃତକ !
ଏହି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ କହିବା କଥା ମୃତକଙ୍କ ପରିବାର ଲୋକେ ଗାଁ ରେ କାହା ସହିତ ମିଶନ୍ତି ନାହିଁ ଅବା କଥା ବାର୍ତ୍ତା ହୁଅନ୍ତି ନାହିଁ । ଏପରିକି ସେମାନେ ମାନସିକ ସ୍ତରରେ ଭଲ ନଥିବା ଅନୁମାନ କରନ୍ତି ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ । ମାତ୍ର ଶଙ୍କର୍ଷଣ ଜଣେ ଅବସର ପ୍ରାପ୍ତ ରେଳବାଇ କର୍ମଚାରୀ । ତାଙ୍କ ଝିଅ ସୁବର୍ଣ୍ଣ ବିବାହ କରିଥିଲେ ମଧ୍ୟ ସ୍ବାମୀ ପରିତ୍ୟକ୍ତ ଯୋଗୁଁ ନିଜ ବାପ ଘରେ ପୁଅକୁ ନେଇ ଅନେକ ବର୍ଷ ହେଲା ରହୁଥିଲେ ବୋଲି ଜଣାପଡିଛି ।
ମୃତ ଶଙ୍କର୍ଷଣଙ୍କ ପତ୍ନୀ ପୁଷ୍ପାଞ୍ଜଳି ଦାସ କହିଛନ୍ତି, ''ମୋ ସ୍ବାମୀ, ଝିଅ ଓ ନାତିର ମୃତ୍ୟୁ ହୋଇଛି । 8 ମାସ ହେଲା ନାତି ପାଠ ପଢିବାକୁ ଯାଉନଥିଲା । ବୁଧବାର ରାତିରେ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ଘରେ ପାରିବାରିକ କଳହ ନଥିଲା । ''
ପୋଲିସର ତଦନ୍ତ ଜାରି:
ଏନେଇ ସଦର ପୋଲିସ ଷ୍ଟେସନର ଅତିରିକ୍ତ ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, '' ଦୁଇଟି ଘରୁ 3ଟି ମୃତେଦହ ଉଦ୍ଧାର କରାଯାଇଛି । ଏହା ତିନିଦିନ ପୂର୍ବର ଘଟଣା । କୁହାଯାଉଛି ମୃତକ ମାନସିକ ବିକୃତ ଥିଲେ । ମୃତକଙ୍କ ପୁଅ ଆସିବା ପରେ ଘଟଣା ସାମ୍ନାକୁ ଆସିଥିଲା । ମୃତ୍ୟୁର କାରଣ ଜଣାପଡିନାହିଁ । ଅନେକ ଥର ସେମାନେ ଆମକୁ ଫୋନ କରିକି ଗ୍ରାମ ଲୋକ ଆମକୁ ମାରି ଦେବେ ବୋଲି କୁହନ୍ତି । ଅନେକ ସମୟରେ ସେମାନେ ଭୟଭୀତ ଅବସ୍ଥାରେ ରୁହନ୍ତି । ''
ଜଣେ ଗ୍ରାମବାସୀ କହିଛନ୍ତି, ''ସେମାନେ ଗ୍ରାମରେ ରୁହନ୍ତି କିନ୍ତୁ କାହା ସହ ମିଶନ୍ତିନି । 3 ଦିନ ପୂର୍ବରୁ ଘଟଣା ଘଟିଥିବା ବେଳେ ଦୁର୍ଗନ୍ଧ ହେବାରୁ ଆଜି ଜଣାପଡିଲା । ଗ୍ରାମ ସଭାପତି ପୋଲିସକୁ ଫୋନ କରିକି ଖବର ଦେଇଥିଲେ । ''
ଇଟିଭି ଭାରତ, ଢେଙ୍କାନାଳ