ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତଙ୍କୁ ଯୁବ କଂଗ୍ରେସର ବିରୋଧ । ଉଭୟଙ୍କ ଓଡିଶା ଗସ୍ତକୁ ବିରୋଧ କରି କଳା ବେଳୁନ ଉଡାଇଛନ୍ତି ଛାତ୍ର ଏବଂ ଯୁବ କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଏକାଠି ହୋଇ କଂଗ୍ରେସ ଭବନରୁ ଲୋକସେବା ଭବନ ପର୍ଯ୍ୟନ୍ତ ଏକ ବିକ୍ଷୋଭ ଯାତ୍ରା କରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି, ବେରୋଜଗାର ବଢ଼ି ଚାଲିଛି, ରାଜ୍ୟ ସରକାର ଅଦାନୀଙ୍କୁ ଜମି ପାଣି ପ୍ରଦାନ ସହ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ମାଡ ମାରିବା ପ୍ରସଙ୍ଗ ଉଠାଇ ବିରୋଧ କରିଛି କଂଗ୍ରେସ । ବିରୋଧ ସମୟରେ ସୁରକ୍ଷା ପାଇଁ ଗାନ୍ଧୀ ମାର୍ଗରେ ଥିବା ବ୍ୟାରିକେଡ଼କୁ ଭାଙ୍ଗି ଆଗକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଅନେକ ଯୁବ ଏବଂ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ । ସେପଟେ କଂଗ୍ରେସର ବିରୋଧକୁ ସମାଲୋଚନା କରିଛି ବିଜେପି । କଂଗ୍ରେସ ଜିନ୍ରେ ଖରାପ ଗୁଣାବତ୍ତା ପଶିବା ଆରମ୍ଭ କରିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
'ବିଜେପିର ୨ଟା ଆଇନ':
ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଯୁବ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଛି । ରାଜ୍ୟପାଳଙ୍କ ପୁଅକୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଏହା ପ୍ରତିବାଦରେ ଆମେ ମୋଦିଙ୍କୁ ଜବାବ ମାଗୁଛୁ । ଚିଟ୍ଫଣ୍ଡ ଟଙ୍କା ୩ ମାସ ମଧ୍ୟରେ ଫେରସ୍ତ ହେବ ବୋଲି କହିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଯୁବକମାନଙ୍କୁ ଚାକିରି ଦେବା ପାଇଁ କହିଥିଲେ, କିନ୍ତୁ ଚାକିରି ନାହିଁ । ଏ ପ୍ରତିବାଦରେ ଯୁବ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଛି । ଆଦାନୀକୁ ଓଡ଼ିଶାର ଖଣି ଓ ବନ୍ଦର ବିକିବାକୁ ଯେଉଁ ଚେଷ୍ଟା କରୁଛନ୍ତି ତାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ । ଏଠି ବିଜେପିର ୨ଟା ଆଇନ । ଯାଜପୁରରେ ବିଧାୟକ ଲିକୁ ସାହୁଙ୍କୁ ଆକ୍ରମଣରେ ଘଟଣାରେ ବବି ଦାସଙ୍କ ଭାଇଙ୍କୁ ଗିରଫ କରାଗଲା । କିନ୍ତୁ ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଅଧିକାରୀଙ୍କୁ ମାଡ ମାରିବା ପରେ ବି ତାଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଯୁବ କଂଗ୍ରେସ ଏହାର ଜବାବ ମାଗୁଛି ।"
