ଭୋପାଳ: କୁହାଯାଏ ବିଶ୍ବାସ ହିଁ ଭଗବାନ.. ଯଦି ଭଗବାନଙ୍କ ଉପରେ ବିଶ୍ବାସ ରଖି କିଛି ବି କାର୍ଯ୍ୟ ଆରମ୍ଭ କରୁଛନ୍ତି ତେବେ ସଫଳତା ନିଶ୍ଚୟ । କୁମ୍ଭମେଳାରେ ବୁଡ ପକାଇବା ପାଇଁ ଚିନ୍ତା କରିଥିଲେ ଓଡ଼ିଆ ପୁଅ ନନ୍ଦିଘୋଷ ଖାମାରୀ । ଆଉ ଏହାପରେ ବସ, ଟ୍ରେନ କି ବିମାନ ନୁହେଁ ବର୍ଂ ସାଇକେଲ ଯୋଗେ ସେ ପ୍ରୟାଗରାଜ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲରେ ବେଙ୍ଗାଲୁରୁରୁ ଯାତ୍ରା ଆରମ୍ଭ କରି ପ୍ରାୟ 18 ଦିନପରେ 1800 କିଲୋମିଟର ଅତିକ୍ରମ କରି ଏବେ ଚିତ୍ରକୂଟରେ ପହଞ୍ଚିଛନ୍ତି । ଏଠାରୁ, ସେ ପ୍ରୟାଗରାଜ ଯାତ୍ରା ଜାରି ରଖିବେ ଏବଂ ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବେ।
କୁମ୍ଭମେଳାକୁ ସାଇକେଲରେ ଯାତ୍ରା:
୫ ସେପ୍ଟେମ୍ବର, ୨୦୨୨ରେ ନନ୍ଦିଘୋଷ ଓଡ଼ିଶାରୁ ଏକ ସର୍ବଭାରତୀୟ ଭ୍ରମଣ ଯାତ୍ରା ଆରମ୍ଭ କରିଥିଲେ । ୨୮ଟି ରାଜ୍ୟ ସାଇକେଲରେ ଭ୍ରମଣ କରି ୨୦,୦୦୦ କିଲୋମିଟର ଅତିକ୍ରମ କରିଥିଲେ। ନିକଟରେ ସେ ବେଙ୍ଗାଲୁରୁ ଭ୍ରମଣ କରିଥିଲେ । ସେହିଠାରେ ଚଳିତ ମାସ ଜାନୁଆରୀ ମଧ୍ୟଭାଗରେ ପହଞ୍ଚିଥିଲେ। ସେହି ସମୟରେ ମହାକୁମ୍ଭମେଳା ମଧ୍ୟ ଆରମ୍ଭ ହୋଇଥିଲା। ଏହାପରେ ସେ ପ୍ରୟାଗରାଜ ସାଇକେଲରେ ଯିବାକୁ ସ୍ଥିର କରିଥିଲେ ।
ସାଇକେଲରେ ଯାତ୍ରା କରି ପରିବେଶ ସୁରକ୍ଷା ବାର୍ତ୍ତା:
ଏନେଇ ନନ୍ଦିଘୋଷ ଖାମାରୀ କହିଛନ୍ତି, "ମୁଁ ଲୋକମାନଙ୍କୁ କହିବାକୁ ଚାହୁଁଛି ଯେ ସାଇକେଲ ଯାତ୍ରା ଆମକୁ ସୁସ୍ଥ ରଖିବା ସହ ପରିବେଶକୁ ସୁରକ୍ଷିତ ରଖିପାରିବ । ମୁଁ ବେଙ୍ଗାଲୁରୁରୁ ପ୍ରୟାଗରାଜ ପର୍ଯ୍ୟନ୍ତ ମୋର ସାଇକେଲ ଯାତ୍ରା ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲି ଏବଂ ତା'ପରେ ଗଙ୍ଗାରେ ସ୍ନାନ ପରେ ଓଡ଼ିଶା ଫେରିବାକୁ ନିଷ୍ପତ୍ତି ନେଇଛି ।"
ନନ୍ଦିଘୋଷଙ୍କ ପାଇଁ ତୀର୍ଥଯାତ୍ରା ଅନେକ ମହତ୍ବ ରଖେ । ସେ କହିଛନ୍ତି, ମହାକୁମ୍ଭ ହେଉଛି ସନାତନ ଧର୍ମର ସବୁଠାରୁ ବଡ ପର୍ବ । ଭାରତରେ ସବୁ ଧର୍ମର ଲୋକ ବାସ କରନ୍ତି, କିନ୍ତୁ ଏହି ପର୍ବର ମହତ୍ବ ଅନନ୍ୟ । ଏହାର ପରିଚାଳନାରେ ସରକାରଙ୍କ ପ୍ରୟାସ ସମାନ ଭାବରେ ପ୍ରଶଂସନୀୟ । ଏହା ଏକ ପ୍ରକାରର ଉତ୍ସବ । ମୋ ପାଇଁ ଏହା ପ୍ରକୃତି ସଂରକ୍ଷଣ କରିବା ବିଷୟରେ ସଚେତନତା ସୃଷ୍ଟି କରିବା ମଧ୍ୟ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