ଭୁବନେଶ୍ବର:କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେଇକେଲା ବ୍ଲକ ଅଧ୍ୟକ୍ଷା ପୂଜା ବେହେରା ଓ ସମିତିସଭ୍ୟ ଗିରିରାଜ ସିଂ । ସେମାନଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ନିର୍ବାଚିତ ପ୍ରତିନିଧି କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳରେ ସାମିଲ ହୋଇଥିବା ନେତାଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ପ୍ରିୟବ୍ରତ ମାଝୀ ।
ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ ଅଧ୍ୟକ୍ଷା ପୂଜା ବେହେରାଙ୍କ ସହ ବହୁ ନିର୍ବାଚିତ ପ୍ରତିନିଧି ଓ ଶତାଧିକ କଂଗ୍ରେସ କର୍ମୀ ଶୁକ୍ରବାର ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଏହି କଂଗ୍ରେସ ନେତା ଓ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ ବୋଲି ବିଜେଡି କହିଛି । ବିଜେଡ଼ିରେ ସାମିଲ ହେବା ପରେ ତୁରେଇକେଲା ବ୍ଲକ ଅଧ୍ୟକ୍ଷା କହିଛନ୍ତି ଯେ, କଣ୍ଟାବାଞ୍ଜିର ବିକାଶ ଅଧିକ ତ୍ୱରାନ୍ୱିତ ହେବ । ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିବାରୁ ଆମେ ବହୁତ ଖୁସି । ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷାଧିକ ଭୋଟରେ ଜିତାଇବୁ । ଆମ ଅଞ୍ଚଳ ଆହୁରି ବିକଶିତ ହୋଇପାରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଛୁ ।