ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ଏଥର କୌଣସି ଯାତ୍ରା କିମ୍ବା ସମାଜ ସେବା ପାଇଁ ଚର୍ଚ୍ଚାରେ ନାହାନ୍ତି ସେ । ରାନୀ କିଛି ଦିନ ହେଲା ଅସୁସ୍ଥ ଥିବା ଜଣାପଡ଼ିଛି । ସ୍ବାସ୍ଥ୍ୟ ଖରାପକୁ ନେଇ ରାନୀ ପଣ୍ଡା ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହା ବେଶ୍ ଭାଇରାଲ ହୋଇଥିବା ବେଳେ ତାଙ୍କ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା ।
ରାନୀ ପଣ୍ଡା ଅସୁସ୍ଥ:
ରାନୀ ପଣ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି । ସେ ଗତ ୫ ଦିନ ହେବ ଅସୁସ୍ଥ ରହିଛନ୍ତି । ସବୁ ମହଲରୁ ତାଙ୍କର ସୁସ୍ଥ କାମନା ପାଇଁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଅନେକ ଅପପ୍ରଚାର ମଧ୍ୟ ଦେଖିବାକୁ ମିଳିଛି । ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପାଞ୍ଚ ଦିନର ଚିକିତ୍ସା ପରେ ଗତକାଲି (ଗୁରୁବାର) ସେ ହସ୍ପିଟାଲରୁ ଫେରି ନିଜର ପ୍ରତିକ୍ରିୟା ରଖିଛନ୍ତି ରାନୀ ।
ଏମିତି କହିଲେ ରାନୀ ପଣ୍ଡା :
ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି ରାନୀ ପଣ୍ଡା କହିଛନ୍ତି," ମେଡ଼ିସିନ୍ ପାର୍ଶ୍ୱ ପ୍ରତିକ୍ରିୟାରୁ ମୁଁ ଅସୁସ୍ଥ ହୋଇପଡ଼ିଛି । ପ୍ରଭୁ ଜଗନ୍ନାଥ ଏତେ ନିଷ୍ଠୁର ନୁହନ୍ତି । ତାଙ୍କ କୃପା ଅଛି, ମୁଁ ଭଲ ହୋଇଯିବି । ସୋସିଆଲ ମିଡ଼ିଆର ପୋଷ୍ଟକୁ ନେଇ ଲୋକେ ଅନେକ ଅପପ୍ରଚାର କରୁଛନ୍ତି ଏବଂ ମୋର ପ୍ରଶଂସକମାନେ ବ୍ୟସ୍ତ ହୋଇପଡ଼ିଥିଲେ । ତେଣୁ ମୁଁ ବାଧ୍ୟ ହେଲି ଆଜି ଗଣମାଧ୍ୟମ ସାମ୍ନାକୁ ଆସିଲି । ଏମିତି ସବୁବେଳେ ଓଡିଶାବାସୀଙ୍କ ଭଲ ପାଇବା ଥାଉ । ମୁଁ ଖୁବଶୀଘ୍ର ସୁସ୍ଥ ହୋଇଯିବି । ମୋର ଏହି ଖରାପ ପରିସ୍ଥିତି ନିଜର କିଏ ,ପରିବାରର ଓ ଆପଣାର କିଏ ମତେ ଚିହ୍ନାଇ ଦେଇଛି ।"
କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାନୀ:
କଳାକାର ଜୁନିଅର ପପୁ କହିଛନ୍ତି, "ରାନୀ ପଣ୍ଡାଙ୍କ ଇସନଫୁଲିଆ ଏବଂ ଥାଇରଏଡ ରହିଛି । ନିଜର କାର୍ଯ୍ୟବ୍ୟସ୍ତତା ଭିତରେ ଶରୀର ଅସୁସ୍ଥ ହୋଇପଡ଼ିଥିଲା । ଏଥିପାଇଁ ସେ କିଛି ଔଷଧ ଖାଇଥିଲେ ଯାହାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । ତାଙ୍କ ମୁହଁ ,ଆଖି ଫୁଲିଯାଇଥିବା ବେଳେ ସେ ବର୍ତ୍ତମାନ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର