ପୁରୀ: ଆଜି ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହୋଇଛି ରଥ କାଠ । ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀ ଅବସରରେ ଚଳିତ ବର୍ଷ ୨୦୨୫ ରଥଯାତ୍ରା ପାଇଁ ରଥକାଠ ହୋଇଛି ଅନୁକୂଳ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ୩ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା' ସରସ୍ୱତୀଙ୍କ ପୂଜା ପରେ ଏହି କାଠ ଗୁଡ଼ିକ ସଂସ୍କାର ଓ ପୂଜାର୍ଚ୍ଚନା ସହ ରଥକାଠ ଅନୁକୂଳ ଆରମ୍ଭ ହେଇଥିଲା ।
ରଥ ଯାତ୍ରା ୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ:
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୫ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀରେ ରଥକାଠ ପୂଜା ହୋଇଛି । ତିନିରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଥଲେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯାଇଥିଲା । ଏହା ପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠ ତ୍ରୟର ପୂଜାର୍ଚ୍ଚନା ହୋଇଥଲା । ସେହିପରି ଆସନ୍ତା ରାମ ନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ରଥ ଖଳାରେ ରଥ ନିର୍ମାଣ ଅନୁକୂଳ ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
କେଉଁଠୁ ଆସିଲା ରଥକାଠ ?
ଚଳିତବର୍ଷ ୨୦୨୫ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚି ସାରିଛି ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ବଳକା ରହିଛି ୫୧ ଖଣ୍ଡ କାଠ । ମୋଟ ୮୧୪ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି । ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ତିନୋଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି । ୧୦୧ ଖଣ୍ଡ ଧଉରା ଓ ଅସନ କାଠ ଆସିଛି । ଏଥିରେ ୫୩ ଖଣ୍ଡ ଧଉରା, ୪୮ ଖଣ୍ଡ ଅସନ କାଠ ରହିଛି । ପର୍ଯ୍ୟାୟ କ୍ରମେ ବାକି କାଠ ଆସି ପହଞ୍ଚିବ ।
ଅକ୍ଷୟ ତୃତୀୟାରେ ଆରମ୍ଭ ହେବ ରଥ ନିର୍ମାଣ:
ଆଗାମୀ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ନୟାଗଡ଼ ଦଶପଲ୍ଲା ଯାଇଥିଲେ । ସେଠାରେ ପରମ୍ପରା ଅନୁଯାୟୀ ବଡରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପରେ ରଥ କାଠ ଚିହ୍ନଟ ହୋଇଥଲା । ଭୋଇ ସର୍ଦ୍ଦାର ରବି ଭୋଇ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ରଥ ତତ୍ତ୍ଵବଧାରକ ସୁଦର୍ଶନ ମେକାପ ଏହି ଟିମରେ ରହି ଗଛ ଚିହ୍ନଟ କରିଥଲେ । ସେପଟେ ବଡ ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥ କାଠ ଆସି ପହଞ୍ଚିବା ପରେ ବେଶ୍ ଉତ୍ସାହିତ ହୋଇଛନ୍ତି ସେବକ । ଚଳିତ ବର୍ଷ ରଥ ଯାତ୍ରା କିଭଳି ସୁରୁଖୁରୁରେ ହେଉ ସେ ନେଇ ସମସ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ।
'୩ଟି ଧଉରା କାଠ ଆଜି ପୂଜା ହେଲା':
ଏନେଇ ଗଜପତିଙ୍କ ରାଜଗୁରୁ ଦେବୀ ପ୍ରସାଦ ରାଜଗୁରୁ କହିଛନ୍ତି," ଶ୍ରୀପଞ୍ଚମୀ ହେଉଛି ଏକ ପବିତ୍ର ଦିନ । ଏହି ଦିବସରେ ପ୍ରତ୍ୟେକ କାର୍ଯ୍ୟର ଅନୁକୂଳ କରାଯାଏ । ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ରଥ ଯାତ୍ରା ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହେଲା । ପାରମ୍ପରିକ ବିଧିରେ ଆଜି କାଠ ଅନୁକୂଳ ବିଧି ସମ୍ପନ୍ନ ହେଲା । ରଥ ଖଳାରେ 3ଟି ଧଉରା କାଠ ଆଜି ପୂଜା ହେଲା ।"
ଜିଲ୍ଲାପାଳ କହିଲେ...
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି," ଆଜିଠାରୁ ଆମର 2025 ରଥ ଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା । ପବିତ୍ର ବସନ୍ତ ପଞ୍ଚମୀରେ ରଥ କାଠ ଅନୁକୂଳ ହେଲା । ଆଜି ଆମେ ମହାପ୍ରଭୁଙ୍କ ନିକଟରେ ସମସ୍ତେ ଶରଣାପନ୍ନ ହେଲୁ । ଚଳିତ ବର୍ଷ ରଥଯାତ୍ରା କିଭଳି ସୁରୁଖୁରୁରେ ହେଉ ଆମେ ମହାପ୍ରଭୁଙ୍କୁ ପ୍ରାର୍ଥନା କଲୁ ।"
ଏପରି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ:
ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, "ଆଜି ପବିତ୍ର ଶ୍ରୀପଞ୍ଚମୀରେ ରଥ କାଠ ଅନୁକୂଳ ହୋଇଥାଏ । ଆଜି ଏହି ପବିତ୍ର ତିଥିରେ ରଥ ଖଳା 3 ଟି ଧଉରା କାଠକୁ ପୂଜା କରାଗଲା । ଶ୍ରୀନଅରରୁ ଆସିଥିବା ଶ୍ରୋତୀୟ ବ୍ରାହ୍ମଣମାନେ ଏହି ପୂଜା କରିଥିଲେ । ଆଗାମୀ ରାମ ନବମୀରେ ରଥ କାଠ ଚିରଟ ଆରମ୍ଭ ହେବ । ଆଗାମୀ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହେବ। ଚଳିତ ବର୍ଷ 2025 ରଥ ଯାତ୍ରା ନିର୍ବିଘ୍ନରେ ଅନୁଷ୍ଠିତ ହେଉ, ତାହା ଆମେ ସମସ୍ତେ ମହାପ୍ରଭୁଙ୍କ ପାଦ ପଦ୍ମ ତଳେ ପ୍ରାର୍ଥନା କରୁଛୁ । ଚଳିତ ବର୍ଷ ରଥ ଯାତ୍ରା ନିର୍ବିଘ୍ନରେ ହେଉ ବୋଲି ଆମେ ସମସ୍ତେ ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛୁ ।
ଇଟିଭି ଭାରତ,ପୁରୀ