ସେହିପରି ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, "DG-IG ସମ୍ମିଳନୀକୁ ଆମେ ସ୍ବାଗତ କରୁଛୁ । ମୋଦି ବାରମ୍ବାର ଓଡ଼ିଶା ଆସୁଛନ୍ତି ଆଉ ଦୁଇଦୁଇଟା ଆଇନ କରୁଛନ୍ତି । ବିଜେପି ନେତାଙ୍କ ପାଇଁ ଗୋଟେ ଆଇନ ଓ ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟେ ଆଇନ । ଓଡ଼ିଆ ପୁଅକୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଲେ । ଏହାକୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଗଲା । କିନ୍ତୁ ତାଙ୍କୁ ଗିରଫ କରାଗଲା ନାହିଁ । କିନ୍ତୁ ବିଧାୟକ ଲିକୁ ସାହୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତତ୍ପରତା ଦେଖାଇଲେ, କିନ୍ତୁ ଓଡ଼ିଆ ପୁଅ ପାଇଁ କିଛି ନାହିଁ । ରାଜ୍ୟରେ ବିଜେପି ସରକାର ଆସିବା ଦିନଠାରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଜେପିର କୁଶାସନକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଜବାବ ମାଗିବା ପାଇଁ ଲୋକସଭା ଭବନ ଯାଉଛୁ । ଯେ ପର୍ଯ୍ୟନ୍ତ ଜବାବ ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ ।"
ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା ବିକାଶ ନକ୍ସା ଦେଖାଇଲେ ମୋଦି, ବିରୋଧୀଙ୍କୁ କଲେ ନିଶାନା ଏହା ମଧ୍ୟ ପଢ଼ନ୍ତୁ...DG-IG ସମ୍ମିଳନୀର ଦ୍ବିତୀୟ ଦିନ, ସାମିଲ ହେଲେ ପ୍ରଧାନମନ୍ତ୍ରୀ |
'କଂଗ୍ରେସ ଜିନରେ ଖରାପ ଗୁଣାବତ୍ତା ପଶିବା ଆରମ୍ଭ କରିଛି':
ସେପଟେ କଂଗ୍ରେସର ଏଭଳି ବିରୋଧକୁ ସମାଲୋଚନା କରିଛି ବିଜେପି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଓଡ଼ିଶାରେ ଗୌରବମୟ ଅଧ୍ୟାୟ ଆରମ୍ଭ ହୋଇଛି । ଓଡ଼ିଶାରେ ଡିଜି ଏବଂ ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ସମସ୍ତ ଡିଜି ଆଇଜି ଉପସ୍ଥିତ ଅଛନ୍ତି । ଓଡ଼ିଶାରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସମଗ୍ର ଦେଶର ନଜର ଓଡ଼ିଶା ଉପରେ ଅଛି । ଦେଶବିଦେଶରେ ଓଡିଶା ଚର୍ଚ୍ଚାରେ ଅଛି । ଏ ସମୟରେ କଂଗ୍ରେସ ଛାମୁଆ ସଂଗଠନ ବାଚାଳାମି ଆରମ୍ଭ କରିଛି । ଯାହା ଦୁର୍ଭାଗ୍ୟଜନକ । କଂଗ୍ରେସ ଜିନରେ ଖରାପ ଗୁଣାବତ୍ତା ପଶିବା ଆରମ୍ଭ କରିଛି । କଂଗ୍ରେସ ସମ୍ପୂର୍ଣ୍ଣ ଦେଶ ବିରୋଧୀ ତତ୍ତ୍ୱ ହେବାକୁ ଆରମ୍ଭ କରିଛି । ବିଦେଶରେ ଯଦି କିଏ ଦେଶ କିମ୍ବା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହୁଛି । କଂଗ୍ରେସକୁ ସୁହାଉଛି ତାର ଟିକା ଟିପ୍ପଣୀ ରଖି ଆନ୍ଦୋଳନ ଆରମ୍ଭ କରିଛି । କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଲୋକ ବିରୋଧୀ । ମାଇକ୍ରୋସ୍କୋପ ଲଗେଇକି ଦେଖିଲେ ବି କଂଗ୍ରେସର ସତ୍ତା ନଜରକୁ ଆସିବନି । କଂଗ୍ରେସ ପକ୍ଷଘାତର ଶିକାର ହୋଇଛି । ଛୋଟ ଛୋଟ ଦଳ ସହ ସିଟ ବୁଝାମଣା କରି ବଞ୍ଚିଛି ।"
ଇଟିଭି ଭାରତ, ଭବୁନେଶ୍ବର