ଭୁବନେଶ୍ବର:ବିଜେଡି ଓ ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା ଚର୍ଚ୍ଚା ଭିତରେ କଟାକ୍ଷ କରି କଂଗ୍ରେସର ନିଆରା ପଦକ୍ଷେପ । ଆଜି ମାଷ୍ଟର କ୍ୟାଣ୍ଟିନ ଛକରେ ଉଭୟ ଦଳର ବିବାହ କରାଇଛି କଂଗ୍ରେସ । ଏହାପରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ । ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଥିବାରୁ ଏହାକୁ କଂଗ୍ରେସ ସହ୍ୟ କରିପାରୁନି । ଏଣୁ ବିଜେଡି ଇସାରାରେ ଏଭଳି ମିଥ୍ୟା ପ୍ରଚାର କରୁଛି ବୋଲି କହିଛନ୍ତି ଅନିଲ ।
ବିଜେପି ମୁଖପାତ୍ର ଅନିଲ ଏହି ବାହାଘରକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, "କେନ୍ଦ୍ରୀୟ ନେତୃତ୍ବଙ୍କ ପାଖରେ ବୋଧ ହୁଏ ଖବର ଅଛି ଓଡ଼ିଶାରେ ଏଥର ବିଜେପି ସରକାର ହେବାକୁ ଯାଉଛି । ଏଣୁ କଂଗ୍ରେସ ନେତୃତ୍ବକୁ ଚିନ୍ତା ଘାରିଛି । ତେଣୁ ରାଜ୍ୟ କଂଗ୍ରେସକୁ ନିର୍ଦ୍ଦେଶ ଦିଆଯାଇଛି ବିଜେଡି ପଛେ ସରକାରରେ ବସୁ ବିଜେପି ନ ଆସୁ । ସେଥିପାଇଁ ବିଜେଡି ସହ ମିଶି ଯେଉଁ ନ୍ୟାରେଟିଭ ବିଜେଡି ତିଆରି କରିଛି ତାକୁ କଂଗ୍ରେସ ପ୍ରଚାର କରୁଛି। କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଥିଲେ ବିଜେଡି ସହ କଂଗ୍ରେସର ଡିଲ ହୋଇଛି । କଂଗ୍ରେସର ଅନ୍ୟ ନେତାମାନେ ବି କହିଛନ୍ତି ପିସିସି ସଭାପତି କିଏ ହେବା ନବୀନ ବାଛନ୍ତି । ଉପ ନିର୍ବାଚନରେ କଂଗ୍ରେସର ସବୁ ଭୋଟ ବିଜେପି ପାଖକୁ ଯାଇଛି। ଏଥିରୁ ସ୍ପଷ୍ଟ କଂଗ୍ରେସ ବିଜେଡି ସହ ମିଶି ଏହି ନ୍ୟାରେଟିଭକୁ ପ୍ରଚାର ପ୍ରସାର କରୁଛି।"