ଭୁବନେଶ୍ବର:ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ତୃତୀୟ ତଥା ଶେଷ ରୋଡ଼ ସୋ' କରିବେ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ନବୀନ କରିବେ ମାରାଥନ ପ୍ରଚାର । ଭୁବନେଶ୍ୱରରେ ନବୀନଙ୍କର ଶେଷ ପ୍ରଚାର ଲାଗି ବ୍ୟାପକ ବ୍ୟବସ୍ଥା ହୋଇଛି । ସିଆରପି ଛକରୁ ରୋଡ଼ ସୋ ଆରମ୍ଭ ହୋଇ ପଟିଆ ଛକରେ ଶେଷ ହେବ । ବିଜେଡି ସଭାପତି ଦଳୀୟ ସଂସଦୀୟ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ଲାଗି ଭୋଟ ମାଗିବେ । କାର୍ଯ୍ୟକ୍ରମରେ ଉଭୟ ପ୍ରାର୍ଥୀ ଉପସ୍ଥିତ ରହିବେ ।
ଭୁବନେଶ୍ୱର ମଧ୍ୟ, ଏକାମ୍ର ପରେ ଆଜି ଉତ୍ତରରେ ଶେଷ ରୋଡ଼ ସୋ କରିବେ ନବୀନ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଉତ୍ତର ଭୁବନେଶ୍ୱର ରେଣ୍ଟାଲ, ଓମଫେଡ ଛକ, ସାଲିଆସାହି ପେଟ୍ରୋଲ ପମ୍ପ, ମେ’ଫେୟାର, ବିଜୁ ପଟ୍ଟନାୟକ ଷ୍ଟାଚ୍ୟୁ, ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ଡମଣା ମ୍ୟାକ୍ସ ସୋ’ ରୁମ ହୋଇ ପଟିଆ ଛକ ପର୍ଯ୍ୟନ୍ତ ଏହି ରୋଡ ସୋ’ ହେବ । ଏହି ରାସ୍ତା ଦେଇ କୌଣସି ଯାନବାହନ ଯିବା ଆସିବା କରିପାରିବେ ନାହିଁ ।ସେହିପରି ସିଆରପି ଛକରୁ ରେଣ୍ଟାଲ ଓମଫେଡ ଛକ ପର୍ଯ୍ୟନ୍ତ ଅପରାହ୍ନ ସାଢ଼େ ୫ରୁ ରୋଡ ସୋ ସରିବା ଯାଏଁ କୌଣସି ପ୍ରକାରର ଯାନବାହାନ ଯାଇପାରିବେ ନାହିଁ । ଅନୁରୂପ ଭାବେ ସନ୍ଧ୍ୟା ସାଢ଼େ ୬ରୁ ଜୟଦେବ ବିହାର ଛକରୁ ବିଜୁ ପଟ୍ଟନାୟକ କଲେଜ ଆଡ଼କୁ କୌଣସି ପ୍ରକାରର ଯାନବାହାନ ଯାଇପାରିବେ ନାହିଁ ।
ସେହିଭଳି ସାଢ଼େ ୬ରୁ ରୋଡ ସୋ’ ସରିବା ପର୍ଯ୍ୟନ୍ତ ଜୟଦେବ ବିହାର ଛକରୁ କିଟ୍ ଛକ ପର୍ଯ୍ୟନ୍ତ କୌଣସି ପ୍ରକାରର ଯାନବାହାନ ଏବଂ ସନ୍ଧ୍ୟା ୭ଟା ୧୫ ମିନିଟରୁ ରୋଡ ସୋ ସରିବା ପର୍ଯ୍ୟନ୍ତ କିଟ୍ ଛକରୁ ଜୟଦେବ ବିହାର ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହାନ ଯାଇପାରିବେ ନାହିଁ । ଏଥିସହ ଜୟଦେବ ବିହାର ଛକ ଦେଇ ଜାଭିୟର ଛକ ଆଡ଼କୁ ଆସୁଥିବା ଆମ୍ୱୁଲାନ୍ସ ଗୁଡ଼ିକ ଜୟଦେବ ବିହାର ଛକରୁ ଦକ୍ଷିଣ ପାର୍ଶ୍ବ ରାସ୍ତା ଦେଇ ଜାଭିୟର ଛକ ପର୍ଯ୍ୟନ୍ତ ଆସିବେ । ସେଠାରୁ ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା ଦେଇ ଯାଇପାରିବେ ।