ହାଇଦ୍ରାବାଦ: ଲାଇଭ୍ କନସର୍ଟରେ ବିଗିଡିଲା ସୋନୁ ନିଗମଙ୍କ ସ୍ୱାସ୍ଥ୍ୟ । ପୁଣେରେ ଏକ ଲାଇଭ୍ କନସର୍ଟ ସମୟରେ ଗାୟକ ଜଣକ ହଠାତ୍ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସୋନୁ ନିଗମ ନିଜେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି । ସୋନୁ ନିଗମଙ୍କର କନସର୍ଟରେ ତାଙ୍କର ପିଠିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା ଏବଂ ଗାୟକଙ୍କୁ ବହୁତ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡିଥିଲା ।
ଲାଇଭ କନସର୍ଟରେ ବିଗିଡିଲା ସୋନୁଙ୍କ ସ୍ୱାସ୍ଥ୍ୟ
ସୋନୁ ନିଗମ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଯନ୍ତ୍ରଣାରେ କାନ୍ଦୁଥିବାର ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ ସେହି ସମୟରେ ତାଙ୍କୁ ଏପରି ଲାଗିଥିଲା ଯେପରି ତାଙ୍କ ମେରୁଦଣ୍ଡରେ ଛୁଞ୍ଚି ପରି କିଛି ବିନ୍ଧୁଛି । ଭିଡିଓରେ ସେ ଯନ୍ତ୍ରଣାରେ କାନ୍ଦୁଥିବାର ଦେଖିବାକୁ ମିଳୁଛି । ଏହା ପରେ ସେ ବିଛଣାରେ ଶୋଇ କହିଛନ୍ତି, 'ଏହା ମୋ ଜୀବନର ଏକ ବହୁତ କଷ୍ଟକର ଦିନ ଥିଲା, ଶୋ' କରିବା ସମୟରେ ମୁଁ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲି । ତଥାପି, ମୁଁ କୌଣସି ପ୍ରକାରେ ଏହାକୁ ସମ୍ଭାଳିଲି ଏବଂ ମୋର ପ୍ରଦର୍ଶନ ସମାପ୍ତ କଲି । କିନ୍ତୁ ମୁଁ ଖୁସି ଯେ ମୋର ପ୍ରଦର୍ଶନ ଭଲ ଥିଲା ।
ସୋନୁ ନିଗମଙ୍କ ଅବସ୍ଥା ଦେଖି ଚିନ୍ତିତ ଫ୍ୟାନ୍ସ
ସୋନୁ ଏହି ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ମା ସରସ୍ୱତୀଙ୍କ ଆଶୀର୍ବାଦ ମୋ ସହ ଥିଲା, ଯାହା ଯୋଗୁଁ ମୁଁ ଏସବୁ କରିପାରିଲି ।' ଗାୟକ ସୋନୁ ନିଗମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଦେଖି ଫ୍ୟାନ୍ସ ଚିନ୍ତିତ ହୋଇଛନ୍ତି । ପୋଷ୍ଟର ମନ୍ତବ୍ୟ ଦେଇ ଫ୍ୟାନ୍ସ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଜଣେ ଲେଖିଛନ୍ତି, ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ ସୋନୁ ଜୀ, ତୁମେ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଜଣେ ଲେଖିଛନ୍ତି, 'ସରସ୍ୱତୀ ଜୀ ତାଙ୍କ ପ୍ରିୟ ପିଲାକୁ କିଛି ହେବାକୁ ଦେବେ ନାହିଁ । ଆଉ ଜଣେ ଲେଖିଛନ୍ତି, ନିଜର ଯତ୍ନ ନିଅ ସୋନୁ ଜୀ ।
ଏହା ମଧ୍ୟ ପଢନ୍ତୁ: ବାପାଙ୍କ ସହ କରୁଥିଲେ ଷ୍ଟେଜ୍ ଶୋ', ଏହି ଗୀତ ବଦଳାଇଲା ସୋନୁଙ୍କ ଭାଗ୍ୟ
ସୋନୁ ନିଗମଙ୍କ ବିଷୟରେ କହିବାକୁ ଗଲେ, ଫିଲ୍ମରେ ଗୀତ ଗାଇବା ବ୍ୟତୀତ, ସୋନୁ ନିଗମ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ । ସୋନୁ ନିଗମଙ୍କୁ ଇନଷ୍ଟାଗ୍ରାମରେ 3 ମିଲିୟନରୁ ଅଧିକ ଫଲୋର୍ସ ରହିଛନ୍ତି । ସୋନୁ ନିଗମ ତାଙ୍କର ସୁନ୍ଦର କଣ୍ଠସ୍ୱର ସହିତ ତାଙ୍କର ପ୍ରକୃତ ବ୍ୟକ୍ତିତ୍ୱ ପାଇଁ ମଧ୍ୟ ଜଣାଶୁଣା । ସେ ସ୍ପଷ୍ଟ ଭାବରେ କହି ଅନେକ ଥର ଶିରୋନାମାରେ ରହିଆସିଛନ୍ତି । ନିକଟରେ, ସୋନୁ ନିଗମ ପଦ୍ମ ପୁରସ୍କାର ବିଷୟରେ ଖୋଲାଖୋଲି କହିଥିଲେ । ସୋନୁ ନିଗମ ହିନ୍ଦୀ, ଓଡ଼ିଆ ସହ ଅନ୍ୟ ଭାଷାର ଗୀତରେ ନିଜ କଣ୍ଠସ୍ୱରର ଯାଦୁ ଦେଖାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