ଭୁବନେଶ୍ବର: ପ୍ରାୟ 17ରୁ 18 ଦିନର ଚର୍ଚ୍ଚା ଆଲୋଚନା ପରେ ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗରେ ବିରାମ ଲାଗିଛି । କଣ ହୋଇପାରେ ସମ୍ଭାବ୍ୟ କାରଣ । ମେଣ୍ଟ ନ ହେବା ପଛର ଅସଲ କାରଣ କଣ ହୋଇପାରେ । ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟା ଛିଡିଲାନି କି ? ନା ଆଉ କିଛି କାରଣ ରହିଛି ? ନିଜେ ପାଣ୍ଡିଆନ କହିଥିଲେ ଓଡିଶାର ବୃହତ୍ତର ସ୍ବାର୍ଥ ପାଇଁ ମେଣ୍ଟ ହୋଇପାରେ । ଅମିତ ଶାହ ମଧ୍ୟ ଜେପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ନିଷ୍ପତ୍ତି ଛାଡିଥିଲେ । ହେଲେ କେଉଁଠି ରହିଲା ଅସୁବିଧା ? ରାଜନୀତି ସମୀକ୍ଷକ ରବି ଦାସଙ୍କ ମତରେ ପାଓ୍ବାର ସେୟାରିଂ ଅଡୁଆ ନ ତୁଟିବାରୁ ହୋଇପାରିଲାନି ମେଣ୍ଟ ।
ଗତକାଲି ଦୁଇ ଦଳ ପକ୍ଷରୁ ଟ୍ବିଟ କରି ଏକାକୀ ନିର୍ବାଚନ ଲଢିବା ନେଇ ସୂଚନା ଦିଆଯିବା ପରେ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ଅସଲ କଥା ହେଲା ଲୋକସଭାରେ ବିଜେପିର ପ୍ରାଇମେସିକୁ ବିଜେଡି ସ୍ବୀକାର କରିଥିଲେ ମଧ୍ୟ ବିଧାନସଭାରେ ଗ୍ରହଣ କରିପାରିଲା ନାହିଁ । 100ରୁ ଅଧିକ ଆସନରେ ବିଜେଡି ଲଢିବାକୁ ଚାହିଁଲା । କିନ୍ତୁ ବିଜେପି ଚାହୁଁଥିଲା କିଛି ଅଧିକ ଆସନ । ନିର୍ବାଚନ ପରେ ପାଓ୍ବାର ସେୟାରିଂ ପାଇଁ ମଧ୍ୟ ପ୍ରସ୍ତାବ ଦେଲା । ହେଲେ ବିଜେଡି ଏହାକୁ ଗ୍ରହଣ କଲା ନାହିଁ । ତେଣୁ କଥାବାର୍ତ୍ତା ଭାଙ୍ଗିଲା । ବିଜେଡିର କହିବା ହେଲା, କେନ୍ଦ୍ରରେ ଆମେ ନରେନ୍ଦ୍ର ମୋଦି ସରକାରକୁ ସମର୍ଥନ ଦେବୁ । ଏଠି ମଧ୍ୟ ବିଜେଡି ସରକାର କରିବ ନିଜ ବଳରେ । କିନ୍ତୁ ସରକାର ଗଠନ ପରେ ପାଓ୍ବାର ସେୟାରିଂରେ ରାଜି ହେଲାନି ବିଜେଡି ।"
ସେ ଆହୁରି କହିଛନ୍ତି, "ବିଜେଡି ନେତାମାନେ ଉପଲବ୍ଧି କଲେଣି ଯେ ନରେନ୍ଦ୍ର ମୋଦିଙ୍କ ଆବିର୍ଭାବ ପରେ ବିଜେପି ଶକ୍ତିଶାଳୀ ହୋଇଛି । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ବିଜେପିର ଲୋକପ୍ରିୟତା ବଢିଛି । ଓଡ଼ିଶାରେ ବିଜେପିର ଯେଉଁ ଭିତ୍ତିଭୂମି ବଢିଛି ତାହା ନଷ୍ଟ ହୋଇଯିବ । ବାସ୍ତବିକ ଗତ ନିର୍ବାଚନରେ କଂଗ୍ରେସର ଭୋଟ ବେସ ବିଜେପିକୁ ଆସିଛି । ଯଦି ମେଣ୍ଟ ହୁଏ ତେବେ ସେହି ଭୋଟ ଗୁଡିକ କଂଗ୍ରେସକୁ ଫେରିଯିବାର ଆଶଙ୍କା ରହିଛି । ବିଜେପିର ରାଜ୍ୟ ନେତୃତ୍ବ କେନ୍ଦ୍ର ନେତୃତ୍ବକୁ ଏକଥା ଭଲ ଭାବେ ବୁଝାଇପାରିଛି । ଯେଉଁଥି ପାଇଁ ମେଣ୍ଟ ହୋଇପାରିଲା ନାହିଁ । ଗୋଟିଏ କ୍ଷେତ୍ରରେ ବୁଝାମଣା ହୋଇପାରିଥାଏ ଯେ ନିର୍ବାଚନ ପରେ ପରସ୍ପରକୁ ସାହାଯ୍ୟ କରିବା । ବିଜେପିର ରାଜ୍ୟ ସଭାପତିଙ୍କ ଯୁକ୍ତି ହେଲା ଏବେ ଯେଉଁ ନିର୍ବାଚନ ହେବ, ଓଡିଶାରେ ମୋଦି ଗ୍ୟାରେଣ୍ଟି ଏବଂ ଓଡିଶାର ଅସ୍ମିତାକୁ ନେଇ ନିର୍ବାଚନ ଲଢିବ ।"
ଏହା ବି ପଢନ୍ତୁ- ବିଜେପି ପରେ ବିଜେଡିର ଟ୍ବିଟ୍: ପ୍ରଣବ ଲେଖିଲେ, ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବୁ