ଭୁବନେଶ୍ବର:ସପ୍ତଦଶ ବିଧାନସଭା ଅଧିବେଶନର ଆଜି ପ୍ରଥମ ଦିନରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ପାଖାପାଖି 35 ମିନିଟରୁ ଅଧିକ ସମୟ ଅଭିଭାଷଣରେ ରାଜ୍ୟପାଳ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ମୋ ସରକାର ନିରପେକ୍ଷତାର ସହ କାମ କରିବ। ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ କରାଯିବ । ଏହାସହିତ ଗୃହର ସଦସ୍ୟମାନଙ୍କୁ ନିରପେକ୍ଷ ଏବଂ ସର୍ବୋତ୍ତମ ସେବା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ରାଜ୍ୟପାଳ ।
ରାଜ୍ୟପାଳ ଆହୁରି କହିଛନ୍ତି, "ଓଡ଼ିଶା ବାସୀଙ୍କୁ ସାର୍ବଜନୀନ ସ୍ବାସ୍ଥ୍ୟ ବୀମା ପ୍ରଦାନ ପାଇଁ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଜିଲ୍ଲାସ୍ତରରେ ନର୍ସିଂ କଲେଜ, ମେଡିକାଲ କଲେଜ, ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ହେବ । ଗର୍ଭବତୀଙ୍କୁ ପୁଷ୍ଟିକର ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ସହାୟତା ମିଳିବ । ୩୦୦ ନୂଆ ଡାକ୍ତର ନିଯୁକ୍ତି ହେବେ । ଜିଲ୍ଲା ଡାକ୍ତରଖାନାରେ ସ୍ତ୍ରୀ ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ ଓ ନର୍ସଙ୍କ ଉପଲବ୍ଧତାକୁ ସରକାର ସୁନିଶ୍ଚିତ କରିବେ । ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ସହିତ ୨୦୨୯ ସୁଦ୍ଧା ୩.୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।"
ଏହାସହ ଖାଲି ଥିବା ୧.୫ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ସୁନିଶ୍ଚିତ ହେବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ୬୫ହଜାର ପଦବୀ ପୂରଣ ହେବ । ପଦବୀ ପୂରଣ ବେଳେ ଏସସି, ଏସଟି, ଏସଇବିସି, ପିଡଵ୍ଲୁଡି, କ୍ରୀଡାବିତ ଓ ପୂର୍ବତନ ସୈନିକମାନଙ୍କୁ ପ୍ରାଥମିକତା ଦିଆଯିବ । ଦୁର୍ନୀତି ଅଭିଯୋଗ ଓ ସମାଧାନର ତଦାରଖ ପାଇଁ ଏକ ୱେବ ପୋର୍ଟାଲ ପ୍ରଚଳନ କରାଯିବ । ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଅଭାବ, ଗୁଣାତ୍ମକ ଡିଜିଟାଲ ଶିକ୍ଷା ସମ୍ବଳର ସୀମିତ ଉପଲବ୍ଧତା ଏବଂ ବିଶେଷ କରି ଝିଅମାନଙ୍କ ମଧ୍ୟରେ ଅଧିକ ଡ୍ରପ ଆଉଟ କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ ଅଭିଭାଷଣରେ କହିଥିଲେ ।