ଲକ୍ଷ୍ନୌ:ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ଆସନ ରାୟବରେଲୀ । ଯାହାକୁ ଗାନ୍ଧୀ ପରିବାରର ଗଡ ଭାବେ ପରିଚିତ । ରାୟବରେଲୀ ସହ କଂଗ୍ରେସର ସମ୍ପର୍କ ଅତି ପୁରୁଣା । ଚଳିତ ବର୍ଷ ରାହୁଲ ଗାନ୍ଧୀଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି ଦଳ । ଯେଉଁ ଆସନରେ ଦିନେ ଜେଜେ ବାପା, ଜେଜେ ମାଆ ଓ ମାଆ ରାଜ କରୁଥିଲେ ସେହି ଆସନର ଏବେ ପ୍ରାର୍ଥୀ ହୋଇଛନ୍ତି ରାହୁଲ । ଦେଶ ସ୍ବାଧିନ ହେବା ପରଠାରୁ ଏହି ଆସନରେ 17ଥର କଂଗ୍ରେସ ବାଜିମାତ କରିଛି । ପ୍ରଥମ ଦୁଇଟି ନିର୍ବାଚନରେ ରାୟବରେଲୀ ଆସନରେ କଂଗ୍ରେସର ବିଜୟ ହୋଇଥିଲା । ପୂର୍ବତନ କଂଗ୍ରେସ ସଭାପତି ତଥା ରାହୁଲଙ୍କ ଜେଜେ ଫିରେଜ ଗାନ୍ଧୀ ଏହି ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ। ସେବେ ଠାରୁ ଆଜି ପର୍ଯ୍ୟନ୍ତ ଏହି ଆସନରେ କଂଗ୍ରେସର ବେଶ ଦବଦବା ରହିଛି । ଚଳିତ ନିର୍ବାଚନରେ ରାହୁଲ ଗାନ୍ଧୀ ରାୟବରେଲୀ ଆସନରୁ ଲଢିବାକୁ ଯାଉଛନ୍ତି ।
ରାୟବରେଲୀରେ 17ଥର କଂଗ୍ରେସର ବାଜିମାତ: ଦେଶ ସ୍ବାଧିନ ହେବା ପରଠାରୁ ଏହି ଆସନରେ କଂଗ୍ରେସ 17ଥର ବାଜିମାତ କରିଛି । 1952 ମସିହାରେ ଫିରୋଜ ଗାନ୍ଧୀ ରାୟବରେଲୀରେ ଯେଉଁ ମୂଳଦୁଆ ପକାଇଥିଲେ ତାହାକୁ ଆହୁରି ସୁଦୃଢ କରିଥିଲେ ତାଙ୍କ ପତ୍ନୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ସେ 1967, 1971 ଏବଂ 1980 ରେ ଏହି ଆସନରୁ ବିଜୟୀ ହୋଇଥିଲେ । ପରେ ପରେ ଗାନ୍ଧୀ ପରିବାରର ସଦସ୍ୟ ଓ ବନ୍ଧୁ ମଧ୍ୟ ଏହି ଆସନରେ ବିଜୟୀ ହୋଇଥିଲେ । 1980ରେ ଇନ୍ଦିରା ଗାନ୍ଧୀ ଦୁଇଟି ଆସନ ରାଏବରେଲୀ ଏବଂ ତେଲେଙ୍ଗାନାର ମେଡାକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଦୁଇଟି ଯାକରେ ବିଜୟୀ ହୋଇଥିଲେ । କିନ୍ତୁ ପରମୁହୁର୍ତ୍ତରେ ସେ ରାୟବରେଲୀ ଆସନ ଛାଡି ଦେବାରୁ କଂଗ୍ରେସର ଅରୁଣ ନେହେରୁ 1980 ଉପ ନିର୍ବାଚନ ଏବଂ ପରେ 1984 ରେ ବିଜୟୀ ହୋଇଥିଲେ । ଫିରୋଜ ଗାନ୍ଧୀଙ୍କ ଦେହାନ୍ତ ପରେ 1960 ମସିହାରେ ଏହି ଆସନରେ ଉପ ନିର୍ବାଚନ ହୋଇଥିଲା । କଂଗ୍ରେସର ଆରପି ସିଂ ସେହି ସମୟରେ ବିଜୟୀ ହୋଇଥିଲେ । ଏହାପରେ 1962ରେ କଂଗ୍ରେସର ବୈଜିନାଥ କୁରେଲ ବିଜୟୀ ହୋଇଥିଲେ ।