ସମ୍ବଲପୁର: ଆଜି ହେଉଛି ସମ୍ବଲପୁର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ 217ତମ ଜନ୍ମ ଜୟନ୍ତୀ । ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରଙ୍କ ଜୟନ୍ତୀ ପାଳନ କରାଯାଇ ତାଙ୍କ ସଂଗ୍ରମୀ ଜୀବନର ଅବଦାନକୁ ସ୍ମରଣ କରାଯାଉଛି । ଏହିକ୍ରମରେ ତାଙ୍କ ଜନ୍ମମାଟି ସମ୍ବଲପୁରରେ ଜନ୍ମଜୟନ୍ତୀ ପାଳନ ହୋଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ । ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ସଂଗଠନ ପକ୍ଷରୁ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କର ଜୟନ୍ତୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l
- ଜନ୍ମପୀଠରେ ଶ୍ରଦ୍ଧାଞ୍ଜଳି ଦେଲେ ଧର୍ମେନ୍ଦ୍ର
ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଜିଲ୍ଲା ସ୍ତରୀୟ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଛି l କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ଝାରସୁଗୁଡା ବିଧାୟକ ଟଙ୍କାଧର ତ୍ରିପାଠୀ, ପୂର୍ବତନ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ଛାତ୍ରଛାତ୍ରୀ ଓ ସମାଜର ବିଭିନ୍ନ ବର୍ଗର ଲୋକ ସମ୍ବଲପୁର ଖିଣ୍ଡା ଗାଁ ସ୍ଥିତ ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠରେ ଶ୍ରଦ୍ଧାଞ୍ଜଳି ଦେବାକୁ ଏକାଠି ହୋଇଥିଲେ l ସମସ୍ତେ ସାଏଙ୍କ ସଂଗ୍ରାମୀ ଜୀବନର ବୀରଗାଥା ଓ ଦେଶର ସ୍ବାଧୀନତା ସଂଗ୍ରାମରେ ସେ ଛାଡି ଯାଇଥିବା ବଳିଷ୍ଠ ଅବାଦନକୁ ସ୍ମରଣ କରିଥିଲେ ।
ଏହା ମଧ୍ୟ ପଢନ୍ତୁ :- |
ସେହପରି ଆଜି ବୀର ସୁରେନ୍ଦ୍ର ସାଏଙ୍କ ସହ ଅଦ୍ବିତୀୟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ମଧ୍ୟ ସାରା ଦେଶରେ ପାଳିତ ହୋଇଛି । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଦୁଇ ପରାକ୍ରମୀ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ । ସମ୍ବଲପୁର ପରି ଝାରସୁଗୁଡାରେ ମଧ୍ୟ ଜିଲ୍ଳା ପ୍ରଶାସନ ପକ୍ଷରୁ ମଧ୍ୟ ନେତାଜୀ ଓ ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ବିଧାୟକ ଟଙ୍କଧର ତ୍ରିପାଠୀ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପ୍ରବେଶପଥ ତଥା ପରିସର ମଧ୍ୟରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ଦୁଇଟି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।