ଭୁବନେଶ୍ବର: ‘ଖରା ଆଉ ଛାଇ’ । ଯେପରି ଦୁହେଁ ଦୁହିଁଙ୍କ ପାଇଁ । ଧୁ ଧୁ ଖରାରେ ଯେବେ ଶରୀର କ୍ଲାନ୍ତ ପଡିଯାଏ । ମନ ଖୋଜେ କେଉଁଠି ଟିକେ ମିଳନ୍ତା କି ଗଛ ଛାଇ । ଟାଇଁ ଟାଇଁ ଖରାରେ ଯେତେବେଳେ ଶରୀର ଝିମ୍ ଝିମ୍ ହୋଇଯାଏ ଶରୀର ମନ ଉଭୟେ ଛାଇକୁ ଖୋଜି ବୁଲନ୍ତି । ରାଜଧାନୀରେ ସତେ ଯେପରି ମରିଚିକା ପାଲଟି ଯାଇଛି ଛାଇ । ବିକାଶ ନାଁ ଚାରିଆଡେ କଂକ୍ରିଟ ଜଙ୍ଗଲ । ରୂପାନ୍ତରିତ ସହରରେ ଯେପରି ହଜିଯାଇଛି ଜଙ୍ଗଲ । ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।
ହଜିଯାଇଛି କି ଖରା ଛାଇର ଲୁଚକାଳୀ ଖେଳ ?
ରାଜଧାନୀରେ ଆଉ ଦେଖିବାକୁ ମିଳୁନି ଖରା ଛାଇର ଲୁଚକାଳୀ ଖେଳ । ସତେ ଯେମିତି ସ୍ମାର୍ଟ ସିଟିରୁ ଉଭାନ ହେଇଯାଇଛି ଛାଇ । ଆଉ ଗୋଟେ ସାଧାରଣ ପଥିକ ପାଇଁ ପାଲଟି ଯାଇଛି ସ୍ବପ୍ନ । ଖରା ଦିନ ଆରମ୍ଭରୁ ଅସହ୍ୟ ଗରମ ଓ ତାତି ଦେଖାଯାଉଛି । ଯାହାକୁ ନେଇ ଅସ୍ତବ୍ୟସ୍ତ ଲୋକେ ।
ରାଜଧାନୀରେ ଖୋଜିଲେ ମିଳୁନି ବୁଢା ବରଗଛ !
ଚିର ବସନ୍ତର ସହରରେ ଏବେ ଦେଖିବାକୁ ମିଳୁନି ବୁଢା ବର ଗଛ କି ତାର ଶୀତଳ ଛାଇ । କେବଳ ଦେଖିବାକୁ ମିଳୁଛି ବଡ଼ ବଡ଼ କୋଠା, ଆଉ ଗାଡ଼ି ମୋଟର । ଆଧୁନିକତାର ଛାପରେ ସବୁଜ ବନାନୀ ଗଛ ପରିବର୍ତ୍ତେ କଂକ୍ରିଟ ଜଙ୍ଗଲରେ ରୂପାନ୍ତରିତ ହୋଇଛି ସହର । ଏପଟେ ବର୍ତ୍ତମାନ ସମୟରୁ ସରକାର ଜନସାଧାରଣ ନିଜେ ସଚେତନ ନହେଲେ ଆଗକୁ ଅସମ୍ଭାଳ ହେବ ବୋଲି କହିଛନ୍ତି ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ ।
![ଭୁବନେଶ୍ବର ରାସ୍ତାର ଦୃଶ୍ୟ](https://etvbharatimages.akamaized.net/etvbharat/prod-images/15-02-2025/23551154_h-1.jpg)
ଛାଇ ହଜିଯିବାର ଏପରି କିଛି କାରଣ ହୋଇପାରେ:
- ଜଳବାୟୁରେ ପରିବର୍ତ୍ତନ
- ବିକାଶ ନାଁରେ ଗଛ କଟା
- କଳାକାରଖାନା ବଢି ଚାଲିଛି
- ସହରରେ ଚାରିଆଡେ କଂକ୍ରିଟ
