ନିମାପଡ଼ା: କଣାସରେ କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳ ଯାଇ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ହଇଜାରେ ମୃତ୍ୟୁବରଣ କରିଥିବା ୪ ଜଣ ପରିବାରକୁ ପାଞ୍ଚ ହଜାର ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । କଂଗ୍ରେସ ପ୍ରତିନିଧି ଦଳରେ ଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡମ୍, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ ସୁଦର୍ଶନ ଦାସ ।
କଣାସରେ ସ୍ଥିତି ପରଖିଲା କଂଗ୍ରେସ:
କଣାସରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଝାଡ଼ାବାନ୍ତି ରୋକିବାରେ ପ୍ରଶାସନ ବିଫଳ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନନ୍ଦ । ଦୟା ନଦୀ ପାଣି ବିଷାକ୍ତ ହୋଇଥିବାରୁ ଏହାକୁ ବ୍ୟବହାର ନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ବିଶେଷ କରି ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିବା ୪ ଜଣ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ଏବଂ ସଚେତନ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଥିଲା କଂଗ୍ରେସ ଟିମ୍ । କଂଗ୍ରେସର ଏହି ପ୍ରତିନିଧି ମଣ୍ଡଳୀ ନୂଆଗାଁ ଓ ନଇକୂଳ ପାଟଣା ମଧ୍ୟ ପରିଦର୍ଶନ କରିଥିଲେ ।
ଏମିତି କହିଲେ କଂଗ୍ରେସ ବିଧାୟକ ଦଳ ନେତା :
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି," ଏଠାରେ ପିଇବା ପାଣି ସମସ୍ୟା ବଢ଼ିଛି । ତେଣୁ ସରକାର ଏହା ଉପରେ ଯଥେଷ୍ଟ ଧ୍ୟାନ ଦେବା ଦରକାର । ଲୋକମାନେ ବିଶୁଦ୍ଧ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରଦୂଷିତ ଜଳ ପିଇବା ଦ୍ବାରା ଏଭଳି ଝାଡ଼ିବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ୩/୪ ପଞ୍ଚାୟତରେ ପ୍ରତି ଦିନ ଆକ୍ରାନ୍ତ ସଂଖ୍ୟା ବଢୁଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ବି ହୋଇସାରିଛି । ଏତେ ବର୍ଷ ପରେ ମଧ୍ୟ ଲୋକମାନେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି । ବସୁଧା ଯୋଜନା ହେଉ କି ମେଘା ଜଳ ପ୍ରକଳ୍ପ ଏଠାରେ କିଛି ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ ।
'ମୃତକ ପରିବାରଙ୍କୁ ସହାୟତା ଦିଅନ୍ତୁ ସରକାର':
ସେ ଏହା ମଧ୍ୟ କହିଛନ୍ତି,"ପ୍ରଦୂଷିତ ପାଣି ପିଇବା ଦ୍ବାରା ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ରାଜ୍ୟ ସରକାର ଏହାକୁ ବିଶେଷ ଧ୍ୟାନ ଦିଅନ୍ତୁ । ଯଥାଶୀଘ୍ର ଲୋକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ସର୍ବନିମ୍ନ ଦାୟିତ୍ଵ ଲୋକଙ୍କୁ କିଭଳି ନିରୋଗୀ ରଖିବେ ଏବଂ ଶୁଦ୍ଧ ପାଣି ଯୋଗାଇଦେବେ । ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ବଢୁଛି । ଯେଉଁମାନେ ଜୀବନ ହରାଇଛନ୍ତି, ସେମାନଙ୍କ ପରିବାରକୁ ୧୦/୧୫ ଲକ୍ଷ ଟଙ୍କା ସହାୟତା ରାଜ୍ୟ ସରକାର ଦେବା ଉଚିତ ।"
'ଲୋକମାନେ ସଚେତନ ହୋଇଗଲେଣି':
ସ୍ଵାସ୍ଥ୍ୟକର୍ମୀ ମାନସୀ ବସ୍ତିଆ କହିଛନ୍ତି, "ଲୋକମାନେ ସଚେତନ ହୋଇଗଲେଣି । ଆଉ ଦିନେ କି ଦୁଇ ଦିନ ଭିତରେ ସ୍ଥିତି ନିୟନ୍ତ୍ରଣ ହୋଇଯିବ । ପ୍ରଶାସନ ତରଫରୁ ପାନୀୟ ଜଳ ଯୋଗାଣ ଜାରି ରହିଛି । କୌଣସି ଲୋକ ପିଇବା ପାଇଁ ନଦୀ ପାଣି ବ୍ୟବହାର କରୁନାହାନ୍ତି କିନ୍ତୁ କିଛି ଲୋକ ଲୁଗା ସଫା କରିବା ପାଇଁ ନଦୀ ପାଣି ବ୍ୟବହାର କରୁଛନ୍ତି । ଯଦି ପ୍ରଶାସନ ଗୋଟିଏ କି ଦୁଇଟି କୂପ ଏବଂ ନଳକୂପ କରିଦିଅନ୍ତା, ତାହାଲେ ବିପଦ ସମୟରେ କାମରେ ଆସନ୍ତା ।"
ଇଟିଭି ଭାରତ, ନମାପଡ଼ା