- ରାସ୍ତା ପ୍ରଶସ୍ତିକରଣ, ପାର୍କ ନିର୍ମାଣ, ସୌନ୍ଦର୍ଯ୍ୟକରଣ ନାଁରେ ଗଛ କଟାଯାଉଛି
ମାଟି ଥିବା ସ୍ଥାନରେ ପକାଯାଉଛି ଫେଭର ବ୍ଲକ
ମାଘରେ ଜାଡ ଗାଏବ, ଏବେଠୁ ଅସମ୍ଭାଳ:
କଥାରେ ଅଛି ମାଘ ମାସରେ ହୁଏ ଜାଡ ମାଡ । ମାଘ ମାସରେ ଜାଡ ପରି ଶୀତ ହେଉଥିଲା । ହେଲେ ଏବେ ପାଣିପାଗରେ ପରିବର୍ତ୍ତନ ଫଳରେ ମାଘ ମାସରେ ଶୀତ ଗାଏବ ହୋଇଗଲାଣି । ଅସହ୍ୟ ଖରାରେ ଲୋକେ ଆଉଟୁପାଉଟୁ ହେଲେଣି । ଗାଁ ଠାରୁ ସହର, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାତି ଓ ଝାଞ୍ଜିରେ ମଣିଷଠୁ ଆରମ୍ଭ କରି ପଶୁ ପକ୍ଷୀ, ସମସ୍ତେ କଲବଲ ହେବାକୁ ଲାଗିବେ । ରାଜଧାନୀ ଭୁବନେଶ୍ୱରର କଥା ଆହୁରି ଚିନ୍ତାଜନକ ଅଟେ । ତାତି ବଢ଼ିବା ସହ ଧିରେ ଧିରେ କଂକ୍ରିଟ ସହରରେ ପରିଣତ ହେଉଛି ରାଜଧାନୀ । ବେଧଡକ ଭାବେ ଗଛ କଟାଯାଉଥିବାରୁ ରାଜଧାନୀରେ ଛାଇ ଟିକିଏ ପାଇବା କଷ୍ଟକର ହୋଇ ପଡୁଛି ।
![ଖରାକୁ ରକ୍ଷା ପାଇଁ ଛତା ଭରସା](https://etvbharatimages.akamaized.net/etvbharat/prod-images/15-02-2025/23551154_h-3.jpg)
କଂକ୍ରିଟ ଜଙ୍ଗଲରେ ରୂପାନ୍ତରିତ ହେଉଛି ସହର:
ହାତ ଗଣତି କେତେକ ସ୍ଥାନକୁ ଛାଡ଼ିଦେଲେ ରାଜଧାନୀର ବିଭିନ୍ନ ଛକ ବଜାରରେ ଗଛଟିଏ ମଧ୍ୟ ଦେଖିବାକୁ ମିଳୁନାହିଁ । ବିକାଶ ନାଁରେ ସ୍ମାର୍ଟ ସିଟି ଆଜି କଂକ୍ରିଟ ଜଙ୍ଗଲରେ ରୂପାନ୍ତରୀକରଣ ହୋଇଛି ରାସ୍ତା ପ୍ରଶସ୍ତିକରଣ, ପାର୍କ ନିର୍ମାଣ, ସୌନ୍ଦର୍ଯ୍ୟକରଣ ନାଁରେ ଗଛ କଟାଯାଉଛି । କେବଳ ଏତିକି ନୁହଁ ମାଟି ଥିବା ସ୍ଥାନମାନଙ୍କରେ ଫେଭର ବ୍ଲକ୍ ପକାଇବା ଦ୍ଵାରା ଦୁବଘାସ ମଧ୍ୟ କଅଁଳୁ ନାହିଁ । ଯାହା ଭବିଷ୍ୟତ ପିଢ଼ି ପାଇଁ ଏବେ ଚିନ୍ତାର କାରଣ ହୋଇଛି ।
ଜଳବାୟୁ ପରିବର୍ତ୍ତନରେ କିପରି ଆସିପାରିବ ପରିବର୍ତ୍ତନ ?
- ସୌର ଶକ୍ତିର ବ୍ୟବହାର
- ପବନ ଶକ୍ତିର ବ୍ୟବହାର
- ଜଳ ଶକ୍ତିର ବ୍ୟବହାର
କେଉଁ ବିଷୟ ଉପରେ ଧ୍ୟାନ ଦେବା ?
- ଯାନବାହାନ ଚଳାଚଳ କମ୍ କରିବା
- ବ୍ୟାପକ ପରିମାଣରେ ଗଛ ଲଗାଇବା
ଏନେଇ ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, "ବିଗତ ଦିନରେ ରାଜଧାନୀ ଦେଶର ଉତ୍ତପ୍ତ ସହର ମଧ୍ୟରେ ରହିଥିଲା । ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ସମାନ ସ୍ଥିତି ରହିବ। ଯାହା ଜଳବାୟୁ ପରିବର୍ତ୍ତନ ସ୍ଥିତି ପାଇଁ ଏଭଳି ଉପୁଜିଛି । ସହରରେ ପ୍ରଦୂଷଣ ମାତ୍ରା ଅଧିକ ରହିବା ସହ କଂକ୍ରିଟ ସହର, ଅତ୍ୟଧିକ ଗାଡ଼ି ଚଳାଚଳ, ଗଛ ଲଗାଇବା ସଂଖ୍ୟା ହ୍ରାସ ଆଦି ପ୍ରମୁଖ କାରଣ ହେଉଛି । ଜାନୁଆରୀରେ ଏଭଳି ପରିସ୍ଥିତି ତେବେ ଆଗାମୀ ଦିନରେ ଏହା ଅତି ଗମ୍ଭୀର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।’
![ଭୁବନେଶ୍ବର ରାସ୍ତା](https://etvbharatimages.akamaized.net/etvbharat/prod-images/15-02-2025/23551154_1-1.jpg)
କାହିଁକି ସହରରେ ହଜିଯାଇଛି ଗଛ ଛାଇ:
‘ସହରରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଗଛ କଟା ଏକ ସାଧାରଣ କଥା ହୋଇଯାଇଛି । ଯାହା ଫଳରେ ସହର ସୁନ୍ଦର ହେବ । କିନ୍ତୁ ସହର ମଧ୍ୟରେ ଥିବା କିଛି ସ୍ଥାନରେ କୃତ୍ରିମ ଭାବରେ ନଗର ବନ ସୃଷ୍ଟି କରିବା ଆବଶ୍ୟକ । ଯାହା ଫଳରେ ସହର ବାସୀ ଏହି କଂକ୍ରିଟ ସହରରେ ଗଛର ଝଲକ ବା ଗଛ ଛାଇ ପାଇପାରିବେ" ବୋଲି କହିଛନ୍ତି ପରିବେଶ ବିତ ଜୟକୃଷ୍ଣ ପାଣିଗ୍ରାହୀ ।
ପୂର୍ବ ଭୁବନେଶ୍ବର ବର୍ତ୍ତମାନର ଭୁବନେଶ୍ବର ମଧ୍ୟରେ ବହୁତ୍ ତଫାତ:
ଏପଟେ ଜଣେ ଭୁବନେଶ୍ୱରରେ ଦୀର୍ଘ ଦିନ ଧରି ରହି ଆସୁଥିବା ରାଜଧାନୀବାସିନ୍ଦା କହିଛନ୍ତି, ‘ଦୀର୍ଘ ୨୦ ବର୍ଷ ଧରି ଭୁବନେଶ୍ଵରର ରହି ଆସିଛି । କିନ୍ତୁ ପୂର୍ବରୁ ପ୍ରତି ଛକ ସ୍ଥାନରେ ଗଛ ରହିଥିଲା । ବଡ଼ ବଡ଼ ଗଛ ଯାହା ଛାଇ ଦେଉଥିଲା । କିନ୍ତୁ ବର୍ତ୍ତମାନ ତାହା ଆଉ ଦେଖିବାକୁ ମିଳୁନାହିଁ ।’
![ଶୂନ୍ୟଶାନ ଭୁବନେଶ୍ବର ରାସ୍ତା](https://etvbharatimages.akamaized.net/etvbharat/prod-images/15-02-2025/23551154_h-2.jpg)
ଏହା ମଧ୍ୟ ପଢନ୍ତୁ: ଉପକୂଳରେ ଉପରମୁହାଁ ପାରଦ, ରାଜଧାନୀରେ ୩୫ ଡିଗ୍ରୀ ଛୁଇଁଲା ତାତି ଖରା ଦିନ ପୂର୍ବରୁ ଜଙ୍ଗଲରେ ନିଆଁ, ବନାଗ୍ନି ଘଟଣାରେ ତୃତୀୟ ସ୍ଥାନରେ ଓଡିଶା ଖରାରେ ବସୁଛନ୍ତି କି ? ଜାଣିରଖନ୍ତୁ ବସିବାର ଠିକ୍ ସମୟ, କ'ଣ ମିଳେ ଲାଭ |
ପାଣିପାଗ ବିଭାଗ ରିପୋର୍ଟ କହୁଛି...
ବର୍ଷ ଆରମ୍ଭରୁ ୨୧ ବର୍ଷର ରେକର୍ଡ ଭାଙ୍ଗିଛି ରାଜଧାନୀର ତାପମାତ୍ରା । ଫେବୃଆରୀ ପ୍ରଥମ ସପ୍ତାହରେ ଭୁବନେଶ୍ବରର ତାପମାତ୍ରା ଛୁଇଁଛି ୩୪.୯ ଡିଗ୍ରୀ । ଯାହାକି ମାଘ ମାସରେ ଅସ୍ବାଭାବିକ ସ୍ଥିତି । ଫେବୃଆରୀ ତୃତୀୟ ସପ୍ତାହ ବେଳକୁ ସ୍ବାଭାବିକ ଠାରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ହେବ ତାପମାତ୍ରା ବିଶେଷ କରି ଝାରସୁଗୁଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଗଜପତି ସମେତ ରାଜଧାନୀ ଭୁବନେଶ୍ବର ଏବଂ କଟକରେ ତାତି ଅହେତୁକ ଭାବରେ ବୃଦ୍ଧି ପାଇଛି ।
ଇଟିଭି ଭାରତ, ଭୁବନେଶ୍ବର